ଭୁବନେଶ୍ୱର,୨୩/୧(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ରର ଏକ ଶନି ମନ୍ଦିରରେ ଜଣେ ଓଡିଆ ଭକ୍ତ ଏକ ସୁନା କଳସ ଦାନ କରିଛନ୍ତି । ଏହି କଳସର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ରହିଛି। ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲା ଅନ୍ତର୍ଗତ ଶନି ଶିଙ୍ଗଣାପୁରରେ ଥିବା ଭଗବାନ ଶନିଙ୍କ ପୀଠରେ ଭକ୍ତ ଜଣକ ଏହି ବହୂମୂଲ୍ୟ କଳସକୁ ଦାନ କରିଛନ୍ତି । ତେବେ ଏହି କଳସ ତିଆରିରେ ୭୦୦ ଗ୍ରାମ ସୁନା ଓ ୫ କେଜି ରୂପା ବ୍ୟବହୃତ ହୋଇଛି । ଗତ ଶନିବାର ଶନି ଅମାବାସ୍ୟା ଅବସରରେ ସେହି ଭକ୍ତ ଶନିଦେବଙ୍କ ପାଦ ତଳେ ଏହାକୁ ଅର୍ପଣ କରିଛନ୍ତି । ଯାହାକି ଏଯାବତ୍ ଏହି ମନ୍ଦିରକୁ ମିଳିଥିବା ସବୁଠୁ ବଡ ଦାନ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।
ତେବେ ଏହି ସୁନା କଳସ ଦାନ କରିଥିବା ଭକ୍ତ ଜଣକ ନିଜ ନାମ ଗୋପନ ରଖିବାକୁ ମନ୍ଦିର ପ୍ରଶାସନକୁ ଅନୁରୋଧ କରିଥିବାରୁ ତାଙ୍କ ନାମ ସାର୍ବଜନୀନ କରାଯାଇ ନାହିଁ । ହେଲେ ସାମ୍ନାକୁ ଆସିଥିବା ମନ୍ଦିରର ଏକ ଫଟୋରେ ଓଡିଶାର ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଦେଖାଯାଇଛି । ଫଟୋରେ ସ୍ବାସ୍ଥ୍ୟମନ୍ତ୍ରୀ ଶନିଦେବଙ୍କ ପାଦ ତଳେ ସୁନାର କଳସ ଅର୍ପଣ କରୁଥିବାର ଦେଖିବାକୁ ମିଳିଛନ୍ତି । କିନ୍ତୁ ନବ ଦାସ ହିଁ ସେହି ଭକ୍ତ ବୋଲି କୌଣସି ସ୍ପଷ୍ଟ ସୂଚନା ନାହିଁ ।
ସୂଚନା ଅନୁଯାୟୀ, ଗତ ଶନିବାର ଶନି ଅମାବାସ୍ୟା ଥିଲା । ଶନିଦେବଙ୍କ ଶ୍ରଦ୍ଧାଳୁମାନଙ୍କ ପାଇଁ ଏହା ଏକ ବଡ ପର୍ବ । ପ୍ରାୟ ୨୦ ବର୍ଷ ପରେ ପୌଷ ମାସ ଶନିବାରରେ ଏହି ପୌଷ ଶନି ଅମାବାସ୍ୟା ପଡିଥିଲା । ଏହିପରି ଏକ ଦୁର୍ଲ୍ଲଭ ଦିନରେ ପ୍ରଭୁ ଶନିଙ୍କ ଦର୍ଶନ ପାଇଁ ମହାରାଷ୍ଟ୍ରର ପ୍ରମୁଖ ଶନି ପୀଠ ଶିଙ୍ଗଣାପୁରକୁ ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା । ରବିବାର ସକାଳ ପର୍ଯ୍ୟନ୍ତ ମନ୍ଦିରରେ ପ୍ରବଳ ଜନସାମାଗମ ହୋଇଥିଲା । ଏହି ଅବସରରେ ଓଡିଶାର ଏକ ପରିବାର ମଧ୍ୟ ଭଗବାନଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ ଏବଂ ଶନିଦେବଙ୍କୁ ଏକ କୋଟି ଟଙ୍କାର ସୁବର୍ଣ୍ଣ କଳସ ଅର୍ପଣ କରିଥିଲେ । ଏହାସହିତ ସେ ନିଜର ନାମ ଗୋପନ ରଖିବାକୁ ଶନି ଶିଙ୍ଗଣାପୁର ମନ୍ଦିର ପ୍ରଶାସନକୁ ଅନୁରୋଧ କରିଥିବା କୁହାଯାଇଛି ।
ଶିଙ୍ଗଣାପୁର ଦେବସ୍ଥାନର ସଭାପତି ଭଗୱତ ବଙ୍କର କହିଛନ୍ତି, ସନ୍ଧ୍ୟା ଆଳତୀ ସମୟରେ ଶନିଦେବଙ୍କ ପ୍ରତିମୂର୍ତ୍ତି ନିକଟରେ ରୀତିନୀତି ଅନୁଯାୟୀ ସୁନା କଳସ ଅର୍ପଣ କରାଯାଇଛି । ଆନନ୍ଦ ଭଲଗତ ନାମକ ଜଣେ ସୁନା ବ୍ୟବସାୟୀ ଏହି କଳସ ପ୍ରସ୍ତୁତ କରିଛନ୍ତି । କଳସରେ ଶ୍ରୀ ଶନେଶ୍ବରାୟ ନମଃ ଉଲ୍ଲେଖ ରହିବା ସହ ଶନିଦେବଙ୍କ ମନ୍ତ୍ର ଖୋଦିତ ହୋଇଛି । ଏହି ସୁନା କଳସରେ ୯ ଲିଟର ପର୍ଯ୍ୟନ୍ତ ତେଲ ରହିପାରିବ । ତେବେ ଏହି କଳସ ଆଜି ପର୍ଯ୍ୟନ୍ତ ସବୁଠୁ ବଡ ଦାନ ବୋଲି ଚର୍ଚ୍ଚା ହେଉଛି ।
ସେପଟେ ଫଟୋ ସାମ୍ନାକୁ ଆସିବା ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ। କୁହାଯାଉଛି ସେ ହିଁ ଏହି ମୂଲ୍ୟବାନ କଳସ ଦାନ କରିଛନ୍ତି।ତେବେ ମନ୍ତ୍ରୀ ଏହି କଥାକୁ ଗୋପନ କରିବା ପାଇଁ ଚେଷ୍ଟା କରିଥିବା ସୂଚନା ମିଳୁଥିବା ବେଳେ ସୋସିଆଲ ମିଡିଆରେ ତାଙ୍କର ଫଟୋ ଏବଂ ଭିଡିଓ ଦେଖିବାକୁ ମିଳିଛି । ତେବେ କୋଭିଡ୍ କାଳରେ ଯେତେବେଳେ ରାଜ୍ୟରେ ହାହାକାର ସ୍ଥିତି ପଡ଼ିଥିଲା, ସେତେବେଳେ ନବ ଦାସ ୮୦ଟି ଟ୍ରକ୍ କଣିଥିବା ନେଇ ଚର୍ଚ୍ଚାକୁ ଆସିଥିଲେ। ଏନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ରାଜ୍ୟ ସରକାର କୌଣସି ସ୍ପଷ୍ଟୀକରଣ ରଖିନଥିଲେ। ତେବେ ସୁନା କଳସ ଦାନ ନେଇ ଏପର୍ଯ୍ୟନ୍ତ ନବ ଦାସଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
