ନୂଆଦିଲ୍ଲୀ: ଦେଶରେ ଏବେ ସଂକ୍ରମଣ ହାର ବଢୁଥିବା ବେଳେ, ଏହାରି ଭିତରେ ଭାରତରେ କରୋନାର ଆଉ ଏକ ସବ୍ ଭାରିଏଣ୍ଟ ଚିହ୍ନଟ ହୋଇଛି। ଓମିକ୍ରନର ସବ୍ ଭାରିଏଣ୍ଟ BA.2.75 ଚିହ୍ନଟ ହୋଇଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏଥିପ୍ରତି ଦୃଷ୍ଟି ରଖିଛି ବୋଲି ବୁଧବାର ଦିନ ମହାନିର୍ଦେଶକ ଟେଡ୍ରସ୍ ଆଧନୋମ୍ ଗେବ୍ରେୟେସସ୍ କହିଛନ୍ତି।
ଗତ ୨ ସପ୍ତାହ ହେବ ବିଶ୍ୱବ୍ୟାପୀ କୋଭିଡ୍-୧୯ ମାମଲା ପ୍ରାୟ ୩୦% ବୃଦ୍ଧି ପାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ୬ଟି ଉପ-ଅଞ୍ଚଳରୁ ୪ଟିରେ ଗତ ସପ୍ତାହରେ ସଂକ୍ରମଣ ମାମଲା ବୃଦ୍ଧି ପାଇଛି। ୟୁରୋପ୍ ଏବଂ ଆମେରିକାରେ ‘ବିଏ.୪’ ଏବଂ ‘ବିଏ.୫’ ଆତଙ୍କ ସୃଷ୍ଟି କରିଛି। ଭାରତ ଭଳି ଦେଶରେ ମଧ୍ୟ ଓମିକ୍ରନର ସବ୍ ଭାରିଏଣ୍ଟ ‘BA.2.75’ ଚିହ୍ନଟ ହେଲାଣି। ତା’ର ଗତିବିଧି ଉପରେ ଆମେ ଦୃଷ୍ଟି ରଖିଛୁ ବୋଲି ବୁଧବାର ଏକ ପ୍ରେମ୍ମିଟ୍ରେ କହିଛି ହୁ’।
ଏ ସଂକ୍ରାନ୍ତରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ୍ କହିଛନ୍ତି, ‘BA.2.75’ ନାମରେ ଓମିକ୍ରନ୍ର ଏକ ନୂଆ ସବ୍ ଭାରିଏଣ୍ଟ ଚିହ୍ନଟ ହୋଇଛି। ପ୍ରଥରେ ଏହା ଭାରତ ଏବଂ ପରେ ପରେ ଆଉ ୧୦ଟି ଦେଶରେ ମଧ୍ୟ ଚିହ୍ନଟ ହେଲାଣି। ତେବେ ଏହି ନୂଆ ଭାରିଏଣ୍ଟ କେତେ ମାରାତ୍ମକ ତାହା ଜଣାପଡିନାହିଁ। ଏନେଇ ରିସର୍ଚ୍ଚ ଜାରି ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ।
