ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଲୋକମାନଙ୍କୁ ଦ୍ରୁତ ନ୍ୟାୟ ପ୍ରଦାନ ଲାଗି ରାଜ୍ୟସ୍ତରରେ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥାକୁ ଉତ୍ସାହିତ କରିବା ଅତ୍ୟନ୍ତ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଏହାସହିତ ମାମଲା ଗୁଡ଼ିକର ଶୀଘ୍ର ଫଇସାଲା ନେଇ ସେ ଲୋକ ଅଦାଲତ ଭୂମିକାକୁ ଉଚ୍ଚ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଆଜି ଆଇନ୍‌ ମନ୍ତ୍ରୀ ଓ ସଚିବ ମାନଙ୍କ ସର୍ବଭାରତୀୟ ସମ୍ମିଳନୀକୁ ଉଦ୍‌ଘାଟନ କରି ଉଦ୍‌ବୋଧନ ଦେଇ ଏହା କହିଛନ୍ତି ।ଏହି ସମ୍ମିଳନୀ ଗୁଜରାଟର କେବାଡିଆସ୍ଥିତ ଏକତା ନଗରଠାରେ ଅନୁଷ୍ଠିତ ହୋଇଛି । ପ୍ରଧାନମନ୍ତ୍ରୀ ଏଥିରେ ଭର୍ଚୁଆଲ ମାଧ୍ୟମରେ ଉଦ୍‌ବୋଧନ ଦେଇଛନ୍ତି।

ଏହି ଅବସରରେ ମୋଦି କହିଛନ୍ତି ଯେ, ରାଜ୍ୟଗୁଡ଼ିକ ସେମାନଙ୍କର ଆଇନ୍‌ର ସମୀକ୍ଷା କରିବା ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ । ପୁରାତନ ଆଇନ୍‌ଗୁଡ଼ିକୁ ବିଲୋପ କରିବା ବର୍ତ୍ତମାନ ଜରୁରୀ ହୋଇପଡିଛି। ସେ କହିଛନ୍ତି କେନ୍ଦ୍ର ସରକାର ଦେଢ଼ହଜାରରୁ ଅଧିକ ପୁରାତନ ଆଇନ୍‌କୁ ବିଲୋପ କରିଛନ୍ତି ଓ ୩୨ହଜାରରୁ ଅଧିକ ଆଇନ୍‌କୁ କାଟ୍‌ଛାଣ୍ଟ୍‌ କରିଛନ୍ତି। ଏହାଦ୍ୱାରା ବହୁ ନିୟମ ସରଳ ହୋଇପାରିଛି। ହାଇକୋର୍ଟ ମୁଖ୍ୟ ବିଚାରପତି ମାନଙ୍କ ମିଳିତ ବୈଠକ ବିଷୟରେ ସେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ସେହି ବୈଠକରେ ମୁଖ୍ୟବିଚାରପତି ମାନଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ନିବେଦନ କରିଥିଲେ ।

ରାଜ୍ୟସରକାର ମାନେ ବିଚାରାଧୀନ କଏଦୀମାନଙ୍କ
ପ୍ରତି ମାନବୀୟ ଆଭିମୁଖ୍ୟ ପୋଷଣ କରିବାକୁ ମଧ୍ୟ ସେ ଅନୁରୋଧ କରିଥିଲେ। ସେ କହିଥିଲେ ଏକ ସଦ୍‌ଭାବନା ମୂଳକ ସମାଜ ଓ ଉନ୍ନତ ଦେଶ ଗଠନ ପାଇଁ ସମ୍ବେଦନଶୀଳ ନ୍ୟାୟ ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ।
ସହଜରେ ନ୍ୟାୟପ୍ରଦାନ ପ୍ରତି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନ୍ୟାୟପ୍ରଦାନ ପ୍ରଣାଳୀରେ ମାତୃଭାଷାର ବ୍ୟବହାର ବର୍ତ୍ତମାନ ସବୁଠୁ ଅଧିକ ପ୍ରାସଙ୍ଗିକ ହୋଇପଡିଛି । ସେ କହିଛନ୍ତି ନ୍ୟାୟପ୍ରଦାନର ଭାଷା ଏ କ୍ଷେତ୍ରରେ ଏକ ପ୍ରତିବନ୍ଧକ ହେବା ଉଚିତ୍‌ ନୁହେଁ । ପ୍ରଧାନମନ୍ତ୍ରୀ ଇ-କୋର୍ଟ ମିଶନ, ମାମଲା ଗୁଡ଼ିକର ଇ-ଫାଇଲିଙ୍ଗ, ଭର୍ଚୁଆଲ ଶୁଣାଣି ଉପରେ ଗୁରୁତ୍ୱ ଦେଇଛନ୍ତି। ଏହାଦ୍ୱାରା ପଡିରହିଥିବା ମାମଲା ଗୁଡ଼ିକର ଶୀଘ୍ର ଫଇସଲା ହୋଇପାରିବ ।

ଆଇନ୍‌ ମନ୍ତ୍ରୀ କିରଣ ରିଜିଜୁ ତାଙ୍କର ଉଦ୍‌ଘାଟନୀ ବକ୍ତବ୍ୟରେ ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ପ୍ରତି ଗୁରୁତ୍ୱ ଦେଇଛନ୍ତି । ଏହାଦ୍ୱାରା ନ୍ୟାୟ ପ୍ରଦାନରେ ଘଟୁଥିବା ବିଳମ୍ବକୁ ହ୍ରାସ କରାଯାଇପାରିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଆଇନ୍‌ ଓ ନ୍ୟାୟ ମନ୍ତ୍ରଣାଳୟ ଏହି ସମ୍ମିଳନୀର ଆୟୋଜନ କରିଛି । ଭାରତୀୟ ନ୍ୟାୟିକ ବ୍ୟବସ୍ଥା ଉପରେ ଆଲୋଚନା କରିବାକୁ ନୀତି ନିର୍ଦ୍ଧାରଣକାରୀ ମାନଙ୍କ ପାଇଁ ଏକ ଉତ୍ତମ ମଞ୍ଚ ଯୋଗାଇବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ । ସମ୍ମିଳନୀରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ଆଇନ୍‌ ମନ୍ତ୍ରୀ ଏବଂ ନ୍ୟାୟିକ ବିଭାଗ ସଚିବ ମାନେ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ପରସ୍ପର ମଧ୍ୟରେ ମତର ଆଦାନପ୍ରଦାନ କରିପାରିବେ ଓ ନିଜନିଜର ନ୍ୟାୟିକ ବ୍ୟବସ୍ଥା ବିଷୟରେ ଆଲୋଚନା କରିପାରିବେ। ଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ବିଷୟରେ ଏଥିରେ ଆଲୋଚନା ହୋଇଛି।