ଋଷ ୟୁକ୍ରେନ ଉପରେ ଲଗାତାର ଭାବେ ଆକ୍ରମଣ ଜାରି ରଖିଥିବା ବେଳେ ଆମେରିକୀୟ ଉପଗ୍ରହ ଦ୍ୱାରା ଉତ୍ତୋଳନ କରାଯାଇଥିବା ଫଟୋ ଏକ ଭୟଙ୍କର ପରିଣାମ ଆଡକୁ ଇସାରା କରୁଛି । ପ୍ରାୟ ୬୪ କିଲୋମିଟର ଧରି ଲମ୍ବିଛି ରୁଷିଆ ସେନାର କାରକେଡ୍ । ଅର୍ଥାତ ସୈନିକ, ଗୋଳା ବାରୁଦ ଓ ଯୁଦ୍ଧାସ୍ତ୍ର ଧରି ଘେରିରହିଛି ରୁଷିଆ । ୟୁକ୍ରେନର ଛାତିରେ ଛନକା ଭରିଦେଲା ଭଳି ଚିତ୍ର ସାରାବିଶ୍ୱକୁ ବିସ୍ମିତ କରିଛି । ଯେକୌଣସି ସମୟରେ ୟୁକ୍ରେନ ରାଜଧାନୀ କିଭକୁ ସମ୍ପୂର୍ଣ୍ଣ କବଜା କରିନେଇପାରେ ଋଷିଆ । ସେପଟେ
ୟୁକ୍ରେନର ଯୁଦ୍ଧ ଆତଙ୍କ ଭିତରେ, କିଭରୁ ସମସ୍ତ ଭାରତୀୟ ଛାତ୍ରଛାତ୍ରୀ ଉଦ୍ଧାର କରଯାଇଛି । ଏନେଇ ସୂଚନା ଦେଇଛନ୍ତି ଭାରତର ବୈଦେଶିକ ସଚିବ ଏଚଭି ଶ୍ରିଙ୍ଗଲା । କହିଛନ୍ତି, ଉଦ୍ଧାର ହୋଇଥିବା ଛାତ୍ରଛାତ୍ରୀଙ୍କୁ ଭାରତ ଫେରାଇ ଆଣିବା ପାଇଁ ପଡୋଶୀ ଦେଶର ସୀମା ନିକଟକୁ ନିଆଯାଉଛି । ସ୍ୱତନ୍ତ୍ର ବିମାନ ସହାୟତାରେ ଖୁବ୍ ଶୀଘ୍ର ସେମାନଙ୍କୁ ସ୍ୱଦେଶକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି ।
ଏଥିସହ ୟୁକ୍ରେନରେ ମୃତ୍ୟୁବରଣ କରିଥିବା ଭାରତୀୟ ଛାତ୍ର ନବୀନଙ୍କ ମୃତ ଦେହକୁ ମଧ୍ୟ ଆଣିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି । ଋଷର ବୋମାମାଡରେ ଆଜି ଜଣେ ୟୁକ୍ରେନରେ ପାଠପଢ଼ୁଥିବା ଭାରତୀୟ ଛାତ୍ର ନବୀନଙ୍କର ମୃତ୍ୟୁ ହୋଇଛି ।
