ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୬ ଘଣ୍ଟା କାଳ ଖୋଜିବା ପରେ ପାଇଲଟଙ୍କ ଫୋନ ଦେଇଥିଲା ବିମାନର ଠିକଣା । ନେପାଳର ପୋଖରାରୁ ଜୋମ୍ସୋମ୍ ଅଭିମୁଖେ ଯାଉଥିବା ଏକ ବିମାନ ସହ ଆଜି ସକାଳୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ନିଖୋଜ ହେବାର ପ୍ରାୟ ୬ଘଣ୍ଟା ପରେ ମୁସ୍ତାଙ୍ଗରେ ବିମାନର ଧ୍ୱଂସାବଶେଷ ଦେଖିବାକୁ ମିଳିଥିଲା ବିମାନଟି ହିମାଳୟର ମାନାପଥୀ ନିକଟ ଲାମଚେ ନଦୀ ଉପରେ ଖସିପଡିଥିଲା। ତେବେ ୬ଘଣ୍ଟା କାଳ ବିମାନକୁ ଖୋଜିବାକୁ ଉଦ୍ୟମ ଚାଲିଥିବା ବେଳେ ପାଇଲଟଙ୍କ ଫୋନ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ବିମାନର ଅବସ୍ଥିତି ବିଷୟରେ ଜଣାଇଥିଲା ବୋଲି ସାମ୍ନାକୁ ଆସିଛି। ପାଇଲଟଙ୍କ ଫୋନ୍ ଯୋଗୁଁ ବିମାନକୁ ଟ୍ରାକ କରାଯାଇପାରିଛି ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କ୍ୟାପଟେନ ପ୍ରଭାକର ଘିମିରେ ଏହି ବିମାନ ଉଡାଉଥିଲେ। ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ବିମାନକୁ ଖୋଜିବା କଷ୍ଟକର ହୋଇପଡ଼ିଥିଲା। ଏହା ପରେ ବିମାନର ଅବସ୍ଥିତି ବିଷୟରେ ଜାଣିବା ପାଇଁ କ୍ୟାପଟେନ ପ୍ରଭାକର ଘିମିରେଙ୍କୁ ଫୋନ କରାଯାଇଥିଲା। ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ବି କ୍ୟାପଟେନଙ୍କ ଫୋନ ସୁରକ୍ଷିତ ଥିବାରୁ ତାଙ୍କ ଫୋନ ବାଜିଥିଲା, ହେଲେ କେହି ଫୋନ ଉଠାଇନଥିଲେ। ଏହା ପରେ ଫୋନର ଲୋକେସନକୁ ଟ୍ରାକ କରି ବିମାନର ଅବସ୍ଥିତି ଜାଣିପାରିଥିଲେ ବିମାନବନ୍ଦର କର୍ତ୍ତୃପକ୍ଷ।
