ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅଲ ଇଣ୍ଡିଆ ଇମାମ ସଂଗଠନ(ଏଆଇଆଇଓ)ର ମୁଖ୍ୟ ଇମାମ ଉମର ଅହମଦ ଇଲିୟାସିଙ୍କୁ ୱାଇ ବର୍ଗର ସୁରକ୍ଷା ଦେଇଛନ୍ତି କେନ୍ଦ୍ର ସରକାର। ରାଷ୍ଟ୍ରୀୟ ସ୍ବୟଂସେବାକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭାଗବତଙ୍କୁ ‘ରାଷ୍ଟ୍ରପିତା’ ଓ ‘ରାଷ୍ଟ୍ରଋଷି’ କହି ସମ୍ବୋଧନ କରିବା ପରେ ତାଙ୍କ ଜୀବନପ୍ରତି ବିପଦ ଥିବାରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ତାଙ୍କୁ ୱାଇ ବର୍ଗର ସୁରକ୍ଷା ଦିଆଯାଇଛି।

ତେବେ ସୁରକ୍ଷା ଦେଇଥିବାରୁ ଇଲିୟାସି କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ, ମୋହନ ଭାଗବତଙ୍କୁ ‘ରାଷ୍ଟ୍ରପିତା’ ଓ ‘ରାଷ୍ଟ୍ରଋଷି’ କହିବା ପରେ ମୋତେ ଅନେକ ଥର ହତ୍ୟା ଧମକ ମିଳିଛି। ଇଂଲଣ୍ଡର ନମ୍ବରରୁ ମୋତେ କଲ୍ ଆସୁଥିଲା ଏବଂ ହତ୍ୟା ଧମକ ଦିଆଯାଉଥିଲା ବୋଲି ଇଲିୟାସି କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ମାସରେ ଆର୍‌ଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ ଦିଲ୍ଳୀର ଏକ ମସଜିଦ ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ମୁଖ୍ୟ ଇମାମଙ୍କ ସହିତ ସାକ୍ଷାତ ଆଲୋଚନା କରିବା ସହିତ ମଦ୍ରାସାରେ ପିଲାମାନଙ୍କ ସହିତ କିଛି ସମୟ କଟାଇଥିଲେ। ବୈଠକ ପରେ ଅଲ୍ ଇଣ୍ଡିଆ ଇମାମ ସଂଗଠନ (ଏଆଇଆଇଓ)ର ମୁଖ୍ୟ ଇମାମ ଉମର ଅହମଦ ଇଲିୟାସି ଭାଗବତଙ୍କୁ ‘ରାଷ୍ଟ୍ରପିତା’ ଓ ‘ରାଷ୍ଟ୍ରଋଷି’ ବୋଲି କହିଥିଲେ।

ଭାଗବତଙ୍କୁ ଭେଟିବା ପରେ ଇମାମ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ମୋହନ ଭାଗବତ ଆମକୁ ଭେଟି ଆମସହ ଆଲୋଚନା କରିବା ଆମ ପାଇଁ ଏକ ସୌଭାଗ୍ୟର ବିଷୟ। ଭାଗବତ ଆମକୁ ଭେଟିବା ପାଇଁ ଇମାମ ହାଉସ ଆସିଥିଲେ ଏବଂ ସେ ହେଉଛନ୍ତି ରାଷ୍ଟ୍ରପିତା ଓ ରାଷ୍ଟ୍ରଋଷି। ଦେଶର ଏକତା ଓ ସଂହତି ରକ୍ଷା ହେବା ଉଚିତ। ଆମର ଉପାସନା ପଦ୍ଧତି ଭିନ୍ନ ହୋଇପାରେ, କିନ୍ତୁ ଆମେ ସମସ୍ତେ ମଣିଷ। ଆମେ ଭାରତରେ ବାସ କରୁଛୁ ଏବଂ ଆମେ ଭାରତୀୟ। ଭାରତ ଖୁବଶୀଘ୍ର ବିଶ୍ବଗୁରୁରେ ପରିଣତ ହେବାକୁ ଯାଉଛି ଏବଂ ଆମେ ସମସ୍ତେ ଏଥିରେ ଯୋଗଦାନ ରଖିବା ଉଚିତ ବୋଲି ଇଲିୟାସି କହିଥିଲେ।