ଭୁବନେଶ୍ୱର ରାସ୍ତାରେ ପାଣି ଜମିବାକୁ ନେଇ ସାସଂଦ ଅପରାଜିତା ଷଡଙ୍ଗୀ ଓ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ମଧ୍ୟରେ ଟ୍ବିଟର ଯୁଦ୍ଧ

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଲଗାଣ ବର୍ଷା ଯୋଗୁଁ ରାଜଧାନୀ ରାଜରାସ୍ତା ଏବେ ଜଳାର୍ଣ୍ଣବ। ରାସ୍ତା ଉପରେ କେତେବେଳେ ଟ୍ରାକ୍ଟର ତ ପୁଣି ଆଉ କେତେବେଳେ କାର ଭାସିଲାଣି। ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଏପଟେ ରାସ୍ତା ଉପରେ ପାଣି ଜମିବାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ବିଜେପି ଓ ବିଜେଡି ନେତାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଟ୍ୱିଟର ୱାର । 

ପ୍ରଥମେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ରବିବାର ଅର୍ଥାତ୍ ଗତକାଲି ଟ୍ୱିଟ୍ କରି ବିଜେଡି ସରକାରକୁ କଟାକ୍ଷ କରି କହିଥିଲେ , ” ଏହା ହେଉଛି ଆମର ‘ସ୍ମାର୍ଟ’ ଭୁବନେଶ୍ୱର !  ୨୧ ବର୍ଷର ଶାସନ ପରେ, ଏହା ହେଉଛି ! ” ସେହିପରି ଷ୍ଟାଣ୍ଡିଂ କମିଟିର ସୁପାରିଶକୁ କାହିଁକି ଲାଗୁ କରାଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ? ଏହି ଟ୍ବିଟ୍ ସାଙ୍ଗକୁ ପାଣିରେ ଉବୁଟୁବୁ ହେଉଥିବା ରାଜଧାନୀ ରାସ୍ତାର କିଛି ଫଟୋ ମଧ୍ୟ ସେ ପୋଷ୍ଟ କରିଥିଲେ ।ଏହା ପରେ ଅପରାଜିତା ଷଡଙ୍ଗୀଙ୍କ ଟ୍ୱିଟ୍ ର ଜବାବ ଦେଇଥିଲେ ଭୁବନେଶ୍ୱରର ପୂର୍ବତନ ମେୟର ତଥା ବର୍ତମାନର ବିଧାୟକ ଅନନ୍ତ ନାରାୟଣ ଜେନା । 

ବର୍ତ୍ତମାନ ଓଟିଡିସି ଅଧ୍ୟକ୍ଷ ତଥା ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ୍ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ୩ ବର୍ଷ ବିଏମସି କମିଶନର ଦାୟିତ୍ୱରେ ଥିଲେ ଅପରାଜିତା ଷଡଙ୍ଗୀ । ନିଜ ଉନ୍ନତ ମସ୍ତିଷ୍କରେ ସେତେବେଳେ ଯେଉଁ ଭଲ କାମ କରିଥିଲେ ତାର ପରିଣାମ ଏବେ ସହରବାସୀଙ୍କୁ ଭୋଗିବାକୁ ପଡୁଛି ବୋଲି ସେ ଟ୍ବିଟ୍ କରି କହିଛନ୍ତି । ବିଏମସି କମିଶନର ଭାବେ ତାଙ୍କ କାର୍ଯ୍ୟର ପ୍ରାୟଶ୍ଚିତ କରୁଛୁ ବୋଲି ଶ୍ରୀମୟୀ କହିଛନ୍ତି । 

ବିଜେଡି ନେତାଙ୍କ ଟାର୍ଗେଟ ପରେ ସାଂସଦ ଅପରାଜିତା ଷଡଙ୍ଗୀ ସାମ୍ବାଦିକ ସମ୍ମିଳନୀ କରି ଏହାର ଜବାବ ରଖିଛନ୍ତି । ସେ ପ୍ରଶ୍ନ କରିଛନ୍ତି ଯେ, ଷ୍ଟାଣ୍ଡିଂ କମିଟିର ସୁପାରିଶକୁ କାହିଁକି ଗ୍ରହଣ କରାଗଲା ନାହିଁ ? ଏହା ସହ ସେ ଆଜି ଭୁବନେଶ୍ୱରର ବିଭିନ୍ନ ଅଂଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

Related Posts