“ଅମିତ ଶାହ ହେଉଛନ୍ତି ଭାରତର ସବୁଠାରୁ ବଡ ପପୁ”: ଅଭିଷେକ ବାନାର୍ଜୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଅପରିପକ୍ୱ ଭାବଭଙ୍ଗୀକୁ ନେଇ ବିଜେପି ସବୁବେଳେ ତାଙ୍କୁ ପପୁ ବୋଲି କହି କଟାକ୍ଷ କରିଆସିଛି। ହେଲେ ଗୁରୁବାର ପଶ୍ଚିମବଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପପୁ ବୋଲି କହି କଡ଼ା ସମାଲୋଚନା କରିଛି ତୃଣମୂଳ କଂଗ୍ରେସ । ଦଳ ପକ୍ଷରୁ ଅମିତ ଶାହଙ୍କ ଫଟୋ ସହ ‘ଭାରତର ସବୁଠାରୁ ବଡ଼ ପପୁ’ ଲେଖା ଥିବା ଟି-ଶାର୍ଟ ବଣ୍ଟନ କରାଯାଇଛି। ଏହି ସମୟରେ ଶାହଙ୍କୁ କାହିଁକି ପପୁ ବୋଲି କୁହାଯାଉଛି ସେ ନେଇ ସମସ୍ତଙ୍କୁ ବୁଝାଇଛନ୍ତି ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀ। କୋଇଲା ଦୁର୍ନୀତି ଅଭିଯୋଗରେ ସିବିଆଇ ଓ ଇଡି ସ୍କାନରେ ଥିବା ଅଭିଷେକ ବାନାର୍ଜୀ ଅମିତ୍ ଶାହଙ୍କୁ ଭାରତର ସବୁଠାରୁ ବଡ଼ ପପୁ ବୋଲି କହିଛନ୍ତି। ଗତ ସପ୍ତାହରେ ଅଭିଷେକଙ୍କୁ ଘଣ୍ଟା ଘଣ୍ଟା ଧରି ଜେରା କରିଥିଲେ ଇଡି। ଏହାପରେ ଗୁରୁବାର ଶାହଙ୍କୁ କଡ଼ା ଟାର୍ଗେଟ୍ କରିଛନ୍ତି ଅଭିଷେକ। ଆଜି ରାଜ୍ୟରେ ଟିଏମ୍‌ସି କର୍ମୀଙ୍କୁ ସମ୍ବୋଧନ କଲାବେଳେ ଅଭିଷେକ କହିଛନ୍ତି ‘ମୁଁ ଅମିତ ଶାହଙ୍କୁ ସବୁଠାରୁ ବଡ଼ ପପୁ ବୋଲି କହୁଛି। ଏହା ପଛରେ କାରଣ ରହିଛି। ଦିଲ୍ଲୀର ଅପରାଧ ହାରକୁ ଦେଖନ୍ତୁ ଓ କୋଲକାତାର ଅପରାଧ ହାରକୁ ଦେଖନ୍ତୁ। କୋଲକାତାରେ ଏହା ସବୁଠାରୁ କମ୍। କେନ୍ଦ୍ରୀୟ ଏଜେନ୍ସି ଖୋଦ ଏହି ରିପୋର୍ଟ ଦେଉଛନ୍ତି। ଦିଲ୍ଲୀ ପୁଲିସ ଗୃହମନ୍ତ୍ରାଳୟ ଅଧୀନରେ ରହିଛି। ହେଲେ ଦିଲ୍ଲୀରେ ଅପରାଧ ହାର ସବୁଠାରୁ ଅଧିକ।’ ବୋଲି ସେ କହିଛନ୍ତି।

ଅମିତ ଶାହଙ୍କୁ ଜାତୀୟତାର ପାଠ ପଢ଼ାଇ ଅଭିଷେକ କହିଛନ୍ତି ‘ଆପଣ(ଅମିତ ଶାହ) ଦେଶକୁ ଜାତୀୟତାର ପାଠ ପଢାଉଛନ୍ତି। ହେଲେ ଆପଣଙ୍କ ପୁଅଙ୍କୁ ଜାତୀୟ ପତାକା ଧରିବାକୁ ସମସ୍ୟା ହେଉଛି। ଆଗେ ତାକୁ ଜାତୀୟତାର ପାଠ ପଢ଼ାଅ।’ ଦୁବାଇ କ୍ରିକେଟ୍ ମ୍ୟାଚ୍‌ରେ ଜୟ ଶାହ ତ୍ରିରଙ୍ଗା ଧରିବାକୁ ମନା କରିଥିବା ଭିଡିଓକୁ ଉଦାହରଣ ଦେଇ ଏପରି କହିଛନ୍ତି ଅଭିଷେକ। ଏଥିସହିତ ବିଭିନ୍ନ ବିରୋଧୀ ଦଳଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସି ଲଗାଇବା ନେଇ ବିଜେପିକୁ କଡା ଭାଷାରେ ଟାର୍ଗେଟ୍ କରିଛନ୍ତି ଅଭିଷେକ।

Related Posts