ଭୁବନେଶ୍ବର ( ସତ୍ୟପାଠ ବ୍ୟୁରୋ ): ସମଗ୍ର ଓଡ଼ିଶାରେ ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ଅର୍ଚ୍ଚନା ନାଗଙ୍କ ସମ୍ପର୍କରେ ପ୍ରତିଦିନ ନୂଆ ନୂଆ ତଥ୍ୟ ପ୍ରକାଶ ପାଉଛି। ତେବେ ଅର୍ଚ୍ଚନା ଗୋଟିଏ ସମୟରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ କଚୁଆଡ଼ି ବୈକୁଣ୍ଠନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନ ପଢୁଥିଲେ ବୋଲି ଏବେ ଜଣାପଡ଼ିଛି। ଜଳେଶ୍ୱରରେ ନିଜ ଶ୍ଵଶୁର ଘରେ ରହି ସ୍ବାମୀ ଜଗବନ୍ଧୁଙ୍କ ସହିତ ଉକ୍ତ କଲେଜକୁ ପାଠ ପଢ଼ିବାକୁ ଆସୁଥିଲେ ଅର୍ଚ୍ଚନା। କଲେଜ ରେଜିଷ୍ଟରରେ ଅର୍ଚ୍ଚନାଙ୍କ ବାପା, ମାଆଙ୍କ ନାମ, ଫଟୋ ଓ ଠିକଣା ମଧ୍ୟ ରହିଥିବା ଦେଖିବାକୁ ମିଳିଛି।
ତେବେ ମିଳିଥିବା ସୂଚନା ଅନୁସାରେ, ଭବାନୀପାଟଣାର ଅର୍ଚ୍ଚନା ନାଗ ବିବାହ କରିବା ପରେ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ସହିତ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବାଉଁଶବଣୀ ଗାଁରେ ଥିବା ନିଜ ଶ୍ବଶୁର ଘରେ ରହୁଥିଲେ। ୨୦୧୪ ମସିହା ଜୁଲାଇ ୧୨ ତାରିଖରେ ସେ ଭୋଗରାଇ ବ୍ଲକ କମର୍ଦ୍ଦା ଥାନା କଚୁଆଡ଼ି ବୈକୁଣ୍ଠନାଥ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନରେ ନାମ ଲେଖାଇଥିଲେ। କଲେଜର ଆଡ୍ମିସନ୍ ରେଜିଷ୍ଟରରେ ଅର୍ଚ୍ଚନାଙ୍କ ପିତାମାତାଙ୍କ ନାମ ସହିତ ଜନ୍ମ ତାରିଖ ୨୭ ଫେବ୍ରୁଆରି ୧୯୯୭, ଠିକଣା ସ୍ଥାନରେ ଗ୍ରାମ ବାଉଁଶବଣୀ, ପୋଷ୍ଟ କମାରଶାଳିଆ, ଥାନା ଜଳେଶ୍ୱର ବୋଲି ଉଲ୍ଲେଖ ରହିଛି। ୨୦୧୬ ମସିହାରେ ସେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇ ଦ୍ବିତୀୟ ଶ୍ରେଣୀରେ ପାସ୍ କରିଥିଲେ।
ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଅର୍ଚ୍ଚନା ଯେ ଏକଦା ତାଙ୍କ କଲେଜର ଛାତ୍ରୀ ଥିଲେ, ତାହା ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ଜାଣିବା ପରେ ଅଧ୍ୟକ୍ଷ ହରିପଦ ପରମାଣିକ ପ୍ରଥମେ ବିଶ୍ବାସ କରିନଥିଲେ। ପରେ ଆଡ଼ମିଶନ ରେଜିଷ୍ଟ୍ରାର ଖୋଲି ଦେଖିବା ପରେ ତାଙ୍କ ସନ୍ଦେହ ଦୁରୀଭୂତ ହୋଇଥିଲା। ଅଧ୍ୟକ୍ଷଙ୍କ ସୂଚନା ମୁତାବକ ଅର୍ଚ୍ଚନା ପ୍ରତିଦିନ ନିଜ ସ୍ବାମୀ ଜଗବନ୍ଧୁଙ୍କ ସହିତ କାରରେ କଲେଜ ଆସୁଥିଲେ। କ୍ଲାସ ଶେଷ ହେବା ପରେ ପୁଣି ସ୍ବାମୀଙ୍କ ସହିତ ଫେରି ଯାଉଥିଲେ । ପ୍ରାୟତଃ ସେ କଲେଜକୁ ନିୟମିତ ଆସୁଥିଲେ। ବିଜ୍ଞାନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ କହିବା ମୁତାବକ, ଅର୍ଚ୍ଚନା କଲେଜ ଏବଂ କ୍ଲାସକୁ ନିୟମିତ ଆସିବା ସହିତ ସ୍ୱଭାବରେ ମଧ୍ୟ ଶୃଙ୍ଖଳିତ ଥିଲେ । ଦୀର୍ଘ ୨ ବର୍ଷ ଧରି ନିୟମିତ କଲେଜ ଓ କ୍ଲାସରେ ଅତି ନିକଟରୁ ଦେଖିଥିବା ଜଣେ ଶାନ୍ତ,ସରଳ ଓ ନମ୍ର ସ୍ୱଭାବର ଝିଅ ଏପରି କେମିତି ହେଲା ତାହାକୁ ନେଇ କଲେଜ ଅଧ୍ୟକ୍ଷଙ୍କ ଠାରୁ ଆରମ୍ଭ କରି ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀମାନେ ତାଜୁବ ହୋଇଯାଇଛନ୍ତି।
ଅର୍ଚ୍ଚନା ଜାଲରେ ମୟୂରଭଞ୍ଜର ୮ ବଡ଼ବଡ଼ିଆ
ମୟୂରଭଞ୍ଜ ଜିଲ୍ଲାର ୮ ଜଣ ବଡ଼ବଡ଼ିଆ ନେତା ଓ ବ୍ୟବସାୟୀ ଅର୍ଚ୍ଚନାଙ୍କ ହନିଟ୍ରାପ୍ର ଶିକାର ହୋଇଥିବା ଜଣାପଡ଼ିଛି। ଏହି ୮ ଜଣଙ୍କ ମଧ୍ୟରୁ ୫ ଜଣ ରାଜନେତା, ୨ ଜଣ ବ୍ୟବସାୟୀ ଓ ଜଣେ ନୂଆ କାଉନସିଲର୍ ଅନ୍ତର୍ଭୁକ୍ତ। ରାଜ୍ୟ ଗୁଇନ୍ଦା ବିଭାଗ ନିର୍ଦ୍ଦେଶରେ ଏହି ୮ ଜଣଙ୍କ ଉପରେ ଏବେ ନଜର ରଖାଯାଇଛି। ନେତାଙ୍କ ମଧ୍ୟରେ ୨ ଜଣ ପୂର୍ବତନ ବିଧାୟକ, ଜଣେ ପୂର୍ବତନ ସାଂସଦ ରହିଥିବା ବେଳେ ବର୍ତ୍ତମାନର ୨ ଜଣ ବିଧାୟକ ଅଛନ୍ତି। ସେହିପରି ଅର୍ଚ୍ଚନା ଲିଙ୍କ୍ରେ ଆସିଥିବା ଜଣେ ବ୍ୟବସାୟୀ ମୟୂରଭଞ୍ଜରେ କମ୍ ରହନ୍ତି, ଆଉ ଭୁବନେଶ୍ବରରେ ବେଶି ସମୟ କାଟିଥାନ୍ତି। ଅନ୍ୟ ବ୍ୟବସାୟୀଜଣକ ମଝିରେ ମଝିରେ ଭୁବନେଶ୍ବର ଯାଇ ଅର୍ଚ୍ଚନାଙ୍କ ସହ ମିଳାମିଶା କରିଥାନ୍ତି ବୋଲି ଜଣାପଡ଼ିଛି। ଏ ସମସ୍ତଙ୍କୁ ନିଜ ମାୟାଜାଲରେ ପକାଇ ଅର୍ଚ୍ଚନା ବିପୁଳ ଅର୍ଥ ହାତେଇଥିବା କୁହାଯାଉଛି। ତେବେ ଗୁମର ଫିଟିବା ଆଶଙ୍କାରେ ଏମାନେ ସବୁ ଚୁପ୍ ଅଛନ୍ତି।
