‘କୌଣସି ପରିସ୍ଥିତିରେ ବି ପରମାଣୁ ଅସ୍ତ୍ର ବ୍ୟବହାର କରିବା ଉଚିତ ନୁହେଁ’: ଋଷ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ କଥାହେଲେ ରାଜନାଥ ସିଂହ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଋଷ ଏବଂ ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ବଡ ବୟାନ ଦେଇଛି ଭାରତ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଋଷକୁ ଚେତାବନୀ ଦେଇଛନ୍ତି । ପ୍ରତିପକ୍ଷ ଋଷ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ରାଜନାଥ ସିଂହ। କହିଛନ୍ତି, ‘କୌଣସି ପରିସ୍ଥିତିରେ ମଧ୍ୟ ପରମାଣୁ ଅସ୍ତ୍ର ପ୍ରୟୋଗ ହେବା ଉଚିତ ନୁହେଁ ।ଋଷ କିମ୍ବା ୟୁକ୍ରେନ୍‌ ଉଭୟ ପକ୍ଷ ମଧ୍ୟରୁ କେହି ବି ପରମାଣୁ ଅସ୍ତ୍ର ପ୍ରୟୋଗ କରିବା ଠିକ୍‌ ହେବନି । କୂଟନୀତି ଏବଂ କଥାବାର୍ତ୍ତା ମାଧ୍ୟମରେ ବିବାଦର ସମାଧାନ ହୋଇପାରିବ’।

ଋଷ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ରାଜନାଥ ସିଂହ କହିଛନ୍ତି, ‘ପରମାଣୁ ଅସ୍ତ୍ର ପ୍ରୟୋଗ କରିବା ଅମାନବୀୟ । ଏହା କେବେ ବି ମଣିଷ ସମାଜର ହିତସାଧନ କରିପାରିବ ନାହିଁ । ଉଭୟ ପକ୍ଷରୁ କେହି ବି କୌଣସି ପରମାଣୁ ଅସ୍ତ୍ର କିମ୍ବା ରେଡିଓଲୋଜିକାଲ୍‌ ଅସ୍ତ୍ର ବ୍ୟବହାର କରିବା ଉଚିତ ହେବନି’। ଏଭଳି ପ୍ରତିକ୍ରିୟା ଏପରି ସମୟରେ ଦିଆଯାଇଛି ଯେତେବେଳେକି କି ୟୁକ୍ରେନ ସ୍ଥିତ ଭାରତୀୟ ଦୂତାବାସ ସେଠାରେ ରହୁଥିବା ଭାରତୀୟଙ୍କୁ ତୁରନ୍ତ ନିଜ ଦେଶକୁ ଫେରି ଆସିବା ପାଇଁ କହିଛି । ସମ୍ଭବତଃ ଆଗକୁ ସ୍ଥିତି ଆହୁରି ଭୟଙ୍କର ହୋଇପାରେ । ଏପରିକି ୟୁକ୍ରେନ୍‌ ଉପରେ ଋଷ ବଡ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଥାଇପାରେ । ଯାହାକୁ ନେଇ ଭାରତୀୟ ଦୂତାବାସ ସଜାଗ ହୋଇଯାଇଛି ଏବଂ ୟୁକ୍ରେନରେ ରହୁଥିବା ଶରଣାର୍ଥୀଙ୍କୁ ତୁରନ୍ତ ଭାରତ ଫେରିବାକୁ କୁହାଯାଉଛି ।

ମସ୍କୋ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଋଷ ଉପରେ ‘ଡାର୍ଟି ବମ୍’ (ସମ୍ଭବତ କୌଣସି ପରମାଣୁ ଅସ୍ତ୍ର) ବ୍ୟବହାର କରିବାକୁ ପ୍ରସ୍ତୁତି ଚଳାଇଛି ୟୁକ୍ରେନ । ଏ ନେଇ ଋଷ ଗୁଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି । ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର ଜେଲେଂସ୍କି ରେଡିଓଆକ୍ଟିଭ୍‌ ଡାର୍ଟି ବମ୍‌ ପକାଇବାକୁ ଯାଉଥିବା ଋଷ ଗୁଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି । ଏହା ସହିତ ଋଷ ଉପରେ ୟୁକ୍ରେନର ଏହା ସବୁଠୁ ବଡ ଏବଂ ଶେଷ ଆକ୍ରମଣ ହେବ ବୋଲି କୁହାଯାଉଛି । ଆଉ ଏଥିରେ ସହଯୋଗ କରୁଛନ୍ତି ଦକ୍ଷିଣାଞ୍ଚଳ ଦେଶ । ତେବେ ଏଭଳି ସୂଚନା ମିଳିବା ପରେ ତୁରନ୍ତ ପ୍ରତିକ୍ରିୟା ରଖିଛି ଭାରତ ।

ଅନ୍ୟପଟେ ଋଷର ଏଭଳି ଅଭିଯୋଗକୁ ଦୃଢ ଭାବେ ଖଣ୍ଡନ କରିଛି ୟୁକ୍ରେନ୍‌ । ଋଷ କେବଳ ଆକ୍ରମଣକୁ ଆହୁରି ଭୟଙ୍କର ଏବଂ ଗତିଶୀଳ କରିବାକୁ ଏଭଳି ହୀନ ଚକ୍ରାନ୍ତ କରିଥିବା କହିଛି ୟୁକ୍ରେନ୍‌ । ବରଂ କ୍ରେମଲିନ୍‌ ୟୁକ୍ରେନ ଉପରେ ଡାର୍ଟି ବମ୍‌ ପକାଇବାକୁ ଚାହୁଁଥିଲା ପାଲଟା ଅଭିଯୋଗ କରିଛି ୟୁକ୍ରେନ୍‌ ବିଦେଶ ମନ୍ତ୍ରାଳୟ ।

Related Posts