ଦୁଇ ହଜାର ଟଙ୍କିଆ ପ୍ରଶ୍ନ

ରଙ୍ଗା ଚରଣ ପ୍ରଧାନ, ବରିଷ୍ଠ ଆପ୍ ନେତା

ସାଧାରଣତଃ କୈାଣସି ପ୍ରଶ୍ନର ଗୁରୁତ୍ୱ ବେଶି ଥିଲେ ତାହାକୁ ଦଶ ଲକ୍ଷିଆ ପ୍ରଶ୍ନ ବା ମିଲିଅନ୍ ଡଲାର କୋଶ୍ଚିନ୍ କୁହାଯାଏ । କିନ୍ତୁ ଏ ପ୍ରଶ୍ନଟି ଏମିତି ଯେ, ଏହାର ମୂଲ୍ୟ ଦୁଇ ହଜାର ଟଙ୍କାରୁ ବେଶି ହେବ ବୋଲି କହି ହେଉ ନାହିଁ। ପ୍ରଶ୍ନଟି ହେଉଛି ଦୁଇ ହଜାର ଟଙ୍କାକୁ ନେଇ । ଅବଶ୍ୟ ଗତ ସପ୍ତାହେ କାଳ ଏହି ବିଷୟକୁ ନେଇ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଏତେ ଆଲୋଡନ ହେଲାଣି ଯେ ଏହାକୁ ଏବେ ଏକ ମାତ୍ର ଦୁଇ ହଜାର ଟଙ୍କିଆ ପ୍ରଶ୍ନ କହିବା ବିପଦମୁକ୍ତ ନୁହେଁ । ଆପଣ କହୁ ନାହାନ୍ତି ? ଦୁଇ ହଜାର ଟଙ୍କିଆ ନୋଟକୁ ନେଇ ଦେଶର ରିଜର୍ଭ ବ୍ୟାଙ୍କ କ’ଣ କହିଛନ୍ତି, କେତେବେଳେ କହିଛନ୍ତି , କାହିଁକି କହିଛନ୍ତି – ଏସବୁ ପ୍ରଶ୍ନର ସଠିକ୍ ଉତ୍ତର ମିଳିଲେ ସିନା ପ୍ରଶ୍ନଟି କ’ଣ ଓ ତାର ମୂଲ କେତେ ତାହା ସଠିକ୍ କହିହେବ ?

ମଇ ୧୯ ତାରିଖ । ରିଜର୍ଭ ବ୍ୟାଙ୍କ ଘୋଷଣା କଲେ ସେମାନେ ୨୦୦୦ ଟଙ୍କିଆ ନୋଟକୁ ସଞ୍ଚାଳନରୁ ହଟାଇ ଦେବେ । ସେମାନେ କହିଲେ ସଫାସୁତୁରା ନୋଟ୍ ନୀତି ବା Clean Note Policy ଅନୁସାରେ ଏପରି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥର କିନ୍ତୁ ସରକାର କିମ୍ବା ପ୍ରଧାନମନ୍ତ୍ରୀ ଟିଭିରେ ଆସି ଏକଥା ଘୋଷଣା କରି ନାହାନ୍ତି। ଏଥରର ଘୋଷଣା ରିଜର୍ଭ ବ୍ୟାଙ୍କ ତରଫରୁ ହୋଇଛି । ୨୦୧୬ ମସିହାରେ ଯେଉଁ ନୋଟବନ୍ଦୀ ହୋଇଥିଲା ତାହାର ଘୋଷଣା ମଧ୍ୟ ରିଜର୍ଭ ବ୍ୟାଙ୍କ ଦ୍ବାରା ହେବା ଉଚିତ ଥିଲା । ତେବେ ସେତେବେଳେ ସନ୍ଧ୍ୟାରେ ସରକାରଙ୍କ ତରଫରୁ ସାମ୍ବାଦିକ ସମ୍ମିଳନୀ କରି ଯିଏ ନୋଟବନ୍ଦୀ ବିଷୟରେ ନିତି ନୂଆ ନୂଆ କଥା କହୁଥିଲେ, ଆଜି ସିଏ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର । ସେ ହେଉଛନ୍ତି ଶ୍ରୀ ଶକ୍ତିକାନ୍ତ ଦାସ । ଗତ ୨୨ ତାରିଖରେ ସାମ୍ବାଦିକମାନେ ଯେତେବେଳେ ପଚାରିଲେ ଯେ ଗତଥର ଭଳି ଏଥର ମଧ୍ୟ ଏଥିପାଇଁ ସରକାରଙ୍କ ଆଡୁ ଏ ପ୍ରସ୍ତାବ ଆସିଛି ନା ଏହା ରିଜର୍ଭ ବ୍ୟାଙ୍କର ନିଜସ୍ଵ ନିଷ୍ପତ୍ତି, ସେତେବେଳେ ସେ ପ୍ରଶ୍ନଟିକୁ ଏଡାଇ ଯାଇ କହିଲେ ଲୋକେ ଏ ପ୍ରଶ୍ନର ଉତ୍ତର ବିଷୟରେ ଜାଣିବାକୁ ଆଗ୍ରହୀ ନୁହନ୍ତି ।‌ ଉତ୍ତର ବା କେମିତି ଦେଇଥାନ୍ତେ ? ସେତେବେଳେ ସେ ସରକାରରେ ଥିଲେ ଓ ଏବେ ସେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର । ତେବେ ସେ ଯାହା ହେଉ, ସାମ୍ବାଦିକମାନଙ୍କ ଏହି ପ୍ରଶ୍ନ ଥିଲା ରିଜର୍ଭ ବ୍ୟାଙ୍କର ସ୍ୱାୟତ୍ତତା ସମ୍ପର୍କିତ ଏକ ପ୍ରଶ୍ନ ।

ଆମେ ଜାଣିଛୁ ୨୦୧୬ ମସିହାରେ ନୋଟବନ୍ଦୀ ଘୋଷଣା ପରେ ଏହି ୨୦୦୦ ଟଙ୍କିଆ ନୋଟ୍ ଜାରି କରା ଯାଇଥିଲା । ଗତ ୨୨ ତାରିଖ ଦିନ ରିଜର୍ଭ ବ୍ୟାଙ୍କ ଗଭର୍ଣରଙ୍କ କହିଥିବା ଅନୁସାରେ, ସେତେବେଳେ ଯେହେତୁ ହଠାତ୍ ୮୭% ମୂଲ୍ୟର ନୋଟ୍ ସାଧାରଣଙ୍କ ବ୍ୟବହାରରୁ ବାହାର କରା ଯାଇଥିଲା, ତେଣୁ ତୁରନ୍ତ ଓ କମ୍ କାଗଜ ଖର୍ଚ୍ଚ କରି ସେତିକି ଟଙ୍କା ବଜାରକୁ ଛାଡ଼ିବା ପାଇଁ ଅନ୍ୟାନ୍ୟ ନୋଟ୍ ସହିତ ୨୦୦୦ ଟଙ୍କିଆ ନୋଟ୍ ମଧ୍ୟ ଛଡା ଯାଇଥିଲା, ପୁଣି ଯେହେତୁ ସେହି ଉଦ୍ଦେଶ୍ୟ ସାଧିତ ହୋଇ ସାରିଛି ତେଣୁ ଏବେ ତାହାକୁ ବଜାରରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଗଲା । କଥା ତ ବୁଝି ହେଉଛି । ତଥାପି ଯଦି ଜଣେ ପଚାରିବ ପ୍ରାୟ ୧୩୦୦ କୋଟି ଟଙ୍କା ଖର୍ଚ୍ଚ କରି ଯେତେବେଳେ ୨୦୦୦ ଟଙ୍କିଆ ନୋଟ୍ ଛପା ଯାଇଥିଲା, ମାତ୍ର ୫/୬ ବର୍ଷ ପରେ ତାହାର ବ୍ୟବହାର କାହିଁକି ବନ୍ଦ କରା ଯାଉଛି ? ଯଦି ନୋଟ୍ ଗୁଡିକ ମଇଳା ହୋଇ ଯାଇଛି, ସେତେବେଳେ ଛପା ଯାଇଥିବା ୫୦୦ ଟଙ୍କିଆ ନୋଟ୍ ଗୁଡିକ କ’ଣ ମଇଳା ହୋଇନାହିଁ ? ସେଗୁଡିକୁ ମଧ୍ୟ ପ୍ରତ୍ୟାହାର କରିବାକୁ କାହିଁ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇ ନାହାନ୍ତି ତ ? ମଇଳା ନୋଟ୍ ବଦଳରେ ନୂଆ ନୋଟ୍ ଛାପି ବଜାରକୁ ଛାଡ଼ିବା କାମ ତ ବହୁ ଆଗରୁ ନିୟମିତ ହୋଇ ଆସୁଛି । ପୁଣି ଏମିତି ଗୋଟିଏ ଘୋଷଣା କରି ସେ କାମ କରିବା ମାନେ କ’ଣ ?

ଆମେ ସମସ୍ତେ ଜାଣିଛୁ ଓ ଶକ୍ତିକାନ୍ତ ଦାସ ମଧ୍ୟ ଏକଥା ଜାଣିଛନ୍ତି ଯେ ଅନ୍ୟ ନୋଟ୍ ଅପେକ୍ଷା ୨୦୦୦ ଟଙ୍କିଆ ନୋଟ୍ ମହଜୁଦ କରିବା ସହଜ । ଏହାକୁ ମହଜୁଦ କରିବା ପାଇଁ ଅଳ୍ପ ଜାଗା ଦରକାର । ତାହେଲେ ସେତେବେଳେ କ’ଣ ରିଜର୍ଭ ବ୍ୟାଙ୍କ ଏକଥା ଜାଣି ନଥିଲା ଯେ ଏହି ନୋଟ୍ ଛାପିବା ନଗଦ ଆକାରରେ କଳାଧନ ମହଜୁଦ କରିବାକୁ ଆହୁରି ଉତ୍ସାହିତ କରିବ ?

ଏମିତି ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି ଯେ ୨୦୦୦ ଟଙ୍କିଆ ନୋଟ୍ ଛାପିବା ନିଷ୍ପତ୍ତି ନୋଟବନ୍ଦୀର ପ୍ରାୟ ଦେଢବର୍ଷ ପୁର୍ବରୁ ନିଆ ଯାଇ ସାରିଥିଲା । ଅର୍ଥାତ୍ ୨୦୦୦ ଟଙ୍କିଆ ନୋଟ୍ ଛାପିବା ନିଷ୍ପତ୍ତି କେବଳ ନୋଟବନ୍ଦୀର ତୁରନ୍ତ ପରେ ଦେଖାଦେଇଥିବା ନଗଦ ଟଙ୍କାର ଆବଶ୍ୟକତା ପୂରଣ ପାଇଁ ହୋଇ ନଥିଲା । ଆପଣଙ୍କ ଭିତରୁ କେହି କହି ପାରନ୍ତି ଯେ ଘଟଣାଟି ଘଟି ସାରିବା ପରେ ଆମକୁ ଏମିତି ବୁଦ୍ଧି ଦେଖାଯିବା ସହଜ ଅଟେ । କିନ୍ତୁ ରିଜର୍ଭ ବ୍ୟାଙ୍କର ଉଚ୍ଚ ଅଧିକାରୀମାନଙ୍କ ପାଖରେ ତ ଅର୍ଥ ସମ୍ବନ୍ଧୀୟ ପୁର୍ବାନୁମାନ କରିବାରେ ନିପୁଣତା ଥିବ ନା ? ସେମାନେ ତ ଆଉ ଆମ ଭଳି ସାଧାରଣ ଲୋକ ନୁହନ୍ତି । ଘଟଣାଟି ଆହୁରି କୈାତୁହଳପ୍ରଦ ହୋଇଛି ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ସେତେବେଳେର ପ୍ରଧାନସଚିବ ନୃପେନ୍ ମିଶ୍ର କହିଲେ ଯେ ପ୍ରଧାନମନ୍ତ୍ରୀ ମୋଦି ୨୦୦୦ ଟଙ୍କିଆ ନୋଟ୍ ଛାପିବା ସପକ୍ଷରେ ଆଦୌ ନଥିଲେ । ତା’ହେଲେ ସେହି ପ୍ରସ୍ତାବ କାହାର ଥିଲା ?

୨୦୧୬ରେ ହୋଇଥିବା ନୋଟବନ୍ଦୀ ପରେ ଏହାର ପ୍ରକୃତ ଉଦ୍ଦେଶ୍ୟ ବିଷୟରେ କହିବାକୁ ଯାଇ ସରକାର କିପରି ବାରମ୍ବାର ସ୍ବର ବଦଳାଉ ଥିଲେ ଓ ନୋଟବନ୍ଦୀ ଦ୍ବାରା ଦେଶ ଅର୍ଥନୀତିର କି ଅବସ୍ଥା ହେଲା ତାହା ସମସ୍ତେ ଦେଖିଛନ୍ତି । କେତେକ ସରକାରୀ ବୁଦ୍ଧିଜୀବୀ ସେତେବେଳେ କହିଥିଲେ, ଏବେ ସିନା ଏହାର ସୁଫଳ ଆସିନି କିନ୍ତୁ ଦୀର୍ଘକାଳରେ ଏହାର ସୁଫଳ ନିଶ୍ଚୟ ଦେଶକୁ ମିଳିବ । ଘଟଣାକୁ ୭ ବର୍ଷ ହେବାକୁ ଯାଉଛି । ଏହାର ସୁଫଳ କିମ୍ବା କୁଫଳ ବିଷୟରେ ତର୍ଜମାକୁ ଏଡ଼ାଇବା ପାଇଁ ଆଉ କେତେକ କହୁଛନ୍ତି ୨୦୧୯ ନିର୍ବାଚନରେ ମୋଦୀ ପୁଣି ଥରେ ଜିତିବା ଅର୍ଥ ହେଉଛି ଜନତା ନୋଟବନ୍ଦୀକୁ ସମର୍ଥନ କରିଛନ୍ତି, ସତେ ଯେମିତି ଜନତାଙ୍କ ପ୍ରସଙ୍ଗରେ ଆଉ ନିର୍ବାଚନ ହେଉଛି । ଛାଡ଼ନ୍ତୁ ସେକଥା । ଏହି ଲେଖାର ଉଦ୍ଦେଶ୍ୟ ହେଉଛି କେବଳ ୨୦୦୦ ଟଙ୍କିଆ ପ୍ରଶ୍ନ ଉପରେ ଧ୍ୟାନ ନିବେଶ କରିବା ।

କେହି କହିପାରିବେ କି ଯଦି ରିଜର୍ଭ ବ୍ୟାଙ୍କ କହିବା ଅନୁସାରେ ସେପ୍ଟେମ୍ବର ୩୦ ତାରିଖ ପରେ ବି ୨୦୦୦ ଟଙ୍କିଆ ନୋଟ୍ ତଥାପି ବଜାରରେ ଚଳି ପାରିବ, ତାହେଲେ ତାକୁ ବଦଳାଇବା ପାଇଁ କିମ୍ବା ନିଜ ଆକାଉଣ୍ଟରେ ଜମା କରିବା ପାଇଁ ସେପ୍ଟେମ୍ବର ୩୦ ତାରିଖକୁ ଶେଷ ତାରିଖ ବୋଲି କାହିଁକି କୁହା ଯାଉଛି ? ଅନ୍ୟ ପ୍ରକାରେ କହିବାକୁ ଗଲେ, ଯଦି ଜଣେ ଲୋକ ତା ପାଖରେ ଥିବା ୨୦୦୦ ଟଙ୍କିଆ ନୋଟ୍ ବଦଳାଇବ ନାହିଁ ଓ ସେପ୍ଟେମ୍ବର ୩୦ ତାରିଖ ପରେ ବି ତାକୁ ବ୍ୟବହାର କରି ପାରିବ, ତାହେଲେ ସେପ୍ଟେମ୍ବର ୩୦ ତାରିଖଟି କାହିଁକି ଗୁରୁତ୍ୱପୂର୍ଣ୍ଣ ଅଟେ ? ଏ ପ୍ରଶ୍ନର ଉତ୍ତର କେହି ଦେଉ ନାହାନ୍ତି। ଶକ୍ତିକାନ୍ତ ଦାସ ଏ ପ୍ରଶ୍ନର ଯେଉଁ ଦାର୍ଶନିକ ଉତ୍ତର ଦେଲେ ତାହା ମଧ୍ୟ ବୁଝି ହେଉନାହିଁ । ସେ କହିଲେ ଗୋଟିଏ କାମ କରିବାକୁ ହେଲେ ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୁଏ । ସେହି ତାରିଖ ପରେ କ’ଣ ହେବ ବୋଲି ପଚରା ଯିବାରେ ସେ କହିଲେ ସେପ୍ଟେମ୍ବର ୩୦ ତାରିଖ ଆସିଲେ ସେକଥା ଚିନ୍ତା କରାଯିବ । ଏହାର ମାନେ କ’ଣ, କେହି ବୁଝି ପାରିଲେ କି ? ମୁଁ ତ ବୁଝିବାରେ ଅସମର୍ଥ ।

ଏଠାରେ ଆଉ ଗୋଟିଏ ପ୍ରଶ୍ନ ଉଠୁଛି। ୨୦୧୭ ମସିହା ମାର୍ଚ୍ଚ ସୁଦ୍ଧା, ଅର୍ଥାତ୍ ନୋଟବନ୍ଦୀ ଆରମ୍ଭ ହେବାର ୪ ମାସ ପରେ, ଦେଶରେ ମୋଟ ଯେତେ ଟଙ୍କାର ନୋଟ୍ ଥିଲା ତାହାର ୫୦% ଥିଲା କେବଳ ଏହି ୨୦୦୦ ଟଙ୍କିଆ ନୋଟ୍ – ନୋଟ୍ ସଂଖ୍ୟା ଦୃଷ୍ଟିରୁ ନୁହେଁ, ଏହାର ମୂଲ୍ୟ ଦୃଷ୍ଟିରୁ । ୨୦୨୩ ମସିହା ମାର୍ଚ୍ଚ ବେଳକୁ, ଅର୍ଥାତ୍ ୬ ବର୍ଷ ମଧ୍ୟରେ ତାହା ୫୦%ରୁ ଖସି ଆସି ୧୦.୮% ରେ ପହଞ୍ଚିଛି । କାରଣ ଏହା ମଧ୍ୟରେ ରିଜର୍ଭ ବ୍ୟାଙ୍କ ପାଖକୁ ଯେଉଁ ୨୦୦୦ ଟଙ୍କିଆ ନୋଟ୍ ଆସିଛି ତାହା ସେମାନେ ନିଜ ପାଖରେ ରଖି ଆଉ ବଜାରକୁ ଛାଡି ନାହାନ୍ତି ଏବଂ ତା ଜାଗାରେ ୫୦୦ ଟଙ୍କିଆ ଛପାଇ ଛାଡିଛନ୍ତି। ଏହାକୁ ଆଉ ଏକ ପ୍ରକାରେ ଦେଖିଲେ ମଧ୍ୟ ସେହି ଗୋଟିଏ ଅର୍ଥ ବାହାରୁଛି ଯେ ବଜାରରେ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ବହୁ ମାତ୍ରାରେ କମିଛି । ୨୦୧୭ ମାର୍ଚ୍ଚ ସୁଦ୍ଧା ଦେଶରେ ସାଧାରଣରେ ପ୍ରଚଳନ ପାଇଁ ୬.୫୭ ଲକ୍ଷ କୋଟି ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ୍ ଥିବା ବେଳେ ୨୦୨୩ ମାର୍ଚ୍ଚ ସୁଦ୍ଧା ତାହା ୩.୬୨ ଲକ୍ଷ କୋଟି ଟଙ୍କା ରହିଥିଲା । ତେଣୁ ଏମିତିରେ ବି ଏହି ନୋଟ୍ ପ୍ରଚଳନ କମୁଥିଲା । ଆଉ କିଛିଦିନ ପରେ, ଆଜି ଯାହା ମୋଟ ମୂଦ୍ରା ମୂଲ୍ୟର ୧୦.୮% ରହିଛି, କାଲି ୫%ରେ ପହଞ୍ଚି ଯିବ । ତାହେଲେ ଯଦି ଏମିତିରେ ବି ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ଜାରି ରହିଛି, ଗତ ୧୯ ତାରିଖରେ ତାହା ପ୍ରତ୍ୟାହାର କରାଯିବ ବୋଲି ଅତିରିକ୍ତ ଗୋଟିଏ ଘୋଷଣା କରିବା ମାନେ କ’ଣ ?

ମଜା କଥା ହେଲା, ଏତେ କଥା ହେବା ପରେ, ଏବେ ବି ଆମକୁ ଏମିତି କିଛି ଲୋକ ମିଳି ଯାଉଛନ୍ତି ଯେଉଁମାନେ କହୁଛନ୍ତି, ଏହି ନୂଆ ନିଷ୍ପତ୍ତି ଯୋଗୁଁ କଳାଧନ ଉପରେ ପ୍ରହାର ହେଲା । ପ୍ରଶ୍ନ ହେଉଛି, ଆଜି ବି କଣ ମଦର୍ ଇଣ୍ଡିଆ ଫିଲ୍ମର ସୁଖିଲାଲା ଭଳି ଲୋକ ଅଛନ୍ତି ଯେଉଁମାନେ କଳାଧନକୁ ନଗଦ ଆକାରରେ ଲୁଚାଇ ରଖୁଛନ୍ତି ? ସେମାନଙ୍କ ସଂଖ୍ୟା କେତେ ? ସମୁଦାୟ କଳାଧନ ମଧ୍ୟରୁ ନଗଦ ଆକାରରେ କେତେ କଳାଧନ ଅଛି ? ୨୦୧୨ ମସିହାରେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସଙ୍କ ଏକ ଅଧ୍ୟୟନରୁ ଏହାର ଉତ୍ତର ମିଳେ । ତାହାର ୬ ବର୍ଷର ଏକ ଅଧ୍ୟୟନ କହିଥିଲା ଯେ ମୋଟ କଳାଧନରୁ ମାତ୍ର ୫% ହେଉଛି ନଗଦ ଆକାରରେ ମହଜୁଦ ଥିବା କଳାଧନ । ଏହି ୬ ବର୍ଷ ମଧ୍ୟରେ ଆୟକର ବିଭାଗ ଯେତେ ଚଢ଼ଉ କରି କଳାଧନ ଜବତ କରିଛି ତା ମଧ୍ୟରୁ ମାତ୍ର ୫% ଥିଲା ନଗଦ ରାଶି । ଏହି ୫% କଳାଧନକୁ ଜବତ କରିବା ପାଇଁ ଏତେ ବଡ଼ କାଣ୍ଡ କରିବା ଯାହା ମାଛିକୁ ମାରିବା ପାଇଁ ତରବାରୀ ବ୍ୟବହାର କରିବା ସେଇଆ ।

କିଛି ଲୋକଙ୍କ ମୁଣ୍ଡରେ ଭର୍ତ୍ତି କରି ଦିଆ ଯାଇଛି ଯେ ବଜାରରେ ଯେତେ କମ୍ ନଗଦ ଟଙ୍କା ରହିବ ଓ ଯେତେ ଅଧିକ ଦେଣନେଣ ବ୍ୟାଙ୍କ ଓ ମୋବାଇଲ ମାଧ୍ୟମରେ ହେବ, ସେତେ ଦୁର୍ନୀତି କମିବ । ଦେଖନ୍ତୁ, ଭାରତରେ ଯେତିକି ମୂଲ୍ୟର ନଗଦ ମୂଦ୍ରା ବ୍ୟବହାର ହେଉଛି ତାହା ଦେଶ ଜିଡିପିର ୧୨.୩% ଅଟେ । ୟୁରୋପୀୟ ଦେଶ ସମୂହରେ ତାହା ୧୨.୧% ଅଟେ। ୟୁରୋପୀୟ ଦେଶ ସମୂହରେ ଯେ ଭାରତ ଭଳି ସମାନ ମାତ୍ରାରେ ଦୁର୍ନୀତି ଅଛି କିମ୍ବା ସେଠାରେ ନଗଦ ମୂଦ୍ରା ପ୍ରଚଳନ କମାଇ ଦୁର୍ନୀତି ହ୍ରାସ କରିବା ପାଇଁ ଚିନ୍ତା କରା ଯାଉଛି, ତାହା କେହି କହିବେ ନାହିଁ । ଅନ୍ୟ ପକ୍ଷରେ ଦେଖା ଯାଉଛି ଯେ, ନାଇଜେରିଆ ଭଳି ଦେଶରେ, ଯାହାକୁ ପୃଥିବୀର ସବୁଠାରୁ ବଡ଼ ବଡ଼ ଭ୍ରଷ୍ଟାଚାରୀ ଦେଶଗୁଡ଼ିକ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ, ବହୁତ କମ୍ ନଗଦ ମୂଦ୍ରା ପ୍ରଚଳନ ହୁଏ ।‌ ତେଣୁ କମ୍ ମୂଦ୍ରା ପ୍ରଚଳନ ଦ୍ବାରା କିମ୍ବା ଅର୍ଥନିତୀର ଫର୍ମାଲାଇଜେସନ୍ ଦ୍ବାରା ଯେ ଦୁର୍ନୀତି ହ୍ରାସ ପାଇ ଅଧିକ ବିକାଶ ହୁଏ, ଏହା ଏକ ବକବାସ୍ କଥା ।

ଅନେକ ସମୟରେ ଆମ ସରକାରରେ ଥିବା ବାବୁମାନେ କହିଥାନ୍ତି ଯେ ଆମ ଅର୍ଥନିତୀର ଅଧିକ ଫର୍ମାଲାଇଜେସନ୍ ହେଉଛି ଓ ୨୦୧୬ରେ ନୋଟବନ୍ଦୀ ହେବାଦ୍ବାରା ଏହି ଫର୍ମାଲାଇଜେସନ୍ ସମ୍ଭବ ହୋଇଛି। ଦେଶରେ ଅନେକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର କାମଧନ୍ଦା ଅଛି ଯାହା ମୂଖ୍ୟତଃ ନଗଦ ରାଶି ଉପରେ ନିର୍ଭର କରେ । ଅର୍ଥନିତୀର ଫର୍ମାଲାଇଜେସନ୍ ବଢ଼ିଲେ ଏହି ସବୁ କାମ ଧନ୍ଦା ବୃହତ ବ୍ୟବସାୟୀଙ୍କ ହାତକୁ ଚାଲିଯାଏ ।

ବରଂ ଅର୍ଥନିତୀକୁ ବାରମ୍ବାର ଏମିତି ଝଟକା ଦେବା ଭଳି ନିଷ୍ପତ୍ତି ନେଲେ, ଗଣମାଧ୍ୟମରେ ସିନା ଓ୍ବାହ୍ ଓ୍ବାହ୍ ଶୁଣିହେବ ଏବଂ ତାହାକୁ ସାହସିକ ଓ ଦେଶପ୍ରେମୀ ପଦକ୍ଷେପ ବୋଲି କିଛି ଲୋକ କହିବେ, କିନ୍ତୁ ତାହା ଦ୍ବାରା ଆର୍ଥିକ ବିକାଶ ବାଧାପ୍ରାପ୍ତ ହୁଏ ଏବଂ ଏପରି ଅନିଶ୍ଚିତତା ମଧ୍ୟରେ ପୁଞ୍ଜି ନିବେଶ ବଢେ ନାହିଁ। ଏବେ ହୋଇଥିବା ଘୋଷଣା ପରେ, ସେପ୍ଟେମ୍ବର ୩୦କୁ ଆହୁରି ୪ ମାସ ସମୟ ଥିବା ସତ୍ତ୍ୱେ ଏବେ ଠାରୁ ଅନେକ ଲୋକ ଓ ଦୋକାନୀ ଏହି ଟଙ୍କା ନେବାକୁ ମନା କଲେଣି ।

ଗତଥର ଯେତେବେଳେ ନୋଟବନ୍ଦୀ ହୋଇଥିଲା ସେତେବେଳେ ଅନେକ ବଡ଼ ବଡ଼ ଅର୍ଥନୀତିଜ୍ଞ ଗୋଟିଏ କାରଣରୁ ଏହାର ସଫଳତାକୁ ନେଇ ଉତ୍ସାହିତ ଥିଲେ । ସେମାନଙ୍କ ଅନୁମାନ ଥିଲା କିଛି ଲୋକ କଳାଧନ ଉପାର୍ଜିତ ୫୦୦ ଓ ‌୧୦୦୦ ଟଙ୍କିଆ ନୋଟ୍ ଫେରାଇବାକୁ ଆସିବେ ନାହିଁ । ରିଜର୍ଭ ବ୍ୟାଙ୍କକୁ ଯେତିକି ଟଙ୍କା ଫେରିବ ନାହିଁ ତାହା ହେବ ରିଜର୍ଭ ବ୍ୟାଙ୍କର ଲାଭ । ସରକାର ଯେହେତୁ ରିଜର୍ଭ ବ୍ୟାଙ୍କରେ ନିଜ ଟଙ୍କା ଲଗାଇଛନ୍ତି ତେଣୁ ସେମାନେ ରିଜର୍ଭ ବ୍ୟାଙ୍କରୁ ଏକ ମୋଟା ରକମର ଲାଭାଂଶ ପାଇଯିବେ । କେହି କେହି ଆକଳନ କରିଥିଲେ ଯେ ସରକାର ଏହା ଦ୍ବାରା ଗୋଟିଏ ଝଟକାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ପାଇଯିବେ । ବ୍ୟାଙ୍କ କର୍ମଚାରୀମାନେ ବ୍ୟାଙ୍କର ମୂଳ ବ୍ୟବସାୟ କାମ ଛାଡି କେବଳ ନୋଟ୍ ଗଣିବାରେ ଲାଗିଲେ । ଆଉ କେତେକ କହିଲେ ଯେଉଁମାନେ ଅଧିକ ଟଙ୍କା ଫେରାଉଛନ୍ତି ସରକାର ସେମାନଙ୍କର ପରିଚୟ ଟିପି ରଖିଛନ୍ତି । ଗୋଟିଏ ବହୁ ପ୍ରସାରିତ ଓଡ଼ିଆ ଦୈନିକରେ ଜଣେ ବିଜେପି ନେତା ଲେଖିଥିଲେ ଯେ ସରକାର ଏପରି ୧୫ ଲକ୍ଷ ଜମାକାରୀଙ୍କୁ ଠାବ କରିଛନ୍ତି ଯେଉଁମାନଙ୍କ ପାଖକୁ ଆୟକର ବିଭାଗ ନୋଟିସ ପଠାଉଛନ୍ତି । ଆଜି ସେହି ଘଟଣାକୁ ସାଢେ଼ ୬ ବର୍ଷ ହେବାପରେ ସେହି ସବୁ ନୋଟିସର କ’ଣ ହେଲା ଜଣାପଡି ନାହି । ସଫାକଥା ହେଲା ଏତେ ସଂଖ୍ୟକ ଲୋକଙ୍କ ପାଖକୁ ନୋଟିସ ପଠାଇ ଗୋଟିଏ ଦୀର୍ଘ ପ୍ରକ୍ରିୟାରେ ଟିକସ ଆଦାୟ କରିବାପାଇଁ ଆୟକର ବିଭାଗ ପାଖରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି ।‌ ଏଠାରେ କହିବା କଥା ହେଲା ଗତ ୬ ବର୍ଷର ଅଭିଜ୍ଞତା ଦୃଷ୍ଟିରୁ, ନୋଟ୍ ପ୍ରତ୍ୟାହାର ଯେ କଳାଧନ ରୋକିବାର କିମ୍ବା ସରକାରଙ୍କୁ ଗୋଟିଏ ଝଟକାରେ ଗୁଡ଼ାଏ ଲାଭ ଦେବାର ଏକ ଅସ୍ତ୍ର ନୁହେଁ, ତାହା ଶଶିକାନ୍ତ ଦାସ ନିଶ୍ଚୟ ଜାଣି ସାରିଥିବେ ।‌ ତାହେଲେ ମଇ ୧୯ ତାରିଖରେ ରିଜର୍ଭ ବ୍ୟାଙ୍କ କାହିଁକି ଏମିତି ଗୋଟିଏ ଘୋଷଣା କଲା ?

୨୦୧୬ର ନୋଟବନ୍ଦୀରେ ଦୀର୍ଘ ଦିନ ଧରି ଗଣିବା ପରେ ଜଣା ପଡିଲା ଯେ ଦେଶରେ ପ୍ରଚଳନ ହୋଇଥିବା ୧୫.୩୧ ଲକ୍ଷ କୋଟି ଟଙ୍କାର ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ରିଜର୍ଭ ବ୍ୟାଙ୍କକୁ ଫେରି ଆସିଲା । ଯଦି ୧୫.୩୧ ଲକ୍ଷ କୋଟି ଟଙ୍କା ଫେରି ପାରିଲା , ତେବେ ୩.୬୨ ଲକ୍ଷ କୋଟି ଟଙ୍କା ଯେ ଫେରିବ ନାହିଁ ତାହା ଭାବିବା ଭୁଲ୍ ଅଟେ ।‌

ସରକାର ଯଦି ୨୦୦୦ ଟଙ୍କିଆ ନୋଟ୍ ଫେରାଇବାକୁ ଚାହୁଁଛନ୍ତି ତେବେ ତାହା କରନ୍ତୁ । କିନ୍ତୁ ତାହା ଘୋଷଣା କରିବା କ’ଣ ଦରକାର ଥିଲା ? ସେଥିରୁ ସରକାରଙ୍କୁ ଓ ଅର୍ଥନୀତିକୁ କ’ଣ ଲାଭ ମିଳିବ ? ସେପ୍ଟେମ୍ବର ୩୦ କାହିଁକି ଗୁରୁତ୍ୱପୂର୍ଣ୍ଣ ? ଏସବୁ ପ୍ରଶ୍ନର କୈାଣସି ଠୋସ୍ ଉତ୍ତର ଶକ୍ତିକାନ୍ତ ଦାସ ମଧ୍ୟ ଦେଇ ପାରୁ ନାହାନ୍ତି । ହଁ, ଯଦି ସରକାର ମିଡିଆରେ ଆଉ କେଉଁ ପ୍ରତିକୁଳ ଖବରକୁ ଗୈାଣ କରିବା ପାଇଁ ଏଭଳି ହଟଚମଟ କରିବା ପାଇଁ ସାମର୍ଥ୍ୟ ରଖିଥିବା ଖବରକୁ ଛାଡିଥିବେ କିମ୍ବା ସେପ୍ଟେମ୍ବର ୩୦ ତାରିଖରେ ସରକାର ଯଦି କୈାଣସି ଝଟକା ନିଷ୍ପତ୍ତି ଶୁଣାଇବେ ବୋଲି ଯୋଜନା ରଖିଛନ୍ତି, ତାହେଲେ ତାହା ଏକ ଅଲଗା କଥା । ନଚେତ୍ ଏସବୁ ପ୍ରଶ୍ନର ମୂଲ୍ୟ ୨୦୦୦ ଟଙ୍କା ଠାରୁ ମଧ୍ୟ କମ୍ ।

ଯେ ପର୍ଯ୍ୟନ୍ତ ଏବିଷୟରେ ଅଧିକ କୈାଣସି ତଥ୍ୟ ନ ଆସିଛି ସେ ପର୍ଯ୍ୟନ୍ତ ଏ କ୍ୟା ହୁଆ, କୈସେ ହୁଆ, କବ୍ ହୁଆ, କ୍ୟୁଁ ହୁଆ, ଯବ୍ ହୁଆ, ତବ୍ ହୁଆ ଆଦି ବେକାର ପ୍ରଶ୍ନ ବିଷୟରେ ଭାବିବା ଦରକାର ବୋଲି ଜଣାପଡୁ ନାହିଁ ।

Related Posts