ଥିରୁଅନନ୍ତପୁରମ: ଏୟାର ଆରବିୟାର ଏକ ବିମାନ ଏକ ବଡ ଅଘଟଣରୁ ବର୍ତ୍ତି ଯାଇଛି । ଗତ କିଛି ଦିନ ହେଲା ଅନେକ ସମୟରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଜନିତ ମାମଲା ସାମ୍ନାକୁ ଆସୁଥିବା ବେଳେ, ଶୁକ୍ରବାର ସନ୍ଧ୍ୟାରେ ଏକ ବଡ ଅଘଟଣ ଅଳ୍ପକେ ରହି ଯାଇଛି |

ବିମାନଟି ୟୁଏଇର ସାରଜାହରୁ କେରଳର କୋଚି ଆସୁଥିଲା । କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଅବତରଣ କରିବା ସମୟରେ ବିମାନର ହାଇଡ୍ରୋଲିକ ଅଚଳ ହୋଇଯାଇଥିଲା । ଯେଉଁ କାରଣରୁ ବିମାନଟି କୋଚିରେ ଜରୁରୀ ଅବତରଣ କରିଛି ।

ବିମାନରେ ୨୨୨ ଜଣ ଯାତ୍ରୀଙ୍କ ସମେତ ୭ ଜଣ କ୍ରୁ ସଦସ୍ୟ ଥିଲେ । ବିମାନର ହାଇଡ୍ରୋଲିକ ଅଚଳ ହେବା ଜଣାପଡିବା ପରେ ଏହାର ସୁରକ୍ଷିତ ଅବତରଣ ପ୍ରସ୍ତୁତି ପାଇଁ କୋଚି ବିମାନ ବନ୍ଦରରେ ପ୍ରାୟ ଦେଢ ଘଣ୍ଟା ସମ୍ପୂର୍ଣ୍ଣ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିଲା । ସମସ୍ତ ବିମାନର ଉଡାଣ ଓ ଅବତରଣକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା ଏବଂ ରନ ୱେକୁ ପୁରା ଖାଲି କରାଯାଇଥିଲା । ତେବେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଆରବ ଏୟାରଲାଇନ୍ସର ଏହି ବିମାନଟି କୋଚିରେ ସୁରକ୍ଷିତ ଅବତରଣ କରିଛି । ଏଥିରେ ଥିବା ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡିଛି । ଡିଜିସିଏ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।