‘କେଜ୍ରିୱାଲ ନିଜର ହିନ୍ଦୁ ବିରୋଧୀ ଛବି ଲୁଚାଇବାକୁ ଉଦ୍ୟମ କରୁଛନ୍ତି’: ମନୋଜ ତିୱାରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବୁଧବାର ଦିନ ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନୋଟରେ ଗାନ୍ଧିଜୀଙ୍କ ସହ ଭଗବାନ ଗଣେଶ ଓ ଦେବୀ ଲକ୍ଷ୍ମୀଙ୍କ ଫଟୋ ଛାପିବାକୁ କହିଛନ୍ତି। ଏନେଇ ସେ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି। ତେବେ କେଜ୍ରିୱାଲଙ୍କ ଏହି ମନ୍ତବ୍ୟ ପରେ ତାଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସଂସଦ ମନୋଜ ତିୱାରୀ। ସେ କହିଛନ୍ତି ଯେ, ଆଗକୁ ଗୁଜୁରାଟ ଓ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ରହିଛି। ଏହି ନିର୍ବାଚନ ପୂର୍ବରୁ କେଜ୍ରିୱାଲ ନିଜ ଦଳର ହିନ୍ଦୁ ବିରୋଧୀ ଛବିକୁ ଲୁଚାଇବାକୁ ଉଦ୍ୟମ କରୁଛନ୍ତି ।

ମନୋଜ ତିୱାରୀ ଆହୁରି କହିଛନ୍ତି ଯେ, ହିନ୍ଦୁ ଦେବତାଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେଇଥିବାରୁ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ଏବଂ ଆପର ଗୁଜୁରାଟ ୟୁନିଟ୍ ସଭାପତି ଗୋପାଳ ଇଟାଲୀୟାଙ୍କୁ ପ୍ରଥମେ କେଜ୍ରିୱାଲ ଦଳରୁ ବହିଷ୍କାର କରନ୍ତୁ।

ବିଜେପି ସାଂସଦ ମନୋଜ କେଜ୍ରିୱାଲଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଆପଣଙ୍କର କୌଣସି ଚିଠି ବିନା ଆମେ ମହାକାଳ କରିଡର ବିକାଶ ଓ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲୁ ଯାହାକୁ ଆପଣ ବିରୋଧ କରିଥିଲେ। ଯଦି ସନାତନ ଧର୍ମ ପ୍ରତି ସମ୍ମାନକୁ ଆପଣ ପ୍ରମାଣ କରିବାକୁ ଚାହୁଁଛନ୍ତି ତେବେ ଗୌତମ ଓ ଇଟାଲୀୟାଙ୍କୁ ଆପରୁ ବହିଷ୍କାର କରିଦିଅନ୍ତୁ।

ସୂଚନାଯୋଗ୍ୟ ଯେ, ବୁଧବାର ଏକ ଗଣମାଧ୍ୟମ ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୋଟରେ ଗାନ୍ଧିଜୀଙ୍କ ସହିତ ପ୍ରଭୁ ଗଣେଶ ଓ ଦେବୀ ଲକ୍ଷ୍ମୀଙ୍କ ଚିତ୍ର ରଖିବାକୁ ନିବେଦନ କରିଛନ୍ତି। କେଜ୍ରିୱାଲ କହିଛନ୍ତି ଯେ ଆମେ ଯଥାସମ୍ଭବ ଚେଷ୍ଟା କରିବା ସତ୍ତ୍ୱେ ଦେବତା ଏବଂ ଦେବୀମାନେ ଆମକୁ ଆଶୀର୍ବାଦ ଦେଉ ନାହାଁନ୍ତି, ତେବେ ଆମର ଉଦ୍ୟମ ସଫଳ ହୁଏ ନାହିଁ। ତେଣୁ ମୁଦ୍ରାରେ ଭଗବାନ ଗଣେଶ ଓ ଦେବୀ ଲକ୍ଷ୍ମୀଙ୍କ ଚିତ୍ର ରଖିବାକୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କରୁଛି। ଏନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିବା ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Related Posts