ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଝାଡଖଣ୍ଡ ଦେବଘର ବିମାନବନ୍ଦରରେ ସୁରକ୍ଷା ନିୟମ ଭାଙ୍ଗିବା ଅଭିଯୋଗରେ ବିଜେପି ସାଂସଦ ନିଶିକାନ୍ତ ଦୁବେ, ମନୋଜ ତିୱାରୀଙ୍କ ସମେତ ୯ଜଣଙ୍କ ନାଁରେ ମାମଲା ରୁଜୁ କରିଛି କୋଣ୍ଡା ପୋଲିସ୍ । ଏୟାରପୋର୍ଟ ଡିଏସପି ସୁମନ ଆନନଙ୍କ ଅଭିଯୋଗ କ୍ରମେ ଏହି ମାମଲା ଦାଏର ହୋଇଛି । ଗୋଡ୍ଡା ଲୋକସଭା ସାଂସଦ ନୀଶିକାନ୍ତ ଦୁବେ, ତାଙ୍କ ପୁଅ କନିସ୍କ କାନ୍ତ ଦୁବେ, ମହିକାନ୍ତ ଦୁବେ, ସାଂସଦ ମନୋଜ ତିୱାରୀ, ମୁକେଶ ପାଠକ, ଦେବତା ପାଣ୍ଡେ, ପିଣ୍ଟୁ ତିୱାରୀଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି।ଏମାନଙ୍କ ବିରୋଧରେ ଗତ ଅଗଷ୍ଟ ୩୧ ତାରିଖରେ ଦେବଘର ବିମାନ ବନ୍ଦରର ଏଟିସିରେ ଜବରଦସ୍ତି ପ୍ରବେଶ କରିବା ଓ କ୍ଲିୟରାନ୍ସ ନେବା ଅଭିଯୋଗ ରହିଛି। ଏହା ବ୍ୟତୀତ ଦେବଘର ବିମାନ ବନ୍ଦର ନିର୍ଦ୍ଦେଶକଙ୍କ ସନ୍ଦୀପ ଢ଼ିଙ୍ଗରାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି।

ଡିଏସପିଙ୍କ ଅଭିଯୋଗ ମୁତାବକ, ନୀଶିକାନ୍ତ ଦୁବେଙ୍କ ସମେତ ୯ଜଣ ବ୍ୟକ୍ତି ଅଗଷ୍ଟ ୩୧ଦିନ ଅପରାହ୍ନରେ ଚାଟାର୍ଡ ବିମାନ ଯୋଗେ ଦେଓଘରକୁ ଆସିଥିଲେ। ତେବେ ସନ୍ଧ୍ୟାରେ ଫେରିବା ସମୟରେ ଦୁବେଙ୍କ ସମେତ ଅନ୍ୟମାନେ ଜବରଦସ୍ତି ଏଟିସି ଫର୍ମରେ ପ୍ରବେଶ କରିଥିଲେ ଓ କ୍ଲିଅରାନ୍ସ ନେଇଥିଲେ। ଏହାପରେ ଚାଟାର୍ଡ ପ୍ଲେନ୍‌ରେ ସେମାନେ ଫରିଥିଲେ। ତେବେ ବିଜେପିର ଏହି ପ୍ରତିନିଧି ଦଳ ଅଗଷ୍ଟ ୩୧ ତାରିଖରେ ଦୁମ୍‌କା ପୀଡିତା ଅଙ୍କିତାଙ୍କୁ ଭେଟିବାକୁ ଯାଇଥିଲେ। ଏହି ପ୍ରତିନିଧି ଦଳରେ ବିଜେପି ସାଂସଦ ନୀଶିକାନ୍ତ ଦୁବେଙ୍କ ସହ ଦିଲ୍ଲୀ ସାଂସଦ ମନୋଜ ତିୱାରୀ ଏବଂ କପିଲ ମିଶ୍ରଙ୍କ ସମେତ ଅନେକ ଲୋକ ଥିଲେ। ଦୁମ୍‌କା ପୀଡିତାଙ୍କୁ ଭେଟିବା ପରେ ଏମାନେ ସନ୍ଧ୍ୟା ୫.୧୫ରେ ଦେବଘର ବିମାନ ବନ୍ଦରରେ ପହଞ୍ଚି ନିଜ ଚାଟାର୍ଡ ପ୍ଲେନରେ ବସିଥିଲେ ବୋଲି ସୂଚନା ମିଳିଛି। ତେବେ ଏହି ସମୟରେ ବିମାନ ବନ୍ଦର ଏଟିସି ପ୍ଲେନଟିକୁ ଉଡାଣ ଭରିବା ପାଇଁ ଅନୁମତି ଦେଇନଥିଲା। ଏହାପରେ ସମସ୍ତ ବିଜେପି ନେତା ଓ ସାଂସଦ ମିଶି ଏଟିସି ଭିତରେ ଜୋର ଜବରଦସ୍ତି ପ୍ରବେଶ କରି କ୍ଲିଅରାନ୍ସ ନେଇଥିଲେ ଓ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ।