
କୋଲକାତା: ନିକଟରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଙ୍କୁ ଭେଟିଛନ୍ତି । ଗାଙ୍ଗୁଲିଙ୍କ ଘରେ ରାତ୍ରୀ ଭୋଜନ କରିଥଲେ ଅମିତ୍ ଶାହା । ତେବେ ଏହାରି ମଧ୍ୟରେ ସେ ବିଜେପିରେ ମିଶିବାନେଇ ଚର୍ଚ୍ଚା ଜୋର ଧରିଛି ।
ତେବେ ଅମିତ୍ ଶାହାଙ୍କୁ ଭେଟିବାର ଗୋଟିଏ ଦିନ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଖୁବ୍ ପ୍ରଶଂସା କରିଛନ୍ତି ସୌରଭ ଗାଙ୍ଗୁଲି । ମମତା ହେଉଛନ୍ତି ବିଜେପିର ଚରମ ବିରୋଧୀ। ଏଥିସହ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଗାଙ୍ଗୁଲି ପଶ୍ଚିମବଙ୍ଗର ମନ୍ତ୍ରୀ ଫିରହାଦ ହକିମଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଫିରହାଦ ଏମିତି ଜଣେ ବ୍ୟକ୍ତି ଯାହାଙ୍କୁ କୌଣସି ବି ସମୟରେ ଆପଣ ଯୋଗାଯୋଗ କରି ପାରିବେ। ଏଠାରେ ଏକ ଘରୋଇ ହସ୍ପିଟାଲର ଉଦଘାଟନ କାର୍ଯ୍ୟକ୍ରମରେ ବିସିସିଆଇ ସଭାପତି କହିଛନ୍ତି, ଆମର ମାନନୀୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୋର ବହୁତ ନିକଟତର। ମୁଁ ଏହି ଘରୋଇ ହସ୍ପିଟାଲର ସାହାଯ୍ୟ ପାଇଁ ତାଙ୍କ ସହ ଯୋଗାଯୋଗ କରିଥିଲି।
ପୂର୍ବତନ କ୍ରିକେଟର କହିଛନ୍ତି, ମୁଁ ଫିରହାଦ ହକିମଙ୍କୁ ବହୁତ ନିକଟରୁ ଦେଖିଛି। ସେ ମୋତେ ପ୍ରଥମ ଶ୍ରେଣୀରୁ ଦେଖି ଆସିଛନ୍ତି। ସେ ଆମର ପରିବାରର ବନ୍ଧୁ। ଯିଏ ତାଙ୍କୁ ଯୋଗାଯୋଗ କରନ୍ତି ତାଙ୍କୁ ସେ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି। ମୁଁ ଅନେକ ଥର ତାଙ୍କ ସହ କଥା ହୋଇଛି। ଅମିତ୍ ଶାହଙ୍କ ଶୁକ୍ରବାର ଗାଙ୍ଗୁଲିଙ୍କ ଘରକୁ ଯିବା ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା।
ପୂର୍ବତନ କ୍ରିକେଟର ଶୀଘ୍ର ରାଜନୀତିରେ ପାଦ ଦେବା ନେଇ ଚର୍ଚ୍ଚା ଜୋର ଧରିଛି। ହେଲେ ରାତ୍ରିଭୋଜନ ଏକ ପାରିବାରିକ ଥିଲା ବୋଲି ଗାଙ୍ଗୁଲିଙ୍କ ନିକଟତର ବ୍ୟକ୍ତି କହିଛନ୍ତି। ଏହି ସମୟରେ ଗାଙ୍ଗୁଲିଙ୍କ ସହ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲି, ସୌରଭଙ୍କ ବଡ ଭାଇ ସ୍ନେହାଶିଷ ଗାଙ୍ଗୁଲି ଏବଂ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।
ଶାହଙ୍କ ସହିତ ବିଜେପି ବିଚାରକ ସ୍ଵପ୍ନ ଦାସଗୁପ୍ତା, ପାର୍ଟିର ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର ଏବଂ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଜାରି କଳ୍ପନା ଜଳ୍ପନା ଉପରେ ଗାଙ୍ଗୁଲି ଶୁକ୍ରବାର କହିଥିଲେ, ଅନେକ ପ୍ରକାରର ଚର୍ଚ୍ଚା କରାଯାଉଛି। ମୁଁ ଶାହଙ୍କୁ ୨୦୦୮ରୁ ଜାଣିଛି। କ୍ରିକେଟ୍ ଖେଳିବା ସମୟରେ ମୁଁ ତାଙ୍କୁ ଭେଟିଥିଲି। ଏହା ବାଦ୍ ଆଉ ବିଶେଷ କିଛି ନୁହେଁ। ବିସିସିଆଇରେ ଶାହଙ୍କ ପୁଅ ଜୟ ଶାହଙ୍କ ସହିତ ସେ କାମ କରୁଛନ୍ତି। ଜୟ ଶାହ ବର୍ତ୍ତମାନ ବିସିସିଆଇ ସଂପାଦକ ।
ତେବେ ସେ ବିଜେପିରେ ଯୋଗ ଦେବେ କି ନାହିଁ ସେନେଇ କିଛି ସୂଚନା ମିଳିନାହିଁ ।