ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କଂଗ୍ରେସ ପୂର୍ବରୁ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍ ଆଣିଥିଲେ ମୁଁ ୪ଟି ସନ୍ତାନ ଜନ୍ମ କରିନଥାନ୍ତି। ବିଜେପି ସାଂସଦ ତଥା ଅଭିନେତା ରବି କିଶନ ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ‌ସେ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍ ଉପରେ ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ସାଂସଦ ରବି କିଶନ କହିଥିଲେ ଯେ, ଏହି କାର୍ଯ୍ୟକ୍ରମରୁ ବାହାରିବା ପରେ ମୁଁ ସଂସଦରେ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍ ଉପସ୍ଥାପନ କରିବି। କଂଗ୍ରେସ ଯଦି ପୂର୍ବରୁ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍ ଆଣିଥାନ୍ତା, ତାହେଲେ ମୁଁ ୪ଟି ସନ୍ତାନ ଜନ୍ମ କରିନଥାନ୍ତି। ଏବେ ୪ଟି ସନ୍ତାନ ଜନ୍ମ କରିଥିବାରୁ ମୁଁ ନିଜକୁ ଦୋଷୀ ବୋଲି ଭାବୁଛି।

କାର୍ଯ୍ୟକ୍ରମରେ ଏକ ପ୍ରଶ୍ନର ଉତ୍ତରରେ ବିଜେପି ସାଂସଦ କହିଥିଲେ ଯେ, ଯଦି କଂଗ୍ରେସ ଏହି ବିଲ୍ ପ୍ରଥମେ ଆଣିଥାନ୍ତା ତେବେ ଆମେ ଏତେ ସନ୍ତାନ ଜନ୍ମ କରିବା ବନ୍ଦ କରିଥାନ୍ତୁ। ମୋର ୪ଟି ସନ୍ତାନ ଅଛନ୍ତି, ଏହା ଭୁଲ ନୁହେଁ। ଯଦି କଂଗ୍ରେସ ଏହି ବିଲ୍ ଆଣିଥାନ୍ତା, ଯଦି ଏନେଇ ଆଇନ ହୋଇଥାନ୍ତା, ତେବେ ମୋର ୪ଟି ସନ୍ତାନ ହୋଇ ନଥାନ୍ତେ। ଏଥିପାଇଁ କଂଗ୍ରେସ ଦାୟୀ। କାରଣ ସେମାନଙ୍କର ସରକାର ଥିଲା, ଆମେ ଏନେଇ ସଚେତନ ନଥିଲୁ। ଚୀନ୍ ମଧ୍ୟ ଜନସଂଖ୍ୟାକୁ ନିୟନ୍ତ୍ରଣ କରିଥିଲା। ଯଦି ଆମେ ଆମ ଦେଶ କଥା କହିବା ତେବେ ଏହି ଦେଶ ଚଳାଇବା ଏକ ବଡ କଥା। ଯଦି କଂଗ୍ରେସ ଆଗାମୀ ପିଢ଼ି ବିଷୟରେ ଚିନ୍ତା କରିଥାନ୍ତା, ତା’ହେଲେ ଆମକୁ ଏବେ କରିବାକୁ ପଡ଼ୁଥିବା ସଂଘର୍ଷ କରିବାକୁ ପଡ଼ିବ ନଥାନ୍ତା। ଏବେ ମୁଁ ଏହି ବିଲ୍ ସଂସଦରେ ଉପସ୍ଥାପନ କରିବି। ଏହା ଦ୍ବାରା ୨୦ରୁ ୨୫ବର୍ଷ ପରେ ପରିବର୍ତ୍ତନ ଜଣାପଡ଼ିବ।