ସମସ୍ତ କଳ୍ପନା ଜଳ୍ପନାର ଅନ୍ତ: ୫ ରାଜ୍ୟରୁ ୪ ରାଜ୍ୟରେ କ୍ଷମତା ହାତେଇଲା ବିଜେପି, ଗୋଟିଏ ସିଟରେ ଆମ ଆଦମି ପାର୍ଟି

ସମସ୍ତ କଳ୍ପନା ଜଳ୍ପନାର ଘଟିଲା ଅନ୍ତ। ପ୍ରକାଶ ପାଇଲା ବହୁତର୍ଚ୍ଚିତ ୫ ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ। ଏକ୍ସିଜିଟ ପୋଲ ର ରିପୋର୍ଟ ଆଧାରରେ ଫଳାଫଳ ପ୍ରାୟ ସମାନ ରହିଛି । ମୋଟ ୫ ରାଜ୍ୟରୁ ୪ ରାଜ୍ୟରେ କ୍ଷମତା ହାତେଇବାରେ ସଫଳ ହୋଇଛି ଭାରତୀୟ ଜନତା ପାର୍ଟି । ଅନ୍ୟପଟେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି କେଜ୍ରିଓ୍ବାଲଙ୍କ ଆମ ଆଦମି ପାର୍ଟିର ପ୍ରଦର୍ଶନ । କଂଗ୍ରେସ୍ ର ସ୍ଥିତି ପୁରା ଜଟିଳ ରହିଛି । ମାଟି କାମୁଡ଼ିକି ପଡ଼ିଛି କଂଗ୍ରେସ ।

ପଞ୍ଜାବରେ ଶାସକ କଂଗ୍ରେସ ସମେତ ସମସ୍ତ ଦଳକୁ ପଛରେ ପକାଇ AAP ଏକକ ବହୁମତ ହାସଲ କରିବାରେ ସଫଳ ହୋଇଛି । ଅନ୍ୟ ୪ ରାଜ୍ୟ ଉତ୍ତରପ୍ରଦେଶ, ଗୋଆ, ଉତ୍ତାରାଖଣ୍ଡ ଓ ମଣିପରୁରେ ଭାରତୀୟ ଜନତା ପାର୍ଟି ଭଲ ପ୍ରଦର୍ଶନ କରିଥିବା ବେଳେ ମ୍ୟାଜିକ ନମ୍ବର ସହ ସରକାର ଗଢିବାକୁ ଯାଉଛି ।

ତେବେ ଜାଣନ୍ତୁ କେଉଁ ରାଜ୍ୟରେ କେତେ ସିଟ କିଏ ହାସଲ କରିଛି

ଉତ୍ତର ପ୍ରଦେଶ:-

ଉତ୍ତର ପ୍ରଦେଶରେ ବାଜିମାତ କରିଛି ବିଜେପି । ମୋଟ ୪୦୩ ଆସନ ମଧ୍ୟରୁ ଶେଷ ଖବର ସୁଦ୍ଧା ୨୬୮ ଆସନ ଜିତି ମ୍ୟାଜିକ ନମ୍ବର ଅତିକ୍ରମ କରିଛି ଦଳ । ଏବେ ମଧ୍ୟ ୬ ଆସନରେ ଫଳାଫଳ ସ୍ପଷ୍ଟ ହୋଇନଥିବା ବେଳେ ସେଥିରେ ମଧ୍ୟ ଆଗରେ ରହିଛି ବିଜେପି । ସେହିପରି ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ସମାଜବାଦୀ ପାର୍ଟି ମାତ୍ର ୧୧୮ ଟି ଆସନ ହାତେଇବାରେ ସଫଳ ହୋଇଛି । ସେହିପରି ମାୟାବତୀଙ୍କ ବିଏସପି ଗୋଟିଏ, କଂଗ୍ରେସ ୨ ଓ ଅନ୍ୟାନ୍ୟ ଦଳ ମାତ୍ର ୨ଟି ଆସନରେ ଜିତିବାରେ ସଫଳ ହୋଇଛନ୍ତି । ଏପରି ସ୍ଥଳେ ବିଜେପିର ଏକକ ସଂଖ୍ୟା ଗରିଷ୍ଠ ସରକାର ଗଠନ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।ଗୋରଖପୁର ଆସନରୁ ପ୍ରତିଦ୍ବନ୍ଦିତା କରୁଥିବା ଯୋଗୀ ଆଦିତ୍ୟନାଥ ସପା ପ୍ରାର୍ଥୀ ଶୁଭାବତୀ ଶୁକ୍ଳାଙ୍କୁ ବିପୁଳ ବ୍ୟବଧାନରେ ହରାଇଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ମୋଟ ୧ ଲକ୍ଷ ୨ ହଜାର ୩୯୯ ଖଣ୍ଡ ଭୋଟରେ ଜିତି ଗୋରଖପୁର ଆସନ ଦଖଲ କରିଛନ୍ତି । ଯୋଗୀଙ୍କ ବିପକ୍ଷରେ ପୂର୍ବତନ ବିଜେପି ନେତା ଉପେନ୍ଦ୍ର ଦତ୍ତ ଶୁକ୍ଲାଙ୍କ ପତ୍ନୀ ଶୁଭାବତୀ ଶୁକ୍ଲା, ଆଜାଦ ସମାଜ ପାର୍ଟିରୁ ଚନ୍ଦ୍ରଶେଖର, ବିଏସପିରୁ ଖ୍ବାଜା ଶାମସୁଦ୍ଦିନ ଏବଂ କଂଗ୍ରେସ ପ୍ରାର୍ଥୀ ଚେତନା ପାଣ୍ଡେ ପ୍ରତିଦ୍ବନ୍ଦିତା କରୁଥିଲେ ।

ପଞ୍ଜାବ:-ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ପଞ୍ଜାବରେ AAPର ସୁନାମି । ଶାସକ କଂଗ୍ରେସ, ବିଜେପି ମେଣ୍ଟକୁ ମାତ ଦେଇ ଏକକ ବହୁମତ ହାସଲ କରିଛି ଅରବିନ୍ଦ କେଜ୍ରିଓ୍ବାଲଙ୍କ ଆମ ଆଦମି ପାର୍ଟି (AAP) । ଦଳ ୯୨ ଟି ଆସନରେ ଜିତି ପ୍ରଚଣ୍ଡ ବହୁମତ ହାସଲ କରିଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷିତ ହୋଇଥିବା ଭଗବନ୍ତ ମାନ ଆଗାମି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନ ପକ୍କା କରିଛନ୍ତି ।

ସେହିପରି ପଞ୍ଜାବରେ ବିଜେପି ମାତ୍ର ୨ଟି ଆସନ, ଶାସନରେ ଥିବା କଂଗ୍ରେସ ୧୮, ଶିରୋମଣୀ ଅକାଳୀ ଦଳ ମାତ୍ର ୪ ଆସନ ଜିତିବାରେ ସଫଳ ହୋଇଛନ୍ତି । ଦଳକୁ ଏପରି ଐତିହାସିକ ବିଜୟ ପାଇଁ ପଞ୍ଜାବବାସୀଙ୍କୁ ଧନ୍ୟବାଦ ଦେବା ସହ ଏହା ବିକାଶର ଏକ ନୂଆ ଧାରା ବୋଲି କହିଛନ୍ତି ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ।ଉତ୍ତରଖଣ୍ଡ:-

ଉତ୍ତରାଖଣ୍ଡରେ ବିଜେପି ଏକଜିଟ ପୋଲର ପୂର୍ବାନୂମାନକୁ ଭୁଲ ପ୍ରମାଣିତ କରି ଏକକ ବହୁମତରେ ସରକାର କରିବାକୁ ଯାଉଛି । ଝୁଲା ସରକାର ହେବା ନେଇ ପୂର୍ବରୁ ଏକାଧିକ ସଂସ୍ଥା କହି ସାରିଥିବାବେଳେ ମସସ୍ତ ଆକଳନକୁ ଭୁଲ ପ୍ରାମାଣିତ କରି ୪୭ ଆସନ ଜିତି କ୍ଷମତାକୁ ଫେରିବା ସ୍ପଷ୍ଟ କରିଛି ବିଜେପି । ସେହିପରି ମୁଖ୍ୟ ପ୍ରତିଦ୍ବନ୍ଦୀ ଭାବେ କଂଗ୍ରେସ ୧୯ ଓ ଅନ୍ୟ ଦଳ ୪ଟି ଆସନରେ ବିଜୟ ଲାଭ କରିଛନ୍ତି । ଆପ ଉତ୍ତରାଖଣ୍ଡରେ ଖାତା ଖୋଲିପାରିନାହିଁ ।ଦଳ ସରକାର ଗଢିବାକୁ ଅଣ୍ଟା ଭିଢୁଥିବା ବେଳେ ନିର୍ବାଚନରେ ପରାଧୀନ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ପୁଷ୍କର ସିଂ ଧାମି ଖତିମା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭୁବନ ଚନ୍ଦ୍ର କାପିଡଙ୍କ ଠାରୁ ପ୍ରାୟ 7 ହଜାର ଭୋଟରେ ନିର୍ବାଚନରେ ​​ହାରିଥିବା ସୂଚନା ମିଳିଛି । ପୁଷ୍କର ସିଂ ଧାମିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦଳ ପ୍ରୋଜେକ୍ଟ କରିବାକୁ ଥିବା ବେଳେ ଏପରି ପରାଜୟ ଦଳକୁ ଆଶ୍ଚର୍ଯ୍ୟଚକିତ କରିଛି ।

ମଣିପୁର:-ମଣିପୁରରେ ମଧ୍ୟ ସରକାର ଗଠନ କରିବାକୁ ଯାଉଛି ବିଜେପି । ମୋଟ ୬୦ ଆସନ ମଧ୍ୟରୁ ୩୨ ଆସନ ବିଜେପି ଜିତି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ସେଠାରେ ଏନପିପି ୮ଟି ଆସନ ଓ କଂଗ୍ରେସ ମାତ୍ର ୪ଟି ଓ ଅନ୍ୟାନ୍ୟ ଦଳ ୧୦ଟି ଆସନ ଜିତିବାରେ ସଫଳ ହୋଇଛନ୍ତି । ଏପରି ସ୍ଥଳେ ଉତ୍ତର ପୂର୍ବରେ ବିଜେପିର କ୍ଷମତା ବଜାୟ ରଖିବା କଷ୍ଟସାଧ୍ୟ ବୋଲି ବିଚାର କରାଯାଉଥିବା ବେଳେ ସମସ୍ତ ଆକଳନକୁ ଭୁଲ ପ୍ରମାଣିତ କରି ସରକାର ଗଠନ କରିବା ନିଶ୍ଚିତ କରିଛି ବିଜେପି ।

ଗୋଆ:-ଗୋଆରେ ବିଜେପି ସରକାର ଥିବାବେଳେ ଏବେ ମଧ୍ୟ ସେଠାରେ କ୍ଷମତା ବଜାୟ ରଖିବ । ମୋଟ ୪୦ ଆସନ ବିଶିଷ୍ଟ ଗୋଆରେ ୨୦ ଆସନ ଜିତି ସର୍ବବୃହତ ଦଳ ଭାବେ ଉଭା ହୋଇଛି ବିଜେପି । ସେହିପରି ମୁଖ୍ୟ ପ୍ରତିଦ୍ବନ୍ଦୀ କଂଗ୍ରେସ ମାତ୍ର ୧୨ ଆସନ ଜିିତି ଦ୍ବିତୀୟ ଦଳ ଭାବେ ସ୍ଥାନ ପକ୍କା କରିଛି । ତୃଣମୂଳ କଂଗ୍ରେସ ୨ ଓ ଆମ ଆଦମି ପାର୍ଟି ମଧ୍ୟ ୨ ଆସନ ଜିତିଛନ୍ତି ।

Related Posts