ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ବାୟୁସେନା ପ୍ରଶିକ୍ଷଣ ବିମାନ, ଅଳ୍ପକେ ବର୍ତ୍ତିଲେ ୨ ପାଇଲଟ୍

ଭୁବନେଶ୍ୱର,୧/୬(ସତ୍ୟପାଠ ବ୍ୟୁରୋ): ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ବାୟୁସେନା ପ୍ରଶିକ୍ଷଣ ବିମାନ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୨ ପାଇଲଟ୍ । ଏହି ଘଟଣାଟି କର୍ଣ୍ଣାଟକର ଚାମରାଜନଗରର ମକାଲି ଗ୍ରାମ ନିକଟରେ ହୋଇଛି । ଦୁର୍ଘଟଣାର ଶିକାର ହୋଇଥିବା ବିମାନକୁ ବାୟୁସେନାର କିରଣ ପ୍ରଶିକ୍ଷକ ବିମାନ ବୋଲି କୁହାଯାଉଛି । ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି ।

ତେବେ ଉଭୟ ପାଇଲଟ ସୁରକ୍ଷିତ ଥିବା ସୂଚନା ମିଳିଛି । ଭାରତୀୟ ବାୟୁସେନାର ଟ୍ୱିଟ୍ ମୁତାବକ କିରଣ ପ୍ରଶିକ୍ଷଣ ବିମାନ ଆଜି ନିୟମିତ ଭାବେ ପ୍ରଶିକ୍ଷଣ ଉଡାନ କ୍ରମରେ ଦୁର୍ଘଟଣାରେ ଶିକାର ହୋଇଛି ।ତେବେ କେଉଁ କାରଣରୁ ଦୁର୍ଘଟଣା ହୋଇଛି ଏହାର କାରଣ ଅସ୍ପଷ୍ଟ ରହିଛି । ଦୁର୍ଘଟଣାର କାରଣ ଜାଣିବାକୁ କୋର୍ଟ ଅଫ୍ ଇନକ୍ୱାରୀକୁ ନିର୍ଦ୍ଦେଶ ଦିଆଯାଇଛି । କୁହାଯାଉଛି ଯେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଉଭୟ ପାଇଲଟଙ୍କୁ ସୁରକ୍ଷିତ ଭାବେ ବାହାରକୁ ନିଆଯାଇଥିଲା।

ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଦୁର୍ଘଟଣାଗ୍ରସ୍ତ ବିମାନରେ ନିଆଁ ଓ ଧୂଆଁ ଦେଖାଯାଉଛି। ସୂଚନା ଥାଉକି ଅଳ୍ପ କିଛିଦିନ ତଳେ ମଧ୍ୟପ୍ରଦେଶର ଭିଣ୍ଡଠାରେ ଭାରତୀୟ ବାୟୁସେନାର ଆପାଚି ହେଲିକପ୍ଟରର କିଛି ତୃଟି କାରଣରୁ ଜରୁରୀ ଅବତରଣ କରାଯାଇଥିଲା । ଏହି ଘଟଣା ୨୭ ମଇରେ ହୋଇଥିଲା ।

Related Posts