ଓଡ଼ିଶା ପରେ ପଞ୍ଜାବରେ ମଉଳିଲା ମେଣ୍ଟ ଆଶା; ଏକା ଲଢିବ ବିଜେପି

ଭୁବନେଶ୍ୱର,୨୭/୩(ସତ୍ୟପାଠ ବ୍ୟୁରୋ):   ଓଡ଼ିଶା ପରେ ପଞ୍ଜାବରେ ବି ସମଦଶା ବିଜେପିକୁ ମେଣ୍ଟ ନିମନ୍ତେ ମିଳିଲେନି ସହଯୋଗୀ।  ଲୋକସଭା ନିର୍ବାଚନ ୨୦୨୪ ନିମନ୍ତେ ବିଜେପି ଅକାଳୀ ଦଳକୁ ସାଥୀରେ ନେବାକୁ ଉଦ୍ୟମ କରୁଥିଲା, ହେଲେ ଏଥି ପାଇଁ ସହମତି ହୋଇ ପାରିଲାନି। ଏଣୁ ବିଜେପି ରାଜ୍ୟର ସମସ୍ତ ୧୩ଟି ଜାକ ଲୋକସଭା ଆସନରେ ଏକା ଲଢିବା ନେଇ ବିଜେପିର ପଞ୍ଜାବ ପ୍ରଦେଶ ଅଧ୍ୟକ୍ଷ ସୁନୀଲ ଝାଖଡ ମଙ୍ଗଳବାର ଏକ ଭିଡିଓ ବାର୍ତ୍ତାରେ ଏହି ଘୋଷଣା କରିଛନ୍ତି।

ଝାଖଡ କହିଛନ୍ତି ଯେ ବିଜେପି ପଞ୍ଜାବରେ ଏକାକୀ ଲୋକସଭା ନିର୍ବାଚନ ଲଢିବ। ପାର୍ଟିର ଦଳୀୟ କାର୍ଯ୍ୟକର୍ତ୍ତା ଓ ନେତାଙ୍କ ଫିଡବ୍ୟାକ୍ ନେବା ପରେ ଏହି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ରର ମୋଦି ସରକାର ପଞ୍ଜାବ ହୀତ ନିମନ୍ତେ ଅଥକ ଉଦ୍ୟମ କରିଛନ୍ତି ଓ ଦଳର କାମ କାହାକୁ ବି ଅଛପା ନାହିଁ। ଓଡିଶା ପରେ ପଞ୍ଜାବ ଦ୍ୱିତୀୟ ରାଜ୍ୟ ଯେଉଁଠି ବିଜେପିର ମେଣ୍ଟ ହୋଇପାରି ନାହିଁ। ଏହା ପୂର୍ବରୁ ଓଡିଶାରେ ବିଜେଡିକୁ ସାଥିରେ ନେବାକୁ ବିଜେପି ଅଥକ ଉଦ୍ୟମ କରିଥିଲା। ହେଲେ ଏଥିରେ ସଫଳତା ମିଳିପାରି ନଥିଲା।

ପଞ୍ଜାବରେ ବିଜେପି ପୂର୍ବରୁ ଶୁକ୍ରବାର ଅକାଳୀ ଦଳ ମଧ୍ୟ ଏକାକୀ ନିର୍ବାଚନ ଲଢିବ ବୋଲି ସଂକେତ ଦେଇଥିଲା। ଶୁକ୍ରବାର ଅକାଳୀ ଦଳ ପକ୍ଷରୁ କମିଟି ମିଟିଂ ଥିଲା, ଯେଉଁଥିରେ ଏକାକୀ ଲଢିବା ପାଇଁ ସହମତି ହୋଇଥିଲା। ମନେ କରାଯାଉଛି କୃଷକ ଆନ୍ଦୋଳନ ପରେ ପଞ୍ଜାବରେ ଏକ ମାହୋଲ ସୃଷ୍ଟି ହୋଇଛି। ଏଣୁ ଅକାଳୀ ଦଳ ବିଜେପି ସାଙ୍ଗରେ ଆସିବା ପକ୍ଷରେ ନଥିଲା। ଏହା ଛଡା ପଞ୍ଜାବରେ ଏବେ ବିଜେପି ଓ ଅକାଳୀ ଦଳ ମଧ୍ୟରେ ବୈଚାରିକ ଫାଟ ମଧ୍ୟ ବଢିବାରେ ଲାଗିଛି।

ଗୋଟିଏ ପଟେ ଅକାଳୀ ଦଳ ଶିଖ ସମୂଦାୟ ଲୋକଙ୍କୁ ନିଜ ପ୍ରତି ଆକର୍ଷିତ କରିବାକୁ ଉଦ୍ୟମ କରୁଥିବା ବେଳେ ଏହାର ବଡ଼ ଆଧାର ପନ୍ଥିକ ଶିଖ ଅଟନ୍ତି। ଅକାଳୀ ଦଳର ଏହି ବିଚାରଧାରା ବିରୋଧରେ ବିଜେପି ରାଷ୍ଟ୍ରବାଦୀ ବିଚାରଧାରା ଉପରେ ଅଡି ରହିଛି। ଗତକିଛି ବର୍ଷ ହେଲା ପଞ୍ଜାବ କୃଷକ ଆନ୍ଦୋଳନ ନିମନ୍ତେ ମୁଖର ରହିଛି। କୃଷକଙ୍କ ଉପରେ ଖାଲିସ୍ତାନୀ ସମର୍ଥକ ଅଭିଯୋଗ ମଧ୍ୟ ଲାଗୁଛି। ଏଣୁ ଅକାଳୀ ଦଳ ରାଜ୍ୟରେ ଯଦି ବିଜେପି ସାଙ୍ଗରେ ଯାଏ ତେବେ ପାନ୍ଥିକ ଶିଖ୍ ମାନେ ଅସନ୍ତୁଷ୍ଟ ହୋଇପାରନ୍ତି। ଏମିତିରେ ବିଜେପିର ନଜର କେବଳ ହିନ୍ଦୁ ଭୋଟରଙ୍କ ଉପରେ ରହିଛି। ଏଣୁ ମେଣ୍ଟ ନ କରି ମଧ୍ୟ ଦଳ ସଫଳ ହେବ ବୋଲି ଆଶା ବାନ୍ଧିଛି।

Related Posts