ଭୁବନେଶ୍ୱର,୨୧/୧୨(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱର ଶିଶୁଭବନ ଛକରେ ଏକ ବିଜ୍ଞାପନ ହୋର୍ଡିଂ ଉପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ରାଉରକେଲାର ଯୁବକ ମୁକ୍ତିକାନ୍ତ ବିଶ୍ବାଳଙ୍କୁ ଆଜି ଅପରାହ୍ନରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମୁକ୍ତିକାନ୍ତଙ୍କୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଦୀର୍ଘ ସମୟର ଉଦ୍ୟମ ପରେ ଉଦ୍ଧାର କରିଛନ୍ତି। ହୋର୍ଡିଂ ଉପରୁ ଉଦ୍ଧାର ହେଲା ପରେ ତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି।ତେବେ ସବୁଠାରୁ ବଡ଼ କଥା ହେଲା ଯେ, ମୁକ୍ତିକାନ୍ତଙ୍କୁ ଉଦ୍ଧାର କରିବା ପାଇଁ ଦୀର୍ଘ ୪ ଘଣ୍ଟା ସମୟ ଲାଗିଥିଲା।

ତେବେ ମୁକ୍ତିକାନ୍ତଙ୍କ ଅଭିଯୋଗ ହେଲା, ୯ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ରାଉରକେଲାରେ କୋଏଲ ବ୍ୟାରେଜ୍, କୋଏଲ୍ ନଦୀ ପାର୍ଶ୍ବରେ ରିଂ-ରୋଡ୍ ନିର୍ମାଣ ପାଇଁ ଶୁଭ ଦେଇଥିଲେ। ଆଇଜିଏଚରେ ରୋଗୀଙ୍କୁ କ୍ୟାପିଟାଲ ହସ୍ପିଟାଲ ଭଳି ଚିକିତ୍ସା ସେବା ମିଳିବ ଘୋଷଣା କରାଯାଇଥିଲା। ସେତେବେଳେ ଏହାକୁ ନେଇ ରାଉରକେଲାବାସୀଙ୍କ ମନରେ ଏକ ନୂତନ ଆଶା ସଞ୍ଚାର ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ପୂରଣ ହୋଇପାରିନାହିଁ। ସେହିପରି ଉପକଣ୍ଠ ବିଶ୍ରା ଓ ନୂଆଗାଁ ପରିବା ଚାଷର ଗନ୍ତାଘର ହୋଇଥିବା ବେଳେ ଏଠାରେ ଶୀତଳଭଣ୍ଡାର ନଥିବାରୁ ଚାଷୀମାନେ ବାଧ୍ୟ ହୋଇ ପରିବାକୁ ଶାଗ ମାଛ ଦରରେ ବିକ୍ରି କରୁଛନ୍ତି। ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଭୁଲିଯାଇଥିବାରୁ ମନେ ପକାଇ ଦେବାକୁ ଆସିଛି ବୋଲି ମୁକ୍ତିକାନ୍ତ କହିଥିଲେ।

ରାଉରକେଲାରୁ ଚାଲିଚାଲି ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରି ନ ପାରିବା ପ୍ରତିବାଦରେ ମୁକ୍ତିକାନ୍ତ ବିଶ୍ବାଳ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ ହାତରେ ଡିଜେଲ ଥିବା ବୋତଲ ଧରି ନିଜ ଦେହରେ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ। ଶିଶୁଭବନ ଛକଠାରେ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ମୁକ୍ତିକାନ୍ତ ଅଭିନବ ପ୍ରତିବାଦ କରିଥିଲେ। ସେ ସପ୍ତାହେ ହେଲା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ଉଦ୍ୟମ କରିଥିଲେ ବି ତାଙ୍କ ସହ ଦେଖା କରିପାରିନଥିଲେ । ମୁକ୍ତିକାନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ଅଫିସିଆଲ ଷ୍ଟେଟମେଣ୍ଟ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯ ବର୍ଷ ତଳେ ରାଉରକେଲାବାସୀଙ୍କୁ ଉନ୍ନତିମୂଳକ କାର୍ଯ୍ୟ ନେଇ ପ୍ରତିଶ୍ରୁତି ଦେଇଥିଲେ। ତାଙ୍କର ଏହି ପ୍ରତିଶ୍ରୁତିକୁ ମନେ ପକାଇଦେବା ପାଇଁ ରାଉରକେଲାରୁ ପଦଯାତ୍ରାରେ ବାହାରିଥିବା ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳ ଭୁବନେଶ୍ବରରେ ପହଞ୍ଚିଥିଲେ। ରାଉରକେଲାବାସୀଙ୍କ ସମସ୍ୟାର ଦୁଇଟି ମଡେଲକୁ କାନ୍ଧରେ ବୋହି ସେ ଏଠାରେ ପହଞ୍ଚିଥିଲେ। ତେବେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନବୀନ ନିବାସକୁ ଯିବା ବେଳେ ଶିଶୁ ଭବନ ଛକଠାରେ ପୁଲିସ ତାଙ୍କୁ ଅଟକାଇଥିଲା। ତେଣୁ ମୁକ୍ତିକାନ୍ତ ସେହିଠାରେ ଧାରଣାରେ ବସିଥିଲେ। ତେବେ ଦୀର୍ଘ ୭ଦିନ ଶିଶୁଭବନ ଛକରେ ଧାରଣାରେ ବସିବାପରେ ଆଜି ସେ ଏଭଳି ପଦକ୍ଷେପ ନେଇଥିଲେ।