ସତ୍ୟେନ୍ଦ୍ର ଜୈନଙ୍କ ଆଉ ଏକ ଭିଡିଓ ଲିକ୍‌

ନୂଆଦିଲ୍ଲୀ: ସତ୍ୟେନ୍ଦ୍ର ଜୈନଙ୍କ ଆଉ ଏକ ଭିଡିଓ ଲିକ୍‌ । ତିହାର ଜେଲରେ ବନ୍ଦୀ ଆମଆଦମୀ ପାର୍ଟି ନେତା ତଥା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଜେଲରେ ଜୈନଙ୍କ ସେଲର କିପରି ରକ୍ଷଣାବେକ୍ଷଣା ହେଉଛି ତାହା ସ୍ପଷ୍ଟ ଦେଖାଯାଉଛି। ଏହା ପୂର୍ବ ଭିଡିଓରେ ଜୈନଙ୍କୁ ମାଲିସ୍ କରାଉଥିବା ଓ ଡ୍ରାଏ ଫ୍ରୁଟ ଖାଉଥିବାର ଦେଖାଯାଇଥିଲା। ବିଜେପି ନେତାମାନଙ୍କ ଦ୍ୱାରା ସତ୍ୟେନ୍ଦ୍ର ଜୈନଙ୍କ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଯେଉଁଥିରେ ସେମାନେ ଜୈନଙ୍କୁ ଜେଲରେ ଭିଆଇପି ଟ୍ରିଟ୍‌ ଦେବା ପାଇଁ ୮ରୁ ୧୦ ଜଣଙ୍କୁ ନିଯୁକ୍ତ କରାଯାଇଥିବାର ଅଭିଯୋଗ କରିଛନ୍ତି।

ବିଜେପି ଜାତୀୟ ମୁଖପାତ୍ର ଶହଜାଦ ପୁନାୱାଲା ଏହି ଭିଡିଓ ଟ୍ୱିଟ କରି ଅଭିଯୋଗ କରିଛନ୍ତି ଯେ ଭିଆଇପି ସୁବିଧା ଦେବା ପାଇଁ ଜେଲରେ ଜୈନଙ୍କ ନିମନ୍ତେ ୮-୧୦ ଜଣ ଲୋକଙ୍କୁ ନିଯୁକ୍ତ କରାଯାଇଛି। ତିହାରରେ ‘ଆପ୍’ର ଦରବାର ପରେ ଏବେ ରୁମ ସର୍ଭିସ ଓ ହାଉସ କିପିଙ୍ଗ ସେବା ଯୋଗାଇ ଦିଆଯାଉଛି ବୋଲି ଉଲ୍ଲେଖ କରିଛନ୍ତି। ସେ ଜେଲର ଚାରି କାନ୍ଥ ଭିତରେ ନବାବି ସେବା ଉପଲବ୍ଧ କରୁଥିବା ପୁନାୱାଲା ଅଭିଯୋଗ କରିଛନ୍ତି।

ଏହା ପୂର୍ବରୁ ବିଜେପି ଜେଲରେ ସତ୍ୟେନ୍ଦ୍ର ଜୈନଙ୍କ ମାଲିସ ଭିଡିଓ ସାଙ୍ଗକୁ ଭୋଜନ ଭିଡିଓ ଜାରି କରିଥିଲା। ଜେଲ ଭିତରର ଭିଡିଓ ଭାଇରାଲ ହେବା ଘଟଣାରେ ସତ୍ୟେନ୍ଦ୍ର ଜୈନ କୋର୍ଟରେ ପିଟିସନ ଦାୟର କରିଥିଲେ। ଏଥିରେ ଭିଡିଓକୁ ମିଡିଆ ଦ୍ୱାରା ଉପସ୍ଥାପନା କରାଯାଉଥିବାର ଅଭିଯୋଗ କରିଥିଲେ ଓ ଏହା ଉପରେ ରୋକ ଲଗାଇବାକୁ ନିବେଦନ କରିଥିଲେ। ଏହା ଛଡା ଜୈନ କୋର୍ଟରେ ଆଉ ଏକ ପିଟିସନ ମଧ୍ୟ ଦାଖଲ କରିଥିଲେ, ଯେଉଁଥିରେ ଜେଲରେ ତାଙ୍କୁ ସ୍ୱତନ୍ତ୍ର ଭୋଜନ ଦେବା ଲାଗି ନିବେଦନ କରିଥିଲେ।

ପିଟିସନରେ ସେ ଉଲ୍ଲେଖ କରିଥିଲେ ଯେ ମନ୍ଦିର ନ ଯାଇ ସେ ଅନ୍ନ ଗ୍ରହଣ କରନ୍ତିନି। ଏଣୁ ଜେଲରେ ତାଙ୍କର ମନ୍ଦିର ଦର୍ଶନ ସୁଯୋଗ ନଥିବାରୁ ତାଙ୍କର ଅନ୍ନ ଭୋଜନ ପ୍ରଶ୍ନ ଉଠୁନଥିବା ଉଲ୍ଲେଖ କରିଥିଲେ। ଏଣୁ ଜେଲରେ ତାଙ୍କୁ ଫଳ, ସାଲାଡ ଓ ଡ୍ରାଏଫ୍ରୁଟ ଉପଲବ୍ଧ କରାଇବାକୁ ନିବେଦନ କରିଥିଲେ। ତେବେ କୋର୍ଟରେ ତାଙ୍କ ପିଟିସନ ଖାରଜ ହୋଇଯାଇଥିଲା। ଏହା ପରେ ଲିକ୍ ହୋଇଥିବା ଭିଡିଓରେ ଜୈନ ଜେଲରେ ଫଳ, ସାଲାଡ ଓ ଡ୍ରାଏ ଫ୍ରୁଟ ଖାଉଥିବାର ଦେଖାଯାଇଥିଲା।

ସତ୍ୟେନ୍ଦ୍ର ଜୈନଙ୍କୁ ଇଡି ମନିଲଣ୍ଡ୍ରିଂ କେସ୍‌ରେ ଗିରଫ କରିଛନ୍ତି। ତାଙ୍କର ଏହି ଗିରଫ ସିବିଆଇ ଦ୍ୱାରା ୨୦୧୭ରେ ରୁଜୁ କରାଯାଇଥିବା ଏକ ମାମଲାରେ ହୋଇଛି। ଯେଉଁଥିରେ ତାଙ୍କ ସହ ସମ୍ପର୍କିତ ୪ ଟି କମ୍ପାନୀ ଦ୍ୱାରା ମନିଲଣ୍ଡ୍ରିଂ କରାଯାଇଥିବାର ଇଡି ଅଭିଯୋଗ କରିଛନ୍ତି

Related Posts