(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ଗୁଣ୍ଟୁରର ଏକ ମାଛ ଫାର୍ମରେ ବିଦ୍ୟୁତ ଦୁର୍ଘଟଣା ଘଟି ଗୁଣୁପୁରର ଛଅ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରଙ୍କୁ ୨ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ତେବେ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲା ଲଙ୍କଭାନିଦିବା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗତକାଲି ବିଳମ୍ବିତ ରାତିରେ ଅଘଟଣ ଘଟିଛି।
ବିଦ୍ୟୁତ୍ ସଟସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟି ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଗୁଣପୁର ବ୍ଲକ୍ ଭୀମପୁର ପଞ୍ଚାୟତ ଝୁମ୍ପାପୁର ଗ୍ରାମର ରାମମୂର୍ତ୍ତି ଗମାଙ୍ଗ, ଫୁଲପୁଟି ଗ୍ରାମର ପାଣ୍ଡବ ଶବର, ମୋହନ ଶବର, କରୁଣାକର ଶବର, ଗୁଣପୁର ପୌର ପରିଷଦ ମୋତିଲାଲ ନଗରର ନବୀନ ଶବର ଓ ଗଜପତି ଜିରାଙ୍ଗର ମହେନ୍ଦ୍ର ଶବର। ମୃତକଙ୍କ ମଧ୍ୟରେ ୪ ଜଣ ନାବାଳକ ଥିବା ଜଣା ପଡିଛି। ଗୁଣ୍ଟୁର ପୁଲିସ୍ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଗୁଣ୍ଟୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖିଛି।
ଗତକାଲି ରାତିରେ ଏହି ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ୨୫ରୁ ୩୦ ଜଣ ଶ୍ରମିକ ଶୋଇଥିଲେ। ଏହି ସମୟରେ ସର୍ଟ ସର୍କିଟ୍ ହୋଇ ଥିଲା ଓ ଫ୍ୟାକ୍ଟ୍ରି ପରିସରରେ ଥିବା କିଛି ବର୍ଜ୍ୟବସ୍ତୁ ଜଳି ଯାଇଥିଲା। ଶ୍ରମିକମାନେ ଶୋଇଥିବା ରୁମରେ କେମିକାଲ୍ ଥିବାରୁ ନିଆଁ ଉଗ୍ର ରୂପ ଧାରଣ କରିଥିଲା। ଏହାର ପ୍ରଭାବରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।