ବିଚାରାଧୀନ ମାମଲାକୁ ନେଇ ଓଡ଼ିଶା ଦ୍ଵିତୀୟ: ବର୍ତ୍ତମାନ ଓ ପୂର୍ବତନ ସାଂସଦ ଏବଂ ବିଧାୟକଙ୍କ ନାଁରେ ୪୫୪ଟି ଫୌଜଦାରୀ ମାମଲା ବିଚାରାଧୀନ

ନୂଆଦିଲ୍ଲୀ: ମହାରାଷ୍ଟ୍ର ପରେ ବିଚାରାଧୀନ ମାମଲାକୁ ନେଇ ଭାରତର ଦ୍ଵିତୀୟ ସ୍ଥାନରେ ରହିଛି ଓଡ଼ିଶା । ବର୍ତ୍ତମାନ ଓ ପୂର୍ବତନ ସାଂସଦ ଏବଂ ବିଧାୟକଙ୍କ ନାମରେ ୪୫୪ଟି ଫୌଜଦାରୀ ମାମଲା ବିଚାରାଧୀନ ରହିଛି। ସର୍ବାଧିକ ୪୮୨ଟି ମାମଲା ସହ ମହାରାଷ୍ଟ୍ର ଦେଶରେ ପ୍ରଥମ ସ୍ଥାନରେ ରହିଛି।

ଦେଶରେ ୫ ବର୍ଷରୁ ଅଧିକ ସମୟ ଧରି ୯୬୨ଟି ମାମଲା ବିଚାରଧୀନ ଥିବାବେଳେ ଏଥିରେ ଓଡ଼ିଶାର ସର୍ବାଧିକ ୩୨୩ଟି ମାମଲା ରହିଛି। ଚଳିତ ମାସ ୧୨ ସୁଦ୍ଧା ଦେଶର ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ବିଚାରାଧୀନ ଫୌଜଦ‌ାରୀ ମାମଲା ସଂପର୍କରେ ହାଇକୋର୍ଟମାନଙ୍କରୁ ଉପଲବ୍ଧ ତଥ୍ୟ ଆଧାରରେ ଆମିକସ କ୍ୟୁରି ବିଜୟ ହଂସାରିଆ ସୁପ୍ରିମ କୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି। ରିପୋର୍ଟରେ ଏହି ତଥ୍ୟ ରହିଛି।

ଆସିକସ କ୍ୟୁରିଙ୍କ ରିପୋର୍ଟ ତଥା ସତ୍ୟପାଠ ଅନୁସାରେ ଚଳିତ ମାସ ୧୨ ସୁଦ୍ଧା ଓଡ଼ିଶା ସମେତ ୨୬ଟି ରାଜ୍ୟର ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ମୋଟ ୩୦୬୯ଟି ଫୌଜଦାରୀ ମାମଲା ବିଚାରାଧୀନ ରହିଛି। ବିଚାରାଧୀନ ରହିଥିବା ମାମଲାଗୁଡ଼ିକର ଫଇସଲା ପାଇଁ କ’ଣ ସବୁ ପଦକ୍ଷେପ ହାଇକୋର୍ଟମାନଙ୍କ ଦ୍ବାରା ନିଆଯାଉଛି ସେ ସଂପର୍କରେ ଓଡ଼ିଶା ହାଇକୋର୍ଟରୁ ପ୍ରାପ୍ତ ସୂଚନାକୁ ଆମିକସ୍‌ କ୍ୟୁରି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଓଡ଼ିଶା ସମ୍ପର୍କରେ ଏଥିରେ କୁହାଯାଇଛି ଯେ ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ବିଚାରାଧୀନ ମାମଲାରେ ସମନ ଜାରି କରାଯାଉଛି। ସମନଗୁଡ଼ିକୁ ପୋଲିସ ଷ୍ଟେସନମାନଙ୍କରୁ ଓ ରେଜିଷ୍ଟ୍ରି ଚିଠି ଜରିଆରେ ପଠାଯାଇଛି। ତଦନ୍ତକାରୀ ଅଧିକାରୀଙ୍କୁ ରିପୋର୍ଟ ଶୀଘ୍ର ଦାଖଲ କରିବା ପାଇଁ କୁହାଯାଉଛି ଓ ପୁରୁଣା ମାମଲାଗୁଡ଼ିକର ଶୁଣାଣି ଖୁବ କମ ମୁଲତବୀ କରାଯାଉଛି। ଓଡ଼ିଶାର ବିଭିନ୍ନ ଭାଗରେ ୧୪ଟି ସ୍ବତନ୍ତ୍ର କୋର୍ଟ ରହିଥିବା ସତ୍ୟପାଠରେ କୁହାଯାଇଛି।

ସୁପ୍ରିମକୋର୍ଟଙ୍କ ଗତ ମାସ ନିର୍ଦ୍ଦେଶ ଆଧାରରେ ଆମିକସ କ୍ୟୁରିଙ୍କ ଦ୍ବାରା ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ବିଚାରାଧୀନ ମାମଲା ସଂପର୍କରେ ସତ୍ୟପାଠ ଦାଖଲ କରାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏକାଧିକ ନିର୍ଦ୍ଦେଶ ସତ୍ତ୍ବେ ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ୫ ବର୍ଷରୁ ଅଧିକ ସମୟ ଧରି ଫୌଜଦାରୀ ମାମଲା ବିଚାରାଧୀନ ଥିବା ସତ୍ୟପାଠରେ ଦର୍ଶାଯାଇଛି। ବିଚାରାଧୀନ ମାମଲାଗୁଡ଼ିକର ତ୍ବରିତ ଶୁଣାଣି ପାଇଁ ଆମିକସ କ୍ୟୁରିଙ୍କ ଦ୍ବାରା ୧୧ଟି ସୁପାରିସ ମଧ୍ୟ କରାଯାଇଛି। ଅଭିଯୁକ୍ତଙ୍କ ଦ୍ବାରା ପ୍ରକ୍ରିୟାକୁ ବିଳମ୍ବ କରାଯିବା ପ୍ରୟାସ କରାଗଲେ ତାଙ୍କ ଜାମିନକୁ ବାତିଲ କରିବା, ସ୍ବତନ୍ତ୍ର କୋର୍ଟରେ ଦୁଇଜଣ ସ୍ବତନ୍ତ୍ର ପିପି ନିଯୁକ୍ତ କରିବା ପାଇଁ ସୁପାରିସ କରାଯାଇଛି। ଦେଶର ୨୫ଟି ହାଇକୋର୍ଟ ମଧ୍ୟରୁ ୧୬ଟି ହାଇକୋର୍ଟରେ ବିଚାରାଧୀନ ମାମଲା ସଂପର୍କରେ ଆମିକସ କ୍ୟୁରି ରିପୋର୍ଟ ଦାଖଲ କରିଥିବା ବେଳେ ୯ଟି ହାଇକୋର୍ଟର ରିପୋର୍ଟ ଦାଖଲ କରାଯାଇ ନାହିଁ ।

Related Posts