ଭିଆଇପି ଲେନ୍ ରେ ଆମ୍ବୁଲାନ୍ସ ଆସିବା ମନା ! ଗୁରୁତର ରୋଗୀଙ୍କୁ ନେଇ ଆସୁଥିବା ଆମ୍ବୁଲାନ୍ସକୁ ଅଟକାଇଲେ ଟୋଲଗେଟ୍ କର୍ମଚାରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭିଆଇପି ଲେନ୍ ରେ ଯାଉଥିବାରୁ ଆମ୍ବୁଲାନ୍ସକୁ ଅଟକାଇଲେ ଟୋଲଗେଟ୍ କର୍ମଚାରୀ। ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ଆମ୍ବୁଲାନ୍ସ ଡ୍ରାଇଭର। ଘଟଣା ହେଉଛି ଗତ ଦୁଇ ତିନି ଦିନ ତଳର। ଅଭିଯୋଗ ମୁତାବକ, ଜଣେ ଗୁରୁତର ରୋଗୀଙ୍କୁ ପିପିଲି ମେଡିକାଲରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ରେଫର କରାଯାଇଥିଲା। ପିପିଲି ଟୋଲଗେଟ୍ ନିକଟରେ ଅନ୍ୟସବୁ ଲାଇନ୍ ରେ ଗାଡି ଭର୍ତ୍ତି ହୋଇଥିବା କାରଣରୁ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ଖାଲିପଡିଥିବା ଭିଆଇପି ଲେନରେ ଆମ୍ବୁଲାନ୍ସ ନେବାକୁ ଚେଷ୍ଟା କରିଥିଲେ। ତେବେ ଭିଆଇପି ଲାଇନରେ ଆମ୍ବୁଲାନ୍ସ କାହିଁକି ନେଉଛ ବୋଲି ଜଣେ ଅଣଓଡ଼ିଆ କର୍ମଚାରୀ ଡ୍ରାଇଭରଙ୍କ ସହ ଯୁକ୍ତିତର୍କ କରିଥିଲେ। ଏମିତିକି ଆମ୍ବୁଲାନ୍ସକୁ ୭ରୁ ୮ମିନିଟ ଯାଏଁ ଅଟକାଇ ରଖିଥିବା ଡ୍ରାଇଭର ଜଣକ ଅଭିଯୋଗ କରିଛନ୍ତି।

ତେବେ ଟୋଲଗେଟ୍ କର୍ମଚାରୀଙ୍କ ଯୁକ୍ତିତର୍କ ଶୁଣି ରୋଗୀଙ୍କ ପରିବାର ଲୋକେ ସମ୍ପୃକ୍ତ କର୍ମଚାରୀଙ୍କୁ ଆମ୍ବୁଲାନ୍ସକୁ ରାସ୍ତା ଦେବାକୁ ଗୁହାରି କରି ଥିଲେ। ଏହା ପରେ ଗାଡି ନେବାକୁ ଅନୁମତି ମିଳିଥିଲା। ଅପରପକ୍ଷରେ ଟୋଲଗେଟ୍ କର୍ତ୍ତୃପକ୍ଷଙ୍କ କହିବା କଥା ହେଉଛି ଯେ ଆମ୍ବୁଲାନ୍ସ ପାଇଁ ଭିଆଇପି ଲେନ୍ ଥିବା ବେଳେ ଡ୍ରାଇଭର ଅନ୍ୟ ଲାଇନରେ ଗାଡ଼ି ଆଣିଥିଲେ। ତେବେ ଘଟଣା ସମ୍ପର୍କରେ ପିପିଲି ଥାନା ଅଧିକାରୀ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଆମ୍ବୁଲାନ୍ସ ଡ୍ରାଇଭର କହିଛନ୍ତି ଯେ ଅନ୍ୟ ଲାଇନରେ ଭିଡ଼ ଥିବାରୁ ଆମେ ଭିଆଇପି ଲେନ୍‌ରେ ଯାଇଥିଲୁ। କିନ୍ତୁ ସେଠାରେ ବୁମ୍‌ ଟେକାଯାଇଥିଲେ ବି ଆଗରେ ଲୁହାର ଚେୟାର ପଡ଼ିଥିଲା। ଚେୟାର କାଢିବା ପାଇଁ ସେଠାରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ କହିଥିଲୁ । କିନ୍ତୁ ଚେୟାର କାଢିବା ପାଇଁ ସେ ମନା କରିଦେଇଥିଲେ। ସମ୍ପୃକ୍ତ ଅଧିକାରୀ ଜଣକ ହିନ୍ଦୀରେ କହିଥିଲେ ଯେ, ‘ ଇଧର୍‌ ସେ ନେହି ଯାନା ହେ ‘ । 

ଆମ୍ବୁଲାନ୍ସ ଡ୍ରାଇଭର ଜଣକ ଅଭିଯୋଗ କରିଛନ୍ତି ଯେ ଆମେ ସେଠାରେ ପ୍ରାୟ ୧୦ ମିନିଟ୍‌ କାଳ ଠିଆ ହୋଇଥିଲୁ। ଦୀର୍ଘ ସମୟ ପରେ ସେ ଆମକୁ ଛାଡ଼ିଦେଇଥିଲେ। ଆମେ ଏହି ଘଟଣାର ଭିଡିଓ ମଧ୍ୟ କରିଛୁ। ଏ ଅବସ୍ଥା ଜଣେ ଗୁରୁତର ରୋଗୀଙ୍କ ପାଇଁ ବିପଦଜନକ ବୋଲି ସେ କହିଛନ୍ତି। ଏ ନେଇ ଟୋଲଗେଟ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ପିପିଲି ଥାନାରେ ଏତଲା ଦେଇଛନ୍ତି ସଂପୃକ୍ତ ଆମ୍ବୁଲାନ୍ସ ଡ୍ରାଇଭର।

Related Posts