ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ):ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଶନିବାର ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ସମସ୍ତ ଆଞ୍ଚଳିକ ଦଳକୁ ମ୍ୟାଚ ଫିକ୍ସିଂ ଦଳ ବୋଲି କହିଛନ୍ତି। ଏହା ସହିତ ସେ କହିଛନ୍ତି ଯେ, କେବଳ କଂଗ୍ରେସ ହିଁ ଭାଜପାର ସହ ମୁକାବିଲା କରିବାକୁ ସକ୍ଷମ। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଭାରତ ଯୋଡୋ ଯାତ୍ରା ପ୍ରସଙ୍ଗରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ଜୟରାମ ରମେଶ ଏଭଳି କହିଛନ୍ତି।
କେନ୍ଦ୍ର ତଥା ରାଜ୍ୟରେ ଉଭୟ ମୋଦି ଏବଂ ରାଓ ସରକାରଙ୍କୁ ଡବଲ ଇଞ୍ଜିନ ବୋଲି କହି କଂଗ୍ରେସ ନେତା କହିଛନ୍ତି ଯେ, ଏହି ଟ୍ରେନ ଭୁଲ ପଥରେ ଚାଲିଛି । ଭାରତ ଯୋଡା ଯାତ୍ରାର ଉଦ୍ଦେଶ୍ୟ ଏହାକୁ ସଠିକ ପଥକୁ ଫେରାଇ ଆଣିବା। ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ସମସ୍ତ ଆଞ୍ଚଳିକ ଦଳ ମ୍ୟାଚ ଫିକ୍ସିଂ ପାର୍ଟି। ସେମାନଙ୍କର ଭାଜପା ସହ ଭଲ ବୁଝାମଣା ରହିଛି। ସେହି ସମସ୍ତ ଦଳ ଇଡି, ଇନକମ ଟ୍ୟାକ୍ସ ଏବଂ ସିବିଆଇକୁ ଡରୁଛନ୍ତି। ତେଣୁ ଯଦି କୌଣସି ଦଳ ଭାଜପା ସହ ମୁକାବିଲା କରିବାକୁ ସକ୍ଷମ, ତେବେ ତାହା ହେଉଛି କଂଗ୍ରେସ। କୌଣସି ଆଞ୍ଚଳିକ ଦଳ ଏହି ମୁକାବିଲା କରି ପାରିବେ ନାହିଁ।
ରାହୁଲ ଗାନ୍ଧୀ ପଦଯାତ୍ରାରେ ଦଳିତ, ଆଦିବାସୀ, କୃଷକ, ଛାତ୍ର, ସରକାରୀ କ୍ଷେତ୍ରର କର୍ମଚାରୀ ଏବଂ ଟ୍ରେଡ ୟୁନିଅନର ନେତାଙ୍କ ସମେତ ବହୁ ସଂଖ୍ୟକ ଗୋଷ୍ଠୀଙ୍କୁ ଭେଟିଛନ୍ତି ଏବଂ ତାଙ୍କ କଥା ଶୁଣିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ନିର୍ବାଚନ ସହ ପଦଯାତ୍ରାର କୌଣସି ସମ୍ପର୍କ ନାହିଁ।
ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ତାମିଲନାଡୁର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଛି। ଏହି ଯାତ୍ରା କାଶ୍ମୀର ପର୍ଯ୍ୟନ୍ତ ଚାଲିବ। ବର୍ତ୍ତମାନ ସୁଦ୍ଧା ଏହି ଯାତ୍ରା ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଅତିକ୍ରମ କରି ବର୍ତ୍ତମାନ ତେଲେଙ୍ଗାନାର ପହଞ୍ଚିଛି।
