କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଓ ମହମ୍ମଦ ମୋକିମ୍‌ଙ୍କୁ ଏଆଇସିସିର କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର,୨୮/୫(ସତ୍ୟପାଠ ବ୍ୟୁରୋ): କଂଗ୍ରେସର ଦୁଇ ବିରଷ୍ଠ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ । ଏଆଇସିସି ଶୃଙ୍ଖଳା କମିଟି ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଏବଂ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ନୋଟିସ୍ ହୋଇଛି । ନିକଟରେ ‘ଜାନକୀ-ବସନ୍ତଙ୍କ ଯୋଡି: ଓଡ଼ିଶା ରାଜନୀତିରେ ସୁବର୍ଣ୍ଣ ଯୁଗ’ ଶୀର୍ଷକରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଦୁଇ ନେତାଙ୍କ ବୟାନକୁ ନେଇ ବିବାଦ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଚିରଞ୍ଜୀବ ବିଶ୍ୱାଳ କହିଥିଲେ, ଯିଏ ପିସିସି ସଭାପତି ହେବ ସେ ଆଉ କାହାକୁ ପଚାରିବେନି । ୨୦୨୪ ନିର୍ବାଚନ ବେଳକୁ ୧୪୭ ବିଧାନସଭା ଆସନରେ ବିଧାୟକ ପ୍ରାର୍ଥୀ ମିଳିବେ କି ନାହିଁ ସନ୍ଦେହ । ୯ ରୁ ୯୦ ବିଧାୟକ ହେବ ଦେଖାଯାଉନାହିଁ । କଂଗ୍ରେସରେ ୯ ଜଣ ବିଧାୟକ ହେଲେ ୨୦ ଜଣ ମୁଖ୍ୟମନ୍ତ୍ରୀ ଆଶାୟୀ ବୋଲି କହିଥିଲେ ଚିରଞ୍ଜୀବ । ସେହିପରି ସମାନ ଢ଼ଙ୍ଗରେ କଂଗ୍ରେସ ଦଳ ଓ ନେତାଙ୍କୁ ନେଇ ପ୍ରଶ୍ନ ଉଠାଇଥିଲେ ମହମ୍ମଦ ମୋକିମ୍ । ସେ କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳଙ୍କ ଆଦର୍ଶରୁ କିଛି ଶିଖିବା କଥା । କାନକୁହା କଥାରେ ବିଶ୍ୱାସ ନକରି, କାହାକୁ ଉପେକ୍ଷା ନକରି, ସାଥୀରେ ନେଇ ଆଗକୁ ବଢ଼ିଲେ ଦଳ ଉଠି ପାରିବ ବୋଲି ମୋକିମ୍ କହିଥିଲେ।

Related Posts