କ୍ରେନ ଲଗାଇ କାର୍‌ ସହ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଭଉଣୀଙ୍କୁ ଟେକିନେଲା ପୁଲିସ୍‌, କେସିଆରଙ୍କ ବିରୋଧରେ କରୁଥିଲେ ଶୋଭାଯାତ୍ରା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହାଇଦ୍ରାବାଦ ରାଜରାସ୍ତାରେ ଘଟିଛି ଏକ ଅଭାବନୀୟ ଘଟଣା। କାର୍‌ ସହ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍‌ ଶରମିଲାଙ୍କୁ କ୍ରେନ ଲଗାଇ ଉଠାଇ ନେଇଛି ପୁଲିସ୍‌। ସେ କାର୍‌ ଭିତରେ ଥିବା ବେଳେ ଏପରି ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ତେବେ ଶରମିଲାଙ୍କ ୱାଇଏସ୍‌ଆର ତେଲେଙ୍ଗାନା ପାର୍ଟି ପକ୍ଷରୁ ତେଲେଙ୍ଗାନାରେ କ୍ଷମତାସୀନ କେ ଚନ୍ଦ୍ରଶେଖର ରାଓଙ୍କ ସରକାର ବିରୋଧରେ ପଦଯାତ୍ରା ଆରମ୍ଭ କରାଯାଇଛି। କେସିଆର ସରକାର ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ କରି ଶରମିଲାଙ୍କ ଦଳ ତାଙ୍କ ବିରୋଧରେ ଲୋକଙ୍କୁ ଜଣାଇବା ପାଇଁ ପଦଯାତ୍ରା କରୁଛି। ଏହି ଯଦଯାତ୍ରା ବେଳେ ଗତକାଲି ୱାରଙ୍ଗଲରେ ଶରମିଲାଙ୍କ ସମର୍ଥକ ଓ କେସିଆରଙ୍କ ଟିଆରଏସ୍‌ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିପାଇଁ ପୁଲିସ୍‌ ଶରମିଲାଙ୍କୁ ଅଟକ ରଖିଥିଲା।

ତେବେ ଆଜି ସକାଳେ ଶରମିଲା ପୁନର୍ବାର ଦଳ ପକ୍ଷରୁ ଆୟୋଜିତ ବିକ୍ଷୋଭ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଏହି ଶୋଭାଯାତ୍ରା ମୁଖ୍ୟମନ୍ତ୍ରୀ କେସିଆରଙ୍କ ସରକାରୀ ଘର ପ୍ରଗତି ଭବନ ଅଭିମୁଖେ ଯିବାର ଥିଲା। ତେବେ ଶରମିଲା ଶୋଭାଯାତ୍ରାରେ ଯୋଗ ଦେବାକୁ ନିଜ ଗାଡ଼ି ଚାଲୁ କରିବା କ୍ଷଣି ପୁଲିସ୍‌ ତୁରନ୍ତ ସେଠାରେ ପହଞ୍ଚିଥିଲା।

ସେ କାର୍‌ ଭିତରେ ଥିଲେ ମଧ୍ୟ ପୁଲିସ୍‌ କ୍ରେନ ଦ୍ୱାରା ରାଜରାସ୍ତାରେ ଏହାକୁ ଘୋଷାଡ଼ି ନେଇ ଚାଲି ଯାଇଥିଲା। ଶରମିଲାଙ୍କ ସହ ଏପରି ଘଟଣାକୁ ତାଙ୍କ ସମର୍ଥକମାନେ ବିରୋଧ କରିଛନ୍ତି। ତେବେ କ୍ରେନ ଲଗାଇ ପୁଲିସ୍‌ ତାଙ୍କ ଗାଡ଼ି ଆଗକୁ ନେଉଥିବା ବେଳେ ତାଙ୍କ ସମର୍ଥକମାନେ ପଛେପଛରେ ଦୌଡ଼ୁଥିବାରୁ ଦୃଶ୍ୟ ସାମ୍ନାକୁ ଆସିଛି।

Related Posts