ଆକାଶ ମାର୍ଗରୁ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ରିଲିଫ ଘୋଷଣା ସହ କ୍ଷୟକ୍ଷତି ଆକଳନ କରିବାକୁ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଲଘୁଚାପ ଜନିତ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କେଉଁଠି ନଦୀରେ ଘାଇ ହୋଇଛି ତ କେଉଁଠି ନଦୀ ଜଳ ପଶି ଗାଁ ଗଣ୍ଡା ଜଳମଗ୍ନ ହୋଇଛି । ହଜାର ହଜାର ଲୋକ ପାଣିଘେରରେ ରହିଛନ୍ତି । ବନ୍ୟା ଜଳରେ ଲୋକଙ୍କର ଘର ଦ୍ୱାରା ଭାଙ୍ଗିଯବା ସହ ଗୃହପାଳିତ ପଶୁ ମଧ୍ୟ ଭାସି ଯାଇଛନ୍ତି ।ଏସବୁ ଭିତରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ରାଜ୍ୟରେ ଏଭଳି ଅଚାନକ ବନ୍ୟା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି ।

ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବା ପରେ ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ଘୋଷଣା କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ସମ୍ବଲପୁର, ବରଗଡ ସୋନପୁର, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାରେ ପାଣି ପଶିଥିବା ଗାଁର ଲୋକମାନଙ୍କୁ ୭ ଦିନ ପାଇଁ ରିଲିଫ୍ ଦିଆଯିବ । ଏହାସହ ପାଣି ଛାଡିବାର ୭ ଦିନ ମଧ୍ୟରେ ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯିବ । ଏଥିସହିତ ଏହିସବୁ ଜିଲ୍ଲାରେ ବନ୍ୟାରେ ଯେଉଁ ମାନଙ୍କର ଘର ଭାଙ୍ଗିଛି ଓ ଯେଉଁମାନଙ୍କର ଫସଲ ନଷ୍ଟ ହୋଇଛି ସେମାନଙ୍କୁ କ୍ଷୟକ୍ଷତି ଆକଳନ କରାଯିବାର ୧୫ ଦିନ ମଧ୍ୟରେ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Related Posts