ଦୀର୍ଘ ୪୮ ଘଣ୍ଟା ପରେ କେନ୍ଦୁଝର ଜିଲ୍ଲାରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା । ଦୀର୍ଘ ୪୮ ଘଣ୍ଟା ପରେ କେନ୍ଦୁଝର ଜିଲ୍ଲାରେ ଆଜି(ଗୁରୁବାର) ଇଣ୍ଟରନେଟ ସେବା ସ୍ବାଭାବିକ ହୋଇଛି । ରାମନବମୀରେ ଯୋଡ଼ା ପୌରପାଳିକାରେ ହନୁମାନ ଝଣ୍ଡା ବୁଲିବା ନେଇ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିଲା । ଫଳରେ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ ସେବାକୁ ଅଚଳ କରାଯାଇଥିଲା ବେଳେ, ଏବେ ପୁଣି ଥରେ ସେବକୁସ୍ଵଭାବିକ କରାଯାଇଛି ।

ବର୍ତ୍ତମାନ ସମୟରେ ଇଣ୍ଟରନେଟ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଥିବା ବେଳେ ଯୋଡା ହିଂସାକାଣ୍ଡ ପରେ ଜିଲ୍ଲାବ୍ୟାପୀ ଏହି ସେବା ବନ୍ଦ ରହିଥିଲା । ଫଳସ୍ବରୂପ ଡିଜିଟାଲ ବ୍ୟାଙ୍କିଙ୍ଗ ସେବା, ସାମଗ୍ରୀ କିଣାବିକା ଓ ଅଫିସ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଏପରିକି ବିଶେଷକରି ବର୍ତ୍ତମାନ ପରୀକ୍ଷା ସମୟ ହୋଇଥିବାରୁ ଅନଲାଇନ ପାଠପଢା ତଥା କୋଚିଙ୍ଗ, ଅନଲାଇନ ଅଫିସ କାର୍ଯ୍ୟ, ଖବର ଆଦାନ ପ୍ରଦାନ ଆଦି ବହୁ ସମସ୍ୟା ଦେଖାଦେଇଥିଲା । ଏପରିକି ଟ୍ରକମାନଙ୍କରେ ଲାଗିଥିବା ଜିପିଏସ ସିଷ୍ଟମ ମଧ୍ୟ କାର୍ଯ୍ୟକ୍ଷମ ନ ହୋଇପାରିବାରୁ ଲୁହା ପଥର ପରିବହନ ବାଧାପ୍ରାପ୍ତି ହୋଇଥିଲା । ହେଲେ ଏବେ ଇଣ୍ଟରନେଟ ସେବା ସ୍ବାଭାବିକ ହେବା ପରେ ସାଧାରଣ ଲୋକେ ଆଶ୍ବସ୍ତ ହୋଇଛନ୍ତି ।

ପ୍ରକାଶଥାଉ କି, ରାମନବମୀରେ ଯୋଡ଼ା ପୌରପାଳିକାରେ ହନୁମାନ ଝଣ୍ଡା ବୁଲିବା ନେଇ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିଲା । ଫଳରେ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ ସେବାକୁ ଅଚଳ କରାଯାଇଥିଲା । ହିଂସାକାଣ୍ଡ ଆହୁରି ବ୍ୟାପିବା ଆଶଂକା କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତି ନିଆଯାଇଥିଲା।

Related Posts