ଶେଷ ହେଲା ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ, ଦୀର୍ଘ ୧୦୨୦ ଦିନ ପରେ ବିରାଟଙ୍କ ବ୍ୟାଟ୍‌ରୁ ଆସିଲା ୭୧ତମ ଶତକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିରାଟ କୋହଲିଙ୍କ ପ୍ରଶଂସକଙ୍କ ଲମ୍ବା ଅପେକ୍ଷାର ଅନ୍ତ ଘଟିଛି। ଦୀର୍ଘ ୧୦୨୦ ଦିନର ସଂଘର୍ଷ ପରେ ବିରାଟଙ୍କ ବ୍ୟାଟ୍‌ରୁ ମିଳିଛି ଶତକ। ବିଗତ ପ୍ରାୟ ତିନି ବର୍ଷ ମଧ୍ୟରେ କୋହଲି ଖେଳିଥିବା ୮୪ଟି ଅନ୍ତର୍ଜାତୀୟ ପାଳି ଶତକଶୂନ୍ୟ ଥିଲା। ଏଥିପାଇଁ ତାଙ୍କ ପ୍ରଶଂସକ ମାନେ ନିରାଶ ମଧ୍ୟ ଥିଲେ। ହେଲେ ଗୁରୁବାର ଆଫଗାନିସ୍ତାନ ବିପକ୍ଷ ଏସିଆ କପ୍ ମ୍ୟାଚ୍‌ରେ କୋହଲି କିନ୍ତୁ ମାତ୍ର ୬୧ ବଲରୁ ୧୨୨* ରନ୍‌ (୧୨ ଚୌକା, ୬ ଛକା)ର ପାଳି ଖେଳି ପୁଣି ସମସ୍ତଙ୍କୁ ଖୁସି କରିଦେଇଛନ୍ତି। କୋହଲିଙ୍କ ସହିତ ତାଙ୍କ କୋଟି କୋଟି ପ୍ରଶଂସକଙ୍କ ମୁହଁରେ ହସ ଫୁଟିଛି । ଏସିଆ କପ୍‌ ନୈରାଶ୍ୟ ପରେ କୋହଲିଙ୍କ ଫର୍ମ ମଧ୍ୟ ଭାରତକୁ ବିଶ୍ବକପ୍‌ ପୂର୍ବରୁ ସମସ୍ତଙ୍କୁ ଆତ୍ମସନ୍ତୋଷ ଦେଇଛି। ଅନେକ ମାଇଲଖୁଣ୍ଟର ପ୍ରତିଷ୍ଠାତା ବିରାଟ କୋହଲି ନିଜର ଅନ୍ୟତମ ଅଧୁରା ସ୍ବପ୍ନକୁ ଏହି ଅବସରରେ ପୂରଣ କରିଛନ୍ତି। ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପ୍ରଥମ ଶତକ ହାସଲ କରିବା ସହ ଏହି ଫର୍ମାଟରେ ଭାରତ ପାଇଁ ସର୍ବାଧିକ ବ୍ୟକ୍ତିଗତ ରନ ହାସଲ କରିଛନ୍ତି ବିରାଟ।

ପୂର୍ବରୁ ଏହି କୀର୍ତ୍ତିମାନ ରୋହିତ ଶର୍ମାଙ୍କ (୧୧୮ ବନାମ ଶ୍ରୀଲଙ୍କା, ଇନ୍ଦୋର, ୨୦୧୭) ନାମରେ ଥିଲା । ଅନ୍ତର୍ଜାତୀୟ କ୍ରିକେଟ୍‌ରେ କୋହଲି ମଧ୍ୟ ୭୧ତମ ଶତକ ସହିତ ରିକି ପଣ୍ଟିଂଙ୍କ ସମକକ୍ଷ ହୋଇଛନ୍ତି। ଏହି ତାଲିକାରେ ଶୀର୍ଷରେ ରହିଛନ୍ତି ସଚିନ ତେନ୍ଦୁଲକର (୧୦୦ ଶତକ, ୭୮୨ ପାଳି)। ଟ୍ବେଣ୍ଟି-୨୦ ଫର୍ମାଟରେ କୋହଲି ଭାରତ ପାଇଁ ପ୍ରଥମ ଶତକ ହାସଲ କରିଥିଲେ ମଧ୍ୟ ଏସିଆ କପ୍‌ରେ ଏହା ତାଙ୍କ ଚତୁର୍ଥ ଶତକ। ଏଥି ସହିତ କୁମାର ସାଙ୍ଗାକାରାଙ୍କ ସମକକ୍ଷ ଏବଂ ଜୟସୁରିଆ (୬ ଶତକ)ଙ୍କ ପଛକୁ ସେ ଦ୍ବିତୀୟରେ ପହଞ୍ଚିଛନ୍ତି। ଟ୍ବେଣ୍ଟି-୨୦ ଫର୍ମାଟରେ କୋହଲିଙ୍କ ପୂର୍ବ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ ଥିଲା ୧୧୩ ରନ୍‌ (ଆର୍‌ସିବି ବନାମ ପଞ୍ଜାବ କିଙ୍ଗ୍ସ, ୨୦୧୬)। କୋହଲିଙ୍କ ଏହି ଆକର୍ଷଣୀୟ ଶତକ ସହିତ ଭାରତ ମଧ୍ୟ ଗୁରୁବାର ଗୁରୁତ୍ବହୀନ ମ୍ୟାଚ୍‌ରେ ୨୧୨ ରନ୍‌ ସ୍କୋର୍‌ କରି ନେଇଥିଲା। ଏହା ପରେ ଭୁବନେଶ୍ବର କୁମାର (୪-୧-୪-୫)ଙ୍କ ଘାତକ ବୋଲିଙ୍ଗ ଫଳରେ ଭାରତ ଆଫଗାନିସ୍ତାନ ବିପକ୍ଷରେ ସାନ୍ତ୍ବନାମୂଳକ ବିଜୟ ହାସଲ କରି ନେଇଥିଲା।

Related Posts