୨ ବର୍ଷରେ ଅମାନିଆଙ୍କ ଠାରୁ ୫୦ କୋଟି ଜୋରିମାନା ଆଦାୟ କରିଛି କମିଶନରେଟ୍ ପୋଲିସ : ବିଧାନସଭାରେ ସୂଚନା ଦେଲେ ମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କଟକଣା ଏବଂ ଟ୍ରାଫିକ୍ ନିୟମ ଉଲଂଘନକାରୀଙ୍କ ଠାରୁ ଗତ ଦୁଇ ବର୍ଷ ମଧ୍ୟରେ ୫୦ କୋଟି ଜୋରିମାନା ଆଦାୟ କରିଛି କମିଶନରେଟ୍ ପୋଲିସ । କେବଳ ରାଜଧାନୀ ଭୁବନେଶ୍ୱରରୁ ୪୫ କୋଟି ଟଙ୍କା ଜୋରିମାନା ଆଦାୟ କରାଯାଇଛି। ସେହିପରି କଟକବାସୀଙ୍କ ଠାରୁ ୫ କୋଟି ଟଙ୍କା ଜୋରିମାନା ଆଦାୟ କରିଛି କମିଶନରେଟ୍ ପୋଲିସ । ସୋମବାର ବିଧାନସଭାରେ ଏହି ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ  ଦିବ୍ୟଶଙ୍କର ମିଶ୍ର। ବିଧାୟକ ସୌଭିକ ବିଶ୍ୱାଳଙ୍କ ଏକ ପ୍ରଶ୍ନର ଉତ୍ତର ରଖି ଏହି ତଥ୍ୟ ଦେଇଛନ୍ତି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ  ଦିବ୍ୟଶଙ୍କର ମିଶ୍ର । 

ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଭୁବନେଶ୍ୱରରୁ ୨୦୨୦ ମସିହାରେ ଟ୍ରାଫିକ୍ ନିୟମ ଉଲଂଘନ ବାବଦକୁ ସାଢେ ୧୩ କୋଟି ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ , ବିନା ହେଲମେଟ୍ ବାବଦକୁ ସାଢେ ୮ କୋଟି ଟଙ୍କା ଆଦାୟ ହୋଇଛି। 

ସେହିପରି ବିନା ସିଟ୍ ବେଲ୍ଟ ପାଇଁ ୬୫ ଲକ୍ଷ ଟଙ୍କା ଏବଂ ମାସ୍କ ପିନ୍ଧି ନ ଥିବା ଲୋକଙ୍କ ଠାରୁ ୮ ଲକ୍ଷରୁ ଅଧିକ ଟଙ୍କା ଜୋରିମାନା ଆଦାୟ କରିଛି ପୋଲିସ । ସେହିଭଳି ୨୦୨୧ରେ ମଧ୍ୟ କମିଶନରେଟ୍ ପୁଲିସ୍‌  ଟ୍ରାଫିକ୍ ନିୟମ ଓ କରୋନା କଟକଣା ଉଲଂଘନକାରୀଙ୍କ ଠାରୁ କୋଟି କୋଟି ଟଙ୍କା ଫାଇନ୍ ଆଦାୟ ହୋଇଛି । ୨୦୨୧ ଅଗଷ୍ଟ ଶେଷ ସୁଦ୍ଧା ରାଜଧାନୀରେ ଅମାନିଆଙ୍କଠାରୁ  ୨୧ କୋଟି ୬୨ ଲକ୍ଷ ୯୯ ହଜାର ୧୦୦ଟଙ୍କା ଜରିମାନା ଆଦାୟ ହୋଇଛି ଏବଂ ଟ୍ରାଫିକ ନିୟମ ଉଲଘଂନକାରୀଙ୍କ ନିକଟରୁ ୮ ମାସରେ ୧୧କୋଟି ୮୩ଲକ୍ଷ ୬୫ହଜାର ୭୦୦ଟଙ୍କା ଜରିମାନା ଆଦାୟ ହୋଇଛି।

ଏହି ଅବଧି ମଧ୍ୟରେ ବିନା ହେଲମେଟ ଧାରୀଙ୍କଠାରୁ ୯  କୋଟି ୨୦ଲକ୍ଷ ୯ହଜାର ୩ଶହଟଙ୍କା ଆଦାୟ ହୋଇଛି। ଏବଂ ବିନା ସିଟବେଲ୍ଟ ଚାଳକଙ୍କ ପାଖରୁ ୫୬  ଲକ୍ଷ ୬ ହଜାର ୧୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ବିନା ମାସ୍କଧାରୀଙ୍କଠାରୁ ୩ ଲକ୍ଷ ୧୮ ହଜାର ହୋଇଥିବା ନେଇ ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। 

Related Posts