ରାହୁଲଙ୍କୁ ନୁହେଁ, କୋଭିଡ ନିୟମ ମାନିବାକୁ ପ୍ରଥମେ ମୋଦୀଙ୍କୁ ଚିଠି ଲେଖନ୍ତୁ: ଅଶୋକ ଗେହଲୋଟ

ଭୁବନେଶ୍ୱର,୨୧/୧୨(ସତ୍ୟପାଠ ବ୍ୟୁରୋ): କୋଭିଡ୍‌ ନିୟମ ମାନନ୍ତୁ ନଚେତ ‘ଭାରତ ଯୋଡ଼ୋ ଯାତ୍ରା’ ବାତିଲ କରନ୍ତୁ ବୋଲି ମଙ୍ଗଳବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭୀୟ ସାଂସଦ ରାହୁଲ୍‌ ଗାନ୍ଧୀ ଓ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ଚିଠି ଲେଖିଛନ୍ତି। ସେ ଲେଖିଛନ୍ତି ଯେ, ଯାତ୍ରା ସମୟରେ ମାସ୍କ ଓ ସାନିଟାଇଜର୍‌ ବ୍ୟବହାର ଉପରେ ଗୁରୁତ୍ୱ ସହ କେବଳ ଟିକା ନେଇଥିବା ଲୋକେ ଯାତ୍ରାରେ ଭାଗ ନେବା ଉଚିତ।ଯାତ୍ରାରେ ଯଦି କୋଭିଡ୍‌ ନିୟମ ମାନିବା ସମ୍ଭବ ହେଉନାହିଁ, ତେବେ ଜନସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ପ୍ରତି ଦୃଷ୍ଟି ଦେଇ ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ‘ଭାରତ ଯୋଡ଼ୋ ଯାତ୍ରା’କୁ ବାତିଲ କରନ୍ତୁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଚିଠିରେ ଲେଖିଛନ୍ତି। ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଏହି ଚିଠିକୁ ନେଇ ଏବେ ରାଜନୀତି ଜୋର ଧରିଛି ।

ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏହି ଚିଠି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଚିଠି ଲେଖିବା ଉଚିତ୍। କଂଗ୍ରେସର ବରିଷ୍ଠ ନେତା ଗେହଲୋଟ୍ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ଟୁଇଟ୍‌ରେ ଲେଖିଛନ୍ତି ଯେ, ରାଜସ୍ଥାନର ଭାରତ ଯୋଡା ଯାତ୍ରା ଡିସେମ୍ବର ୨୧ ଦିନ ସକାଳେ ଶେଷ ହୋଇଥିଲା, କିନ୍ତୁ ଏହି ଯାତ୍ରା ସମୟରେ ଏଠାରେ ଏକତ୍ରିତ ହୋଇଥିବା ଭିଡ଼କୁ ଦେଖି ବିଜେପି ଓ ମୋଦୀ ସରକାର ଭୟ କରୁଛନ୍ତି |

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡିସେମ୍ବର ୨୦ ରେ ରାଜସ୍ଥାନରେ କୋଭିଡ ପ୍ରୋଟୋକଲ ଅନୁସରଣ କରିବା ପାଇଁ ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଲେଖି ଜଣାଇବା ଏହା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ, ଜନ ସମର୍ଥନକୁ ଭୟ କରି ଭାରତ ଯୋଡ ଯାତ୍ରାକୁ ଭଣ୍ଡୁର କରିବା ହେଉଛି ବିଜେପିର ଉଦ୍ଦେଶ୍ୟ। ପୂର୍ବରୁ ପ୍ରଧାନମନ୍ତ୍ରୀ ତ୍ରିପୁରାରେ ଏକ ରାଲି କରିଥିଲେ ଯେଉଁଠାରେ କୌଣସି କୋଭିଡ ପ୍ରୋଟୋକଲ ଅନୁସରଣ କରାଯାଇନଥିଲା। କୋଭିଡ ଦ୍ୱିତୀୟ ଲହରୀ ସମୟରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ବଡ ରାଲି କରିଥିଲେ। ଯଦି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରାଜନୈତିକ ନୁହେଁ ଏବଂ ତାଙ୍କର ଚିନ୍ତା ଯଥାର୍ଥ, ତେବେ ସେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ଚିଠି ଲେଖିବାର ଥିଲା ବୋଲି ଅଶୋକ ଗେହଲୋଟ ଟୁଇଟ୍‌ କରି କହିଛନ୍ତି ।

Related Posts