ମୁକୁଳିବେ ମହାରଥୀ , ମିଳିଲା ସର୍ତ୍ତମୂଳକ ଜାମିନ

ସତ୍ୟପାଠ ବ୍ୟୁରୋ : ପ୍ରଦୀପ ମହାରଥୀଙ୍କୁ ମିଳିଲା ଜାମିନ । ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ସ୍ୱତନ୍ତ୍ର ପ୍ରାଧିକୃତ କୋର୍ଟ । ୫୦ହଜାର ଟଙ୍କା ଓ ୨ଜଣ ଜାମିନଦାରଙ୍କ ବଦଳରେ ମିଳିଲା ଜାମିନ । ସାକ୍ଷୀଙ୍କୁ ପ୍ରଭାବିତ କରିବେନି ଓ ତଦନ୍ତରେ ସହଯୋଗ କରିବାକୁ ସର୍ତ୍ତ ଦେଇ ପ୍ରଦୀପ ମହାରଥୀଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି ।

ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ନିଜ ଫାର୍ମ ହାଉସରେ ରେଡ ବେଳେ ଫ୍ଲାଇଂ ସ୍କ୍ୱାର୍ଡ ମାଜିଷ୍ଟ୍ରେଟଙ୍କୁ ମାଡ ମାରିଥିବା ଅଭିଯୋଗରେ ଗିରଫ ହୋଇଥିଲେ । ଗତ ୨୨ ତାରିଖ ଅର୍ଥାତ ତୃତୀୟ ପର୍ଯ୍ୟାୟ ନିର୍ବାଚନର ପୂର୍ବଦିନ ହିଁ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ବିରୋଧରେ ବହୁ ସଂଗୀନ ଦଫା ଲାଗିଥିବା ବେଳେ ତାଙ୍କୁ ସେହିଦିନ ଜାମିନ ମିଳି ନଥିଲା । ତେବେ ଝାରପଡା ଜେଲରେ ସେ ଥିବା ବେଳେ ଗିରଫ ଦିନ ରାତିରେ ତାଙ୍କ ସ୍ୱାସ୍ଥାବସ୍ଥା ବିଗିଡି ଯାଇଥିଲା । ଫଳରେ ତାଙ୍କୁ କ୍ୟାପିଟାଲ ହସପିଟାଲ ନିଆଯାଇଥିଲା । ଗତ ୨୪ ତାରିଖରେ ତାଙ୍କର ଜାମିନ ଆବେଦନର ଶୁଣାଣି ଥିବା ବେଳେ ପୁଲିସ କେସ୍ ଡାଏରୀ ଓ ଇଂଜୁରୀ ରିପୋର୍ଟ ଦେଇ ନଥିବା ଯୋଗୁ ତାଙ୍କୁ ଜାମିନ ମିଳି ନଥିଲା ।

ତେବେ ତାଙ୍କୁ ଆଜି ସର୍ତ୍ତମୂଳକ ଜାମିନ ମିଳିଛି । ଏବେ କୋର୍ଟରୁ ଜାମିନ କାଗଜାତ ଝାରପଡା ଜେଲରେ ସଂଧ୍ୟା ୬ଟା ପୂର୍ବରୁ ପହଂଚିଲେ ସେ ଆଜି ମୁକୁଳି ପାରନ୍ତି ନଚେତ ଆସନ୍ତାକାଲି ବାହାରିବେ । ଏବେ ସେ କ୍ୟାପିଟାଲ ହସପିଟାଲର କ୍ୟାବିନ ନମ୍ବର ୫ରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ସ୍ୱାସ୍ଥାବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିଲେ ବି ତାଙ୍କୁ ବିଶ୍ରାମ ଓ ଚିକିତ୍ସା ଦରକାର ବୋଲି କୁହାଯାଉଛି ।

ଗିରଫ ପୂର୍ବରୁ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଏ ଘଟଣାରେ ତାଙ୍କର କିମ୍ବା ତାଙ୍କ ଦଳର କୌଣସି ସଂପୃକ୍ତି ନଥିବା ମହାରଥୀ ନିଜ ପକ୍ଷ ରଖିଥିଲେ ।

Related Posts