ପୋଲାଭରମ ପ୍ରକଳ୍ପରେ ପରିବେଶ ମଞ୍ଜୁରୀ ଉଲ୍ଲଂଘନ ଅଭିଯୋଗ; କେନ୍ଦ୍ର ଓ ତିନି ରାଜ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ଭୁବନେଶ୍ଵର,୨୯/୧୨(ସତ୍ୟପାଠ ବ୍ୟୁରୋ): ପୋଲାଭରମ ପ୍ରକଳ୍ପକୁ ଦିଆଯାଇଥିବା ପରିବେଶ ମଞ୍ଜୁରୀରେ କଥିତ ଉଲ୍ଲଂଘନ ଅଭିଯୋଗ ନେଇ ଦାଖଲ ଯାଚିକା ଉପରେ କେନ୍ଦ୍ର ଏବଂ ଅନ୍ୟ ୩ ରାଜ୍ୟଙ୍କୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ସଞ୍ଜୀବ ଖନ୍ନା ଏବଂ ନ୍ୟାୟମୂର୍ତ୍ତି ଏମଏମ ସୁନ୍ଦରେଶଙ୍କ ଖଣ୍ଡପୀଠ କେନ୍ଦ୍ର ସରକାର, ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।ଖଣ୍ଡପୀଠ କହିଛନ୍ତି ଯେ ୨୦୨୩ ଫେବ୍ରୁଆରୀ ସୁଦ୍ଧା ନୋଟିସକୁ ଫେରାଯାଇ ପାରିବ।

ଏନଜିଟିର ଏକ ଆଦେଶକୁ ବିରୋଧ କରି ଅର୍ଥଶାସ୍ତ୍ରୀ ପେନ୍ତାପତି ପୁଲ୍ଲାରାଓଙ୍କ ଦ୍ୱାରା ଦାଖଲ କରାଯାଇଥିବା ଯାଚିକା ଉପର ସର୍ବୋଚ୍ଚ ଅଦାଲତ ଶୁଣାଣି କରିଥିଲେ । ନିଜ ଯାଚିକା ସହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ପାଇଁ ଏନଜିଟି ପୁଲ୍ଲାରାଓଙ୍କୁ କହିଥିଲା । ତେବେ ଯଚିକାରେ ଅଭିଯୋଗ କରାଯାଇଥିଲା ଯେ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରାଳୟ, ଜଳ ଶକ୍ତି ମନ୍ତ୍ରାଳୟ, ଆନ୍ଧ୍ର ପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ପୋଲାଭୋରମ ପରିଯୋଜନା ପ୍ରାଧିକରଣର ମିଳିତ ରିପୋର୍ଟ ଉପରେ ବିଚାର ନ କରି ଏନଜିଟି ମାମଲାକୁ ବନ୍ଦ କରିଥିଲା । ଆବେଦନକାରୀ କହିଥିଲେ ଯେ ଉଲ୍ଲଂଘନ ସହ ଜଡିତ ଅଭିଯୋଗ ପରିବେଶର ଉଲ୍ଲଂଘନ ଏବଂ ପ୍ରକଳ୍ପ ଅଧିକାରୀଙ୍କ ଦ୍ୱାରା ପରିବେଶ ମଞ୍ଜୁରୀ ପାଇଁ ଥିବା ସର୍ତ୍ତ ଲାଗୁ ନ କରିବା ସହ ଜଡିତ ଅଟେ । ପୁଲ୍ଲାରାଓ ଅଭିଯୋଗ କରିଛନ୍ତି ଯେ ପ୍ରକଳ୍ପ ନିର୍ମାଣ ସ୍ଥାନରେ ନିୟମର ଉଲ୍ଲଂଘନ ହେଉଛି ଏବଂ ବିପୁଳ ପରିମାଣର ବଜ୍ୟବସ୍ତୁ ଗୁଡିକୁ ଚାଷ ଜମିରେ ପକାଯାଉଛି ।

ଉଲ୍ଲେଖଯୋଗ୍ୟ ଯେ, ଗୋଦାବରୀ ନଦୀରେ ପୋଲାଭରମ ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି । ବୁଧବାର ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମହୋନ ରେଡ୍ଡୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଏହି ପ୍ରକଳ୍ପ ବିଷୟରେ ଆଲୋଚନା କରିବା ସହିତ ୧୦,୪୮୫.୩୮ କୋଟି ଟଙ୍କାର ଅର୍ଥ ଆବଣ୍ଟନ ପାଇଁ ଦାବି କରିଥିଲେ ।

Related Posts