
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟର କିଡନୀ ପ୍ରତିରୋପଣ କରିଥିବା ରୋଗୀମାନେ ପୁଣିଥରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ଧାରଣା ଦେଇଛନ୍ତି। ସେମାନଙ୍କୁ କଟକ ଏସ୍ସିବି ହସ୍ପିଟାଲରୁ ଉନ୍ନତମାନର ଔଷଧ ଯୋଗାଣ ବନ୍ଦ ହୋଇଯିବାରୁ ସେମାନେ ସୋମବାର ଦିନ ପୁଣି ଆନ୍ଦୋଳନ ପନ୍ଥାକୁ ଆପଣେଇଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ପ୍ରାୟ ୬ ମାସ ଧରି ଲୋୟର୍ ପିଏମ୍ଜିଠାରେ ଏହି ରୋଗୀମାନେ ଉନ୍ନତମାନର ଔଷଧ ଯୋଗାଣ ଦାବି କରି ଧାରଣାରତ ଥିଲେ। ଏହାପରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସେମାନଙ୍କ ସହ ଆଲୋଚନା କରିବା ସହ ସେମାନେ ଚାହୁଁଥିବା ଔଷଧ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରଣାରୁ ଓହରିଥିଲେ। ଗତ ମାସ ୧୦ ତାରିଖରେ ସେମାନଙ୍କୁ ଉନ୍ନତମାନର ଔଷଧ ମଧ୍ୟ ଯୋଗାଇ ଦିଆଯାଇଥିଲା। ମାତ୍ର ସୋମବାର ଏସ୍ସିବି ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ ସେହି ମାନର ଔଷଧ ଦେବାକୁ ସିଧାସଳଖ ମନା କରିଦେଇଥିଲେ। ତେଣୁ ରୋଗୀମାନେ ସେଠାରୁ ଫେରି ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ଧାରଣା ଦେଇଛନ୍ତି।ମନ୍ତ୍ରୀ ସେମାନଙ୍କ ସମସ୍ୟା ସମାଧାନ ନକରିବା ପର୍ଯ୍ୟନ୍ତ ଧାରଣା ଚାଲୁରହିବ ବୋଲି ସେମାନେ କହିଛନ୍ତି। ଆଜି ପୁଲିସ ସେମାନଙ୍କୁ ଧାରଣାସ୍ଥଳରୁ ହଟାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ଉଠିନଥିଲେ।
ଏନେଇ କିଡନୀ ରୋଗୀ ମାନେ କହିଛନ୍ତି ଯେ, ଗତଥର ମନ୍ତ୍ରୀ ପ୍ରତିଶ୍ରୁତି ଦେଲେ ଏବଂ ଥରୁଟିଏ ଉନ୍ନତମାନର ଔଷଧ ମିଳିଲା। କିନ୍ତୁ ଆଜି ହସ୍ପିଟାଲ କର୍ତ୍ତୃପକ୍ଷ ମନା କରୁଛନ୍ତି। ତେଣୁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଣିର ଗାର ସଦୃଶ ହୋଇଛି। ମଙ୍ଗଳବାର ଆହୁରି ଅଧିକ ସଂଖ୍ୟାରେ କିଡନୀ ରୋଗୀ ଏହି ଧାରଣାରେ ଯୋଗ ଦେବେ ବୋଲି ସେମାନେ କହିଛନ୍ତି।