ଦିଲ୍ଲୀ ଏମସିଡି ନିର୍ବାଚନରେ ଆପ୍ ଟଙ୍କା ନେଇ ଟିକେଟ ବାଣ୍ଟୁଥିବା ଅଭିଯୋଗ; ବିଧାୟକଙ୍କ ପିଏ ସମେତ ୩ ଗିରଫ, ୩୩ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପାଖେଇ ଆସିଲାଣି ଦିଲ୍ଲୀ ମହାନଗର ନିଗମ (ଏମସିଡି) ନିର୍ବାଚନ। ଏଥିପାଇଁ ସବୁ ଦଳର ନେତାଙ୍କ ମଧ୍ୟରେ ଜୋର୍‌ସୋର୍‌ରେ ଆରମ୍ଭ ହୋଇଯାଇଛି କସରତ। ଏଠାରେ ମୁଖ୍ୟତଃ ବିଜେପି ଓ ଆମ ଆଦମୀ ପାର୍ଟ ମଧ୍ୟରେ ଲଢେ଼ଇ ହେଉଥିବା ବେଳେ ଉଭୟ ଦଳରେ ଟିକେଟ୍ ବଣ୍ଟାକୁ ନେଇ ଚାଲିଛି ଟଣା ଓଟଣା। ଏହାରି ଭିତରେ ଆମ୍ ଆଦମୀ ପାର୍ଟିର ବଢ଼ିଛି ନୂଆ ଅଡୁଆ। ଆପ୍ ବିଧାୟକ ଟଙ୍କା ଦିଅ, ଟିକେଟ୍ ନିଅ ନୀତି ଆପଣାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଜଣେ ଆପ ବିଧାୟକଙ୍କ ପିଏ ସମେତ ୩ ଜଣଙ୍କୁ ପୁଲିସ ଗିରଫ କରିଛି। ଏଥିସହ ସେମାନଙ୍କ ନିକଟରୁ ୩୩ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି।

ସୂଚନା ମୁତାବକ, ଆପ୍ ବିଧାୟକ ଅଖିଲେଶ ପତି ତ୍ରିପାଠୀ ଏମ୍‌ସିଡି ନିର୍ବାଚନ ପାଇଁ ଟିକେଟ୍ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ଏମସିଡିର କମଲା ନଗର ୱାର୍ଡ ନମ୍ବର-୬୯ରେ ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତା ଶୋଭା ଖାରି ଏମ୍‌ସିଡି ନିର୍ବାଚନ ପାଇଁ ଦଳକୁ ଟିକେଟ୍ ମାଗିଥିଲେ। ତେବେ ବିଧାୟକ ଅଖିଳେଶ ପତି ଟିକେଟ୍ ବଦଳରେ ତାଙ୍କୁ ୯୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ସେ ଅଭିଯୋଗ ଆଣିଛନ୍ତି।

ଅଭିଯୋଗକାରୀଙ୍କ କହିବା ମୁତାବକ, ସେ ୩୫ ଲକ୍ଷ ଟଙ୍କା ଅଖିଳେଶ ପତି ତ୍ରିପାଠୀ ଓ ୨୦ ଲକ୍ଷ ଟଙ୍କା ବଜିରପୁରର ବିଧାୟକ ରାଜେଶ ଗୁପ୍ତାଙ୍କୁ ଲାଞ୍ଚ ରୂପେ ଦେଇଥିଲେ। ଟିକେଟ୍ ମିଳିବା ପରେ ଆଉ ୩୫ ଲକ୍ଷ ଟଙ୍କା ଦେବା ବାକିଥିଲା। ତେବେ ଲାଞ୍ଚ ଦେବା ପରେ ମଧ୍ୟ ଶୋଭାଙ୍କୁ ଟିକେଟ୍ ମିଳି ନଥିଲା। ଏନେଇ ସେ ବିଧାୟକ ଅଖିଳେଶଙ୍କ ଶଳା ଓମ୍ ସିଂହଙ୍କୁ ଅଭିଯୋଗ କରିଥିଲେ। ଏଥିରୁ ମଧ୍ୟ କିଛି ସୁଫଳ ମିଳିନଥିଲା।

ଏହା ପରେ ଶୋଭା ଆଣ୍ଟି କରପସନ୍ ବ୍ୟୁରୋରେ ଅଭିଯୋଗ କରିଥିଲେ। ଏହାପରେ ଏସିବି ଗତକାଲି ଚଢ଼ାଉ କରି ବିଧାୟକଙ୍କ ଶାଳକ ଓମ୍ ସିଂହ, ପିଏ ଶିବ ଶଙ୍କର ପାଣ୍ଡେ ଓରଫ୍ ବିଶାଲ ପାଣ୍ଡେ ଓ ପ୍ରିନ୍ସ ରଘୁବଂଶୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଲାଞ୍ଚ ବାବଦକୁ ମିଳିଥିବା ୩୩ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି।

Related Posts