ଚାକିରୀ ମିଳିବ, ଋଣ ମିଳିବ , ପେନସନ ବି ମିଳିବ : ଅମିତ ଶାହା

ସତ୍ୟପାଠ ବ୍ୟୁରୋ : ଶେଷରେ ଶାହା କାଢ଼ିଲେ ଶେଷ ଅସ୍ତ୍ର । ନିର୍ବାଚନୀ ମହାଯୁଦ୍ଧରେ ନବୀନ ଓ ବିଜେଡିକୁ ଧରାଶାୟୀ କରିବା ପାଇଁ ମୋରଡା ମଂଚରୁ ବ୍ରହ୍ମାସ୍ତ୍ର ପ୍ରୟୋଗ କରିଛନ୍ତି ଶାହା । ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଆଜି ପ୍ରଚାରର ଶେଷ ଦିନରେ ଓଡିଶା ଆସି ପ୍ରତିଶ୍ରୁତିର ପାହାଡ ଛିଡା କରାଇ ଦେଇଛନ୍ତି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ।

ବିଜେପି ସରକାର ଆସିଲେ ଶ୍ରମିକ ଓ କୃଷକଙ୍କୁ ପେନସନ ମିଳିବ । ମହାନଦୀ ପାଇଁ ୧ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ପ୍ରତି ଘରୁ ଜଣକୁ ଚାକିରୀ ମିଳିବ । ବ୍ୟବସାୟ ପାଇଁ ସବୁ ଯୁବକଙ୍କୁ ଋଣ ମିଳିବ । ଆଦିବାସୀଙ୍କୁ ଜମି ପଟ୍ଟା ଦିଆଯିବ । କେନ୍ଦୁପତ୍ରରୁ ଜିଏସଟି ଛାଡ କରାଯିବ । ମୁଣ୍ଡାରୀ ଓ ହୋ ଭାଷାକୁ ସମ୍ବିଧାନରେ ସାମିଲ କରାଯିବ । ଏମିତି ଆହୁରି ଅନେକ ପ୍ରତିଶ୍ରୁତି ଫିଙ୍ଗି ଭୋଟ ମାଗିଛନ୍ତି ଅମିତ ଶାହା । ଯାହା ପାଂଚ ବର୍ଷରେ ହୋଇ ପାରିନି ତାହା କରିବା ପାଇଁ ବିଜେପିକୁ ଆଉ ପାଂଚ ବର୍ଷ କ୍ଷମତା ଦେବା ପାଇଁ ଶାହା ଓଡିଶାରେ ପ୍ରଚାର ବେଳେ ଅନୁରୋଧ କରିଛନ୍ତି ।

ଖାଲି ସେତିକି ନୁହେଁ, ନବୀନଙ୍କୁ ନିଶାନା କରି ଶାହା କହିଛନ୍ତି ଓଡିଆ ଜାଣି ନଥିବା ଲୋକ ଓଡିଶାରେ ଶାସନ କରିବା ଉଚିତ ନୁହେଁ । ଭାରତର ୨୬୨ଟି ଲୋକସଭା କ୍ଷେତ୍ର ବୁଲିଲା ବେଳେ ଚାରିଆଡେ ପରିବର୍ତ୍ତନର ହାୱା ବହିଛି । ସବୁଠି ମୋଦି ମୋଦି ନାରା ଶୁଭୁଛି ବୋଲି ସେ କହିଛନ୍ତି । ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନକୁ ୧୮ଘଂଟା କାମ କରୁଥିବା ବେଳେ ଦିନଟିଏ ବି ଛୁଟି ନେଇ ନଥିବା ଶାହା କହିଛନ୍ତି ।

Related Posts