(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ରବିବାର ଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଥିବା ଲଘୁଚାପ ବର୍ଷା ଜନ ଜୀବନ ଅସ୍ତବ୍ୟସ୍ତ କରି ସାରିଲାଣି। ଏପଟେ ପୁଣି ମାଡ଼ି ଆସୁଛି ଆଉ ଏକ ବର୍ଷା । ବଙ୍ଗୋପସାଗରେ ଆଉ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି IMD ଡିଜି ମୃତୁ୍ୟଞ୍ଜୟ ମହାପାତ୍ର। 

ଶ୍ରୀ ମହାପାତ୍ର କହିଛନ୍ତି ଯେ , ସେପ୍ଟେମ୍ବର ୧୭ ତାରିଖ  ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ଆଉ ଏକ ବର୍ଷା ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୧୮ ତାରିଖ ସକାଳ ସୁଦ୍ଧା ଉତ୍ତର ଓଡ଼ିଶା ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୧୭ରୁ ଉପକୂଳ ଓଡ଼ିଶାରେ ପୁଣି  ବର୍ଷା ହେବ ବୋଲି ଆଇଏମଡି ଡିଜି ପୂର୍ବାନୁମାନ କରିଛନ୍ତି । ।

ସେହିପରି ଆଜିର ବର୍ଷା ସଂପର୍କରେ ସୂଚନା ଦେଇ ଶ୍ରୀ ଳ ମହାପାତ୍ର କହିଛନ୍ତି, ଗଭୀର ଅବପାତ ଆଜି ଚାନ୍ଦବାଲିଠାରେ ଉପକୂଳ ଅତିକ୍ରମ କରିଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି। ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି କାଲି ଛତିଶଗଡ଼ ଛୁଇଁବ। ଫଳରେ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ କମିବ, କିନ୍ତୁ ଆଭ୍ୟନ୍ତର ଓଡ଼ିଶାରେ ବର୍ଷା ବଢ଼ିବା ନେଇ ସେ ଆକଳନ କରିଛନ୍ତି । ବିଶେଷ କରି ସମ୍ବଲପୁର, ଅନୁଗୁଳ, ଦେବଗଡ଼, ବରଗଡ଼, ବୌଦ୍ଧରେ ପ୍ରବଳ ବର୍ଷିବ ବୋଲି  ସେ କହିଛନ୍ତି। 

ଲଘୁଚାପ ପ୍ରଭାବରେ ଗତ ୩୬ ଘଣ୍ଟାରେ ଉପକୂଳ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ଆଜି ପାଞ୍ଚ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଉଛି ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ବରଗଡ଼। ସେହିପରି ୧୦ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା- ବଲାଙ୍ଗିର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, କେନ୍ଦୁଝର, ଢ଼େଙ୍କାନାଳ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କଟକ। ସେହିପରି ୯ ଜିଲ୍ଲା ଯଥା- ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମୟୁରଭଞ୍ଜକୁ  ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଲଗାଣ ବର୍ଷା ପ୍ରଭାବରେ ଦେବୀ, କୁଶଭଦ୍ରା, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧରା ଏବଂ ରୁଷିକୂଲ୍ୟା ନଦୀର ଜଳ ସ୍ତର ଫୁଲୁଛି। ସେହିପରି ପୁରୀରେ ସର୍ବାଧିକ ୩୪୧ ମିମି ବର୍ଷା ରେକର୍ଡ ହୋଇଛି। ଗୋଟିଏ ଦିନର ବର୍ଷାରେ ୮୭ ବର୍ଷର ପୁରୁଣା ରେକର୍ଡ ପୁରୀ ଭାଙ୍ଗିଛି।