
ଭୁବନେଶ୍ଵର,୨୯/୧୨(ସତ୍ୟପାଠ ବ୍ୟୁରୋ): ନିର୍ବାଚନୀ ଟ୍ରଷ୍ଟ ବଣ୍ଡ୍ ମାଧ୍ୟମରେ ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ସର୍ବାଧିକ ୩୫୧କୋଟି ୫୦ଲକ୍ଷ ଟଙ୍କାର ଚାନ୍ଦା ମିଳିଛି । ତେବେ ଦେଶର ସମସ୍ତ ରାଜନୈତିକ ଦଳ ଏହି ଟ୍ରଷ୍ଟ ବଣ୍ଡ୍ ମାଧ୍ୟମରେ ମୋଟ ଯେତେ ଚାନ୍ଦା ପାଇଛନ୍ତି ବିଜେପି ଏକାକୀ ଏହାର ୭୨.୧୭ ପ୍ରତିଶତ ଚାନ୍ଦା ପାଇଥିବା ଜଣାପଡିଛି ।
ସେହିଭଳି ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରୁଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟ ବିଜେପିକୁ ଏକାକୀ ୨୦୯ କୋଟି ଟଙ୍କାର ଚାନ୍ଦା ଦେଇଥିବାବେଳେ ଗତ ଆର୍ଥିକ ବର୍ଷରେ ଏହି ଟ୍ରଷ୍ଟ ବିଜେପିକୁ ୩୩୬କୋଟି ୫୦ଲକ୍ଷ ଟଙ୍କା ଚାନ୍ଦା ଦେଇଥିଲା । ସେହିଭଳି ଏ ବି ଜେନେରାଲ ଇଲକ୍ଟୋରାଲ ଟ୍ରଷ୍ଟ ଗତ ଆର୍ଥିକ ବର୍ଷରେ ବିଜେପିକୁ ଆଉ ୧୦କୋଟି ଟଙ୍କା ଦାନ ଦେଇଛି ।
ତେବେ ସ୍ମଲ ଡୋନେସନ୍ସ ଇଲେକ୍ଟୋରାଲ ଟ୍ରଷ୍ଟ ଭାରତୀୟ ଜାତୀୟ କଂଗ୍ରେସକୁ କୋଟିଏ ୯୩ଲକ୍ଷ ଟଙ୍କା ଦେଇଥିବାବେଳେ ପ୍ରୁଡେଣ୍ଟ ଇଲେକ୍ଟୋରାଲ ୯ଟି ରାଜନୈତିକ ଦଳକୁ ମଧ୍ୟ ପାଣ୍ଠି ଯୋଗାଇଛି । ଏହି ଦଳଗୁଡିକ ମଧ୍ୟରେ ବିଜେପି, କଂଗ୍ରେସ, ଆପ୍, ସମାଜବାଦୀ ପାର୍ଟି, ଟିଆରଏସ୍, ୱାଇଏସ୍ଆର କଂଗ୍ରେସ, ଶିରୋମଣି ଅକାଳୀ ଦଳ, ପଞ୍ଜାବ ଲୋକ କଂଗ୍ରେସ ଓ ଗୋଆ ଫରୱାର୍ଡ ପାର୍ଟିର ନାମ ରହିଛି ।
ସେହିଭଳି ଟିଆରଏସ୍ ୪୦କୋଟି ଟଙ୍କା ଚାନ୍ଦା ପାଇଥିବାବେଳେ ଅନ୍ୟ ଆଠଟି ରାଜନୈତିକ ଦଳଙ୍କୁ ୫୫କୋଟି ୨୬ଲକ୍ଷ ଟଙ୍କା ମିଳିଛି । ଏହି ତଥ୍ୟ ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ (ଏଡିଆର)ର ଜାତୀୟ ଇଲେକ୍ସନ ୱାଚ୍ରୁ ମିଳିଛି ।