ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ୨୦୦୧ରୁ ନିଯୁକ୍ତ ସମସ୍ତ ସ୍ବେଚ୍ଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକଙ୍କ ମୂଳ ଚାକିରିକୁ ସରକାରୀ ସେବା ରୂପେ ଗଣନା କରି ୬ଟି ପଦୋନ୍ନତି ପ୍ରଦାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପ୍ରାଥମିକ ଶିକ୍ଷକ। ଏଥିସହ ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ସପ୍ତମ ବେତନ ଅନୁଯାୟୀ କେନ୍ଦ୍ରୀୟ ହାରରେ ଦରମା ଓ ୨୦୦୫ରୁ ନିଯୁକ୍ତ କର୍ମଚାରୀଙ୍କ ନୂତନ ପେନସନ୍ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ୍ ବ୍ୟବସ୍ଥା ପୁନଃ ପ୍ରଚଳନ କରିବାକୁ ମଧ୍ୟ ଦାବି କରାଯାଇଛି। ତେବେ ଏହି ୩ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନରୁ ଓହରିବେ ନାହିଁ ଏବଂ ରାଜଧାନୀ ଗାନ୍ଧୀ ମାର୍ଗରେ ଆନ୍ଦୋଳନ ଜାରି ରଖିବେ ବୋଲି ରବିବାର ଦିନ ଶିକ୍ଷକ ନେତାମାନେ ଚେତାବନୀ ଶୁଣାଇଛନ୍ତି। ଯାହାକି ଏବେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି।
ରାଜ୍ୟର ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ପ୍ରଭାବିତ ଆଶଙ୍କା
ଗୋଟିଏ ପଟେ ୫୦ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଅନ୍ୟପଟେ ପିଲାଙ୍କ ପାଠପଢ଼ା ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। କାରଣ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ୭୦% ଶିକ୍ଷକ/ଶିକ୍ଷୟିତ୍ରୀ ଏଥିରେ ସାମିଲ ହୋଇଥିବାରୁ ସୋମବାରଠାରୁ ଅଧିକାଂଶ ସ୍କୁଲରେ ତାଲା ପଡ଼ିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ରାତି ପର୍ଯ୍ୟନ୍ତ ଶିକ୍ଷକଙ୍କ ଆନ୍ଦୋଳନ ଜାରି ରହିଥିଲେ ମଧ୍ୟ ସରକାରଙ୍କ କୌଣସି ବି ସରକାରୀ ଅଧିକାରୀ, ନେତା କିମ୍ବା ମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରି ନାହାନ୍ତି।
ତେବେ ପୂର୍ବ ଘୋଷଣା ଅନୁଯାୟୀ, ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ (ନୂତନ ପେନ୍ସନ୍ ଯୋଜନାଭୁକ୍ତ) ଡାକରାରେ ସାରା ରାଜ୍ୟରୁ ହଜାର ହଜାର ଶିକ୍ଷକ ଟ୍ରେନ୍, ବସ୍ ଯୋଗେ ଭୁବନେଶ୍ବରରେ ପହଞ୍ଚିଥିଲେ। ମାଲକାନଗିରି, ମୟୂରଭଞ୍ଜ, କୋରାପୁଟ, ସୋନପୁର, ବୌଦ୍ଧ, ନୂଆପଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ପରି ଦୂରଦୂରାନ୍ତ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ରବିବାର ଆନ୍ଦୋଳନରେ ସାମିଲ ହୋଇଥିଲେ। ସକାଳୁ ଶିକ୍ଷକମାନଙ୍କ ଭିଡ଼ ବଢ଼ିବାରେ ଲାଗିଥିଲା। ଆଉ ମଧ୍ୟାହ୍ନ ବେଳକୁ ସମ୍ପୂର୍ଣ୍ଣ ଗାନ୍ଧୀ ମାର୍ଗ ଶିକ୍ଷକମୟ ହୋଇଯାଇଥିଲା। ଯୁଆଡ଼େ ଚାହିଁଲେ, କେବଳ ଶିକ୍ଷକ ହିଁ ଶିକ୍ଷକ। ପୂର୍ବାହ୍ନରେ ମାଷ୍ଟରକ୍ୟାଣ୍ଟିନ୍ ଛକ ଏକପ୍ରକାର ଅଚଳ ହୋଇଯାଇଥିଲା। ଶିକ୍ଷକ/ଶିକ୍ଷୟିତ୍ରୀ ଶୋଭାଯାତ୍ରା କରି ଲୋୟର ପିଏମ୍ଜିରେ ପହଞ୍ଚିବା ପରେ ସେଠାରେ ଏକ ବିଶାଳ ସଭା ହୋଇଥିଲା।
ମହାସଂଘର ନେତାମାନେ କହିଥିଲେ ଯେ, ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକୁ ଆଦୌ ଗୁରୁତ୍ବ ଦେଉନାହାନ୍ତି। ଓଡ଼ିଶାର ଆର୍ଥିକ ସଂକଟ ସମୟରେ ୨୦୦୧ରୁ ସ୍ବେଚ୍ଛାସେବୀ ଶିକ୍ଷା ସହାୟକ ନାମରେ ପ୍ରାଥମିକ ଶିକ୍ଷାରେ ନିଯୁକ୍ତି ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ବିଭାଗରେ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ଆପଣା ଯାଇଥିଲା। ଏହି ବ୍ୟବସ୍ଥା ଉଠାଇବା ଲାଗି ଶିକ୍ଷକମାନେ ବିଭିନ୍ନ ସମୟରେ ଦାବି କରୁଥିଲେ। ପରିଣାମସ୍ବରୂପ ଗତ ମାସରେ ମୁଖ୍ୟମନ୍ତ୍ରୀଙ୍କ ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ଉଚ୍ଛେଦ କରିବା ନେଇ ଯେଉଁ ଘୋଷଣା କରିଥିଲେ। ମାତ୍ର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ୨୦୧୩ର ନିୟମ ଅନୁଯାୟୀ ନିଯୁକ୍ତି ପାଇଥିବା ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପ୍ରଥମ ନିଯୁକ୍ତିକୁ ଗଣନା କରାଯିବା ସହ ସେମାନଙ୍କୁ ସେହି ସମୟର ବାର୍ଷିକ ବେତନ ବୃଦ୍ଧି କରି ନିୟମିତ କରାଯାଇଛି। ହେଲେ ୨୦୦୧ରୁ ୧୫୦୦ଟଙ୍କା ପାରିଶ୍ରମିକରେ ଶିକ୍ଷାଦାନ କରି ସରକାରଙ୍କ ରାଜକୋଷକୁ ଭରଣ କରିଥିବା ପ୍ରାଥମିକ ଶିକ୍ଷକଙ୍କ ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ଦେଖାଇଛନ୍ତି।
ସେହିପରି ଦେଶର ୨୨ଟି ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ସପ୍ତମ ବେତନ କମିସନ ଅନୁଯାୟୀ ଦରମା ପ୍ରଦାନ କରାଯାଉଛି। ମାତ୍ର ଓଡ଼ିଶାରେ ଶିକ୍ଷକଙ୍କୁ ୨୨୦୦ ଗ୍ରେଡ୍-ପେ’ ଅନୁସାରେ ଦରମା ମିଳୁଛି। ୨୦୦୫ ପରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ କର୍ମଚାରୀ ଅବସର ପରେ ନୂତନ ପେନ୍ସନ ଯୋଜନାରେ ମାସିକ ମାତ୍ର ଏକ ହଜାର ଟଙ୍କା ବେତନ ପାଉଛନ୍ତି। ଫଳରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ୁଛି। ଦାବିଗୁଡ଼ିକ ପୂରଣ କରା ନ ଗଲେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଯେଉଁ ପରିସ୍ଥିତି ଉପୁଜିବ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ କୁହାଯାଇଛି।
