ହିମାଚଳରେ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ତେଜିଲା କଂଗ୍ରେସ କନ୍ଦଳ: ଦାୟିତ୍ବରେ ଥିବା ବାଘେଲଙ୍କ କନଭୟକୁ ଘେରି ନାରାବାଜି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନିର୍ବାଚନ ଜିତିବା ପରେ ଏବେ ହିମାଚଳ କଂଗ୍ରେସରେ ବଢିଲା ବିବାଦ । ମୁଖ୍ୟମନ୍ତ୍ରୀ ପଦକୁ ନେଇ ଏବେ ଚାଲିଛି ଟଣାଓଟରା । ଜିତିବା ଖୁସି ଏବେ ପାଣି ଫାଟିଗଲା ପରି ଲାଗୁଛି । ବିଜୟ ଖୁସି ବନେଇବ ନା ଦଳୀୟ କଳି ଛିଣ୍ଡେଇବେ ତାହା ଏବେ ଦଳ ପାଇଁ ମୁଖ୍ୟ ମୁଣ୍ଡବିନ୍ଧା। ହିମାଚଳ ପ୍ରଦେଶରେ ଏମିତି ଧର୍ମସଙ୍କଟରେ ପଡିଛି କଂଗ୍ରେସ । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟ ହେବା ସହ ରାଜ୍ୟରେ ସରକାର ଗଠନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଦୀର୍ଘ ୫ ବର୍ଷ ପରେ କଂଗ୍ରେସ ସେଲିବ୍ରେସନର ସୁଯୋଗ ପାଇଥିଲା । ହେଲେ ଚିନ୍ତା ବଢିଯାଇଛି ଅନ୍ତଃ କନ୍ଦଳ । କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଆରମ୍ଭ ହୋଇ ଯାଇଛି ଛକାପଞ୍ଝା ।

ଶୁକ୍ରବାର ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ବିଧାୟକ ଦଳ ବୖଠକ ଡକାଯାଇଥିଲା । ବୈଠକରେ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଆଲୋଚନା ହେବାର ସମ୍ଭାବନା ଥିଲା । ହେଲେ ବୖଠକର ଠିକ ପୂର୍ବରୁ ପ୍ରଦେଶ ଅଧ୍ୟକ୍ଷା ପ୍ରତିଭା ସିଂହଙ୍କ ସମର୍ଥକ ଶିମଲାର ଓବେରୋଇ ସେସିଲ ନିକଟରେ ଏକାଠି ହୋଇଥିଲେ। ଏହି ସମୟରେ ସେହି ରାସ୍ତା ଦେଇ କଂଗ୍ରେସର କେନ୍ଦ୍ର ନେତୃବୃନ୍ଦଙ୍କ ନିର୍ଦ୍ଦେଶରେ ହିମାଚଳ ଯାଇଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ କନଭୟ ଅତିକ୍ରମ କରିଥିଲା। ପ୍ରତିଭା ସିଂଙ୍କ ସମର୍ଥକମାନେ ଏହି କନଭୟକୁ ରୋକିବା ସହ ନାରାବାଜି କରିଥିଲେ । ସେମାନେ ଦାବି କରିଥିଲେ, ଦଳର ହାଇକମାଣ୍ଡ ପ୍ରତିଭା ସିଂହଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତୁ ।

ଅନ୍ୟପକ୍ଷେ, ହିମାଚଳରେ କଂଗ୍ରେସ ଅଧ୍ୟକ୍ଷା ପ୍ରତିଭା ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ, ଦଳ ତାଙ୍କ ସ୍ୱାମୀ ବୀରଭଦ୍ର ସିଂହଙ୍କ ନାଁରେ ନିର୍ବାଚନ ଲଢିଲା ଏବଂ ଜିତିଲା ମଧ୍ୟ । ତେଣୁ ତାଙ୍କ ପରିବାରକୁ ଅଣଦେଖା କରିବା ଭୁଲ ହେବ । ସେ ଆହୁରି କହିଛନ୍ତି, ସେ ମୁଖ୍ୟମନ୍ତ୍ରୀ ଭାବେ ସେ ଦାୟିତ୍ୱ ନେଇ ପାରିବେ । କାରଣ ଏବେ ସେ ସୋନିଆଙ୍କ ନିର୍ଦ୍ଦେଶ କ୍ରମେ ଦଳର ନେତୃତ୍ୱ ନେଉଛନ୍ତି ।

ସୂଚନାଯୋଗ୍ୟ ଯେ, ବୀରଭଦ୍ର ସିଂହ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି। ତାଙ୍କର ଗତବର୍ଷ ଦେହାନ୍ତ ହୋଇଥିଲା । ଏବେ ତାଙ୍କ ପତ୍ନୀ ଦଳର ସାଂସଦ ଅଛନ୍ତି ଓ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନ୍ୟତମ ଦାବିଦାର ମଧ୍ୟ ଅଛନ୍ତି।

Related Posts