ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଦୀର୍ଘ ୬୯ ବର୍ଷ ପରେ ଟାଟା ପାଖକୁ ଫେରିଲା ଏୟାର ଇଣ୍ଡିଆ । ଏୟାର ଇଣ୍ଡିଆର ସଂପୂର୍ଣ୍ଣ କମାଣ୍ଡ ଟାଟା ଗ୍ରୁପକୁ ହସ୍ତାନ୍ତର କରାଯାଇଛି । ଏହା ସହିତ ଏୟାର ଇଣ୍ଡିଆର ବିନିଯୋଗ ପ୍ରକ୍ରିୟା ସମାପ୍ତ ହେଲା । ସେପଟେ ପିଏମ୍ ସଚିବ ତୁହିନ୍ କାଣ୍ଟ ପାଣ୍ଡେ କହିଛନ୍ତି ଯେ ଏୟାର ଇଣ୍ଡିଆରେ ସରକାରଙ୍କ ସମସ୍ତ ଅଂଶ ଟାଟା ସନ୍ସଙ୍କ ସହାୟକ କମ୍ପାନୀ ଟେଲ୍ସ ପିଭି ଲିମିଟେଡକୁ ହସ୍ତାନ୍ତର କରାଯାଇଛି। ବର୍ତ୍ତମାନଠାରୁ ଏୟାର ଇଣ୍ଡିଆର ନୂତନ ମାଲିକ ହେଉଛି ଟାଟା ଗ୍ରୁପ୍ । ସରକାରୀ ହସ୍ତାନ୍ତର ପୂର୍ବରୁ ଟାଟା ସନ୍ସ ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ ଚନ୍ଦ୍ରଶେଖରନ୍ ସିଧାସଳଖ ନୂଆଦିଲ୍ଲୀରେ ଏୟାର ଇଣ୍ଡିଆର କାର୍ୟ୍ୟାଳୟରେ ପହଞ୍ଚିଛନ୍ତି।
ଏହି ଅବସରରେ ଟାଟା ସନ୍ସର ଚେୟାରମ୍ୟାନ୍ ଏନ ଚନ୍ଦ୍ରଶେଖରନ୍ କହିଛନ୍ତି ଯେ ଏହି ପ୍ରକ୍ରିୟା ଶେଷ ହୋଇଛି। ଏୟାର ଇଣ୍ଡିଆର ପ୍ରତ୍ୟାବର୍ତ୍ତନକୁ ନେଇ ଆମେ ବହୁତ ଖୁସି। ବର୍ତ୍ତମାନ ଆମର ପ୍ରୟାସ ହେଉଛି ଏହି ବିମାନକୁ ବିଶ୍ୱ ସ୍ତରୀୟ କରିବା ଜ୍ଝ ଉଲ୍ଲେଖନୀୟ ବିଷୟ ହେଉଛି, ସରକାର ଏକ ପ୍ରତିଯୋଗିତାମୂଳକ ବିଡିଂ ପ୍ରକ୍ରିୟା ପରେ ଅକ୍ଟୋବର ୮ ରେ ଟେଲ୍ସ ପିଭି ଲିମିଟେଡକୁ ୧୮,୦୦୦ କୋଟିରେ ବିକ୍ରି କରିଥିଲେ। ଅନ୍ୟପଟେ ଗତବର୍ଷ ଅକ୍ଟୋବର ମାସରେ ୧୮ ହଜାର କୋଟି ଟଙ୍କାର ଡିଲ୍ ହୋଇଥିଲା । ଏହା ପରେ ଅକ୍ଟୋବର ୨୧ ତରିଖରେ ବୁଝାମଣାରେ ହସ୍ତାକ୍ଷର କରିଥିଲେ କେନ୍ଦ୍ର ସରକାର । ଟାଟା ଗ୍ରୁଫକୁ ଏୟାର ଇଣ୍ଡିଆର ମାଲିକାନା ସତ୍ୱ ମିଳିବା ପରେ ନୂଆ ମାଲିକଙ୍କୁ ୫ ବର୍ଷ ପର୍ୟ୍ୟନ୍ତ ସେହି ନାଁ ଓ ଲୋଗ ରଖିବାକୁ ପଡ଼ିବ ।
ଏୟାର ଇଣ୍ଡିଆର ମାଲିକାନା ମିଳିବା ପରେ ଟାଟା ସନସ ପାଖରେ ଏୟାରଲାଇନ୍ସ ସଂଖ୍ୟା ୩କୁ ବୃଦ୍ଧି ପାଇବ । ପୂର୍ବରୁ ଏହି ଗ୍ରୁଫ ପାଖରେ ଭିସ୍ତାରା ଓ ଏୟାର ଏସିଆର ଅଂଶଧନ ରହିଛି । ସରକାରଙ୍କ ସୂଚନା ଅନୁସାରେ ୩୧ ଅଗଷ୍ଟ ୨୦୨୧ ସୁଦ୍ଧା ଏୟାର ଇଣ୍ଡିଆ ଉପରେ ମୋଟ୍ ଋଣ ୬୧ ହଜାର ୫୬୨ କୋଟି ଟଙ୍କା ରହିଥିଲା । ଟାଟା ୧୫ ହଜାର ୩ ଶହ କୋଟି ଟଙ୍କା ପୈଠ କରିଛି । ଏହା ପରେ ଏୟାର ଇଣ୍ଡିଆର ମୋଟ୍ ଋଣ ୪୬ ହଜାର ୨୬୨ କୋଟି ଟଙ୍କା ରହିଛି । ଏୟାର ଇଣ୍ଡିଆକୁ ପ୍ରଥମେ ଜେଆରଡି ଟାଟା ୧୯୩୨ ମସିହାରେ ଟାଟା ଏୟାରଲାଇନ୍ସ ନାଁରେ ଲଞ୍ଚ କରିଥିଲେ । ୧୯୪୬ରେ ଏହାର ନାମ ପରିବର୍ତନ କରି ଏୟାର ଇଣ୍ଡିଆ କରି ଦିଆଯାଇଥିଲା । ଏହା ପରେ ୧୯୫୪ରେ ସରକାର ଟାଟା ଠାରୁ ଏୟାର ଇଣ୍ଡିଆ କିଣି ତାହାର ରାଷ୍ଟ୍ରୀୟକରଣ କରିଥିଲେ ।