ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶାର ଆଦିବାସୀ ଅଞ୍ଚଳରେ ବଜ୍ରପାତଜନିତ ମୃତ୍ୟୁହାର ହ୍ରାସ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ମୃତ୍ୟୁହାର ହ୍ରାସ ପାଇଁ ଦାୟିତ୍ବ ଗ୍ରହଣ କରିଛି ବାଲେଶ୍ବରର ଫକୀରମୋହନ ବିଶ୍ବବିଦ୍ୟାଳୟ। ସମଗ୍ର ଭାରତରେ ବଜ୍ରପାତପ୍ରବଣ ଅଞ୍ଚଳ କୁହାଯାଉଥିବା ଉତ୍ତର ଓଡ଼ିଶାରେ କିପରି ବଜ୍ରପାତ ଜନିତ ମୃତ୍ୟୁହାର ହ୍ରାସ କରାଯାଇ ପାରିବ, ସେ ନେଇ ଗୁରୁବାର ଦିନ ଫକୀରମୋହନ ବିଶ୍ବବିଦ୍ୟାଳୟରେ ‘ବଜ୍ରପାତ ସୁରକ୍ଷିତ ଅଭିଯାନ’ ସମ୍ପର୍କିତ ଦୁଇଦିନିଆ ଜାତୀୟ କର୍ମଶାଳା ଆୟୋଜିତ ହୋଇଯାଇଛି।ବିଶ୍ବବିଦ୍ୟାଳୟର ଭୂଗୋଳ ବିଭାଗ, ସିଆରଓପିସି, ଆଇଏମ୍ଡି, ଏମ୍ଓଇଏସ୍ ଓ ଭାରତ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କର୍ମଶାଳାରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କର୍ମଶାଳାକୁ ଉଦ୍ଘାଟନ କରିଥିଲେ। ଫକୀରମୋହନ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ବଜ୍ରପାତଜନିତ ଏଭଳି କର୍ମଶାଳା ସମଗ୍ର ରାଜ୍ୟର ବିଶ୍ବବିଦ୍ୟାଳୟସ୍ତରରେ ପ୍ରଥମ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ନିଜ ବକ୍ତବ୍ୟରେ କହିଥିଲେ।
ବଜ୍ରପାତଜନିତ ମୃତ୍ୟୁରେ ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝର ରେଡ୍ ଜୋନରେ ରହିଛି। ଏହିସବୁ ଅଞ୍ଚଳରେ ସଚେତନତାର ଅଭାବରୁ ସଂଖ୍ୟାଧିକ ଲୋକଙ୍କର ମୃତ୍ୟୁ ହେଉଛି । ବିଜ୍ଞାନ ଏହାକୁ ରୋକିବାରେ ଆମକୁ ସାହାଯ୍ୟ କରିଛି, ତିନିଟି ଆପ୍ ଦାମିନୀ, ମେଘଦୂତ ଓ ସତର୍କ ଦ୍ୱାରା ଆମେ ୪୦ କିମି ପରିଧି ମଧ୍ୟରେ ବଜ୍ରପାତର ପୂର୍ବାନୁମାନ କରିପାରିବା ବୋଲି ଆଇଏମ୍ଡି ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର ଭିଡିଓ କନଫରେନସିଂ ଜରିଆରେ କହିଥିଲେ। ଆଗକୁ ଏଭଳି କର୍ମଶାଳା ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ, କେନ୍ଦୁଝର କଲେଜରେ କରିବା ପାଇଁ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସୂଚନା ଦେଇଥିଲେ।
ସିଆରଓପିସିର ଅଧ୍ୟକ୍ଷ ସଞ୍ଜୟ ଶ୍ରୀବାସ୍ତବ, ଆଇଏମ୍ଡିର ଡିଜି ଡ. କେ.ଜେ ରମେଶ, ସମାଜସେବୀ ପ୍ରଭାତ କୁମାର ବିଶ୍ବାଳ, ଡ. ସୋମା ସେନ୍ରଏ, ଉମାଶଙ୍କର ଦାସ, କେଏସ୍ଏନ୍ଡିଏସ୍ ପ୍ରତିଷ୍ଠାତା ଡ. ଭି. ଏସ୍ ପ୍ରକାଶ, ଆଇଏସ୍ସି ଅଧ୍ୟକ୍ଷ ଡା. ଜର୍ଜ ମ୍ୟାଥ୍ୟୁ, କମଳେଶ ସୁନ୍ଦର, ଡ.ଏମ୍. ସି ସାହୁ, ଡା. ରାକେଶ ଠାକୁର, କନିକା ବୋଷ, ସ୍ନାତକୋତ୍ତର ଅଧ୍ୟକ୍ଷ ମୁନେଶଚନ୍ଦ୍ର ଅଧିକାରୀ ପ୍ରମୁଖ ଏହି କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଶ୍ବବିଦ୍ୟାଳୟର ଅଧ୍ୟାପକ ମନୋରଞ୍ଜନ ମିଶ୍ର ଓ ନିହାର ରଞ୍ଜନ ରାଉତ କର୍ମଶାଳା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଡ. ରବିନାରାୟଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
