ମଣିପୁରରେ ଉପଦ୍ରବକାରୀଙ୍କୁ ଅମିତ ଶାହଙ୍କ ଚରମ ଚେତାବନୀ; ହତିଆର ରଖିଥିଲେ ଫେରାଅ, କାଲିଠୁ ଆରମ୍ଭ ହେବ ସର୍ଚ୍ଚ ଅପରେସନ

ଭୁବନେଶ୍ୱର,୧/୬(ସତ୍ୟପାଠ ବ୍ୟୁରୋ): ମଣିପୁରରେ ହିଂସା ପରଠାରୁ ଗତ ଏକ ମାସ ଧରି ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗିରହିଛି। ଏବେବି ରାଜ୍ୟର ୧୧ ଜିଲ୍ଲାରେ କର୍ଫ୍ୟୁ ବଳବତ୍ତର ରହିଛି। ଏହାରି ମଧ୍ୟରେ ନିଜେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଚାରି ଦିନିଆ ଗସ୍ତରେ ମଣିପୁର ଯାଇ ସ୍ଥିତି ସମୀକ୍ଷା କରୁଛନ୍ତି। ତେବେ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ହିଂସାର କାରଣ ବିଷୟରେ କହିଛନ୍ତି। ସେ କହିଛନ୍ତି ଏକ ଭୁଲ ବୁଝାମଣା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅମିତ ଶାହ ହିଂସାକୁ ରୋକିବା ପାଇଁ, ହିଂସାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଗୁରୁବାର ଅମିତ ଶାହ ଆହୁରି ଅନେକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ରାଜ୍ୟରେ ହିଂସା ଘଟଣାର ଯାଞ୍ଚ ପାଇଁ ଏକ ନ୍ୟାୟିକ ଆୟୋଗ ଗଠନ କରାଯିବ, ଯାହାର ନେତୃତ୍ବ ହାଇକୋର୍ଟ କରିବେ। ଏହା ବ୍ୟତୀତ ସିବିଆଇ ଯାଞ୍ଚ କରାଯିବ। ଶାହ କହିଛନ୍ତି ”କାଲିଠାରୁ ରାଜ୍ୟରେ ସୁରକ୍ଷା ବଳ ସର୍ଚ୍ଚ ଅପରେସନ ଚଳାଇବେ। ଏହି ସମୟରେ ଯଦି କାହା ପାଖରେ ହତିଆର ମିଳିଲା ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ସେ ଆହୁରି କହିଛନ୍ତି ଯାହା ପାଖରେ ହତିଆର ରହିଛି ତେବେ ଏବେ ସମର୍ପଣ କରିନିଅନ୍ତୁ। ଯଦି ଏହା ପରେ ମିଳିଲା ତେବେ‌ କଡ଼ା ଆକ୍ସନ ନିଆଯିବ।”

ସେପଟେ ରାଜ୍ୟରେ ଡିଜିପି ପୀ.ଡୋଙ୍ଗେଲଙ୍କୁ ବଦଳି କରାଯାଇଛି ଏବଂ ତାଙ୍କ ସ୍ଥାନରେ ରାଜୀବ ସିଂହଙ୍କୁ ଦାୟିତ୍ବ ଦିଆଯାଇଛି।

ସୂଚନାଥାଉକି, ମେ ୩ରୁ ଲାଗିରହିଥିବା ମଣିପୁର ହିଂସାରେ ଏପର୍ଯ୍ୟନ୍ତ ୮୦ ଲୋକଙ୍କ ଜୀବନ ଗଲାଣି। ୩୦୦ ଲୋକ ଆହତ ହୋଇଛନ୍ତି। ୩୫ ହଜାର ନାଗରିକ ପଡ଼ୋଶୀ ରାଜ୍ୟ ମିଜେରାମ, ଆସମର ଶରଣ ନେଇଛନ୍ତି। ଉଭୟ କୂକୀ ଏବଂ ମୈତେଇ ସମ୍ପ୍ରଦାୟର ଲୋକଙ୍କୁ ଘର ଛାଡ଼ିବାକୁ ପଡ଼ିଛି। ଗୁରୁବାର ଅମିତ ଶାହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଏବଂ ଜଣକୁ ଚାକିରି ଦେବାନେଇ ଘୋଷଣା କରିଛନ୍ତି। ଏହି ସହାୟତାରେ ୫ଲକ୍ଷ କେନ୍ଦ୍ର ସରକାର ଦେବେ ଏବଂ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ସହାୟତା ଦିଆଯିବ।

ଉଲ୍ଲେଖଯୋଗ୍ୟ ଯେ, ମଣିପୁର ହାଇକୋର୍ଟ ଏକ ନିଷ୍ପତ୍ତି ଶୁଣାଣି ଥିଲେ ଯେଉଁଥିରେ ମୈତେଇ ସମୁଦାୟର ଲୋକଙ୍କୁ ଏସଟି ମାନ୍ୟତା ଉପରେ ବିଚାର କରିବାକୁ ସରକାରଙ୍କୁ ପରାମର୍ଶ ଦିଆଯାଇଥିଲା। ଏହା ପରେ ରାଜ୍ୟରେ କୁକୀ ସମୁଦାୟ ବିରୋଧ କରିଥିଲେ। ପରେ ସେମାନେ ମେ ୩ରେ ଏକ ପ୍ରଦର୍ଶନ ସମୟରେ ରାଜ୍ୟରେ ସ୍ଥିତି ଖରାପ ହୋଇଥିଲା ଆଉ ସେବେଠାରୁ ଏପର୍ଯ୍ୟନ୍ତ ସ୍ଥିତି ସୁଧୁରିନାହିଁ।

Related Posts