ଆପ୍ ଦେଲା ଚ୍ୟାଲେଞ୍ଜ – ମୋଦିଙ୍କ ନାଁ ରେ ପୋଷ୍ଟର ମାରିଛୁ, ଆମକୁ ଗିରଫ କର

(ସତ୍ଯପାଠ ଵ୍ୟୁରୋ) ଭୁବନେଶ୍ୱର : ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପୋଷ୍ଟର ଲଗାଇବା ଘଟଣାକୁ ନେଇ ଏବେ ରାଜନୀତି ଜୋର ଧରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏହି ପୋଷ୍ଟର ଲଗାଯାଇଥିଲା। ଏଥିରେ ଲେଖାଥିଲା,ଯେ ‘ମୋଦୀ ଜୀ ଆମ ପିଲାମାନଙ୍କ ଟିକା କାହିଁକି ବିଦେଶକୁ ପଠାଇଲେ?’ ଏହାକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରୁଥିବା ବେଳେ ଏବେ ଆମ୍ ଆଦମୀ ପାର୍ଟି ଘଟଣାର କଡା ନିନ୍ଦା କରିଛି।  ରବିବାର ଦିନ ଆମ୍ ଆଦମୀ ପାର୍ଟି କହିଛି ଯେ ପୋଷ୍ଟର ଲଗାଇଥିବା ଲୋକଙ୍କୁ ହଇରାଣ କରିବା ପରିବର୍ତ୍ତେ ପୋଲିସ ଦଳର ନେତା ତଥା ବିଧାୟକ ମାନଙ୍କୁ ଗିରଫ କରିବା ଉଚିତ। ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ AAP ନେତା ଦୁର୍ଗେଶ ପାଠକ୍ କହିଛନ୍ତି, “ ଏହି ପୋଷ୍ଟର ଆମ୍ ଆଦମୀ ପାର୍ଟି ଦ୍ୱାରା ଲଗାଯାଇଛି, ମୁଁ ଏହି ପୋଷ୍ଟର ଲଗାଇଛି।” ଏ ପର୍ଯ୍ୟନ୍ତ ଅତି କମରେ 25 ଜଣଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ଦିନ ମଜୁରିଆ କିମ୍ବା ରିକ୍ସା ଡ୍ରାଇଭର। ପୂର୍ବରୁ ପୋଲିସ କହିଥିଲା ଯେ, ଏହି ପୋଷ୍ଟର ଲଗାଇବା ପଛରେ AAP କାଉନସିଲର ଧିରେନ୍ଦ୍ର କୁମାରଙ୍କ ଭୂମିକା ରହିଛି । ପାଠକ କହିଛନ୍ତି ଯେ, “ଆଜି ଯେତେବେଳେ ଲୋକମାନେ ପଚାରୁଛନ୍ତି କାହିଁକି ପାକିସ୍ତାନ, ବାଂଲାଦେଶ, ଇରାନ ଏବଂ ଇରାକକୁ କୋଟି କୋଟି ଟିକା ରପ୍ତାନି କରାଯାଇଛି, ସେତେବେଳେ ମୋଦୀଜୀଙ୍କ ଦିଲ୍ଲୀ ପୋଲିସ ଏଫଆଇଆର ଦାଖଲ କରୁଛି ଏବଂ ଆମ କର୍ମୀଙ୍କୁ ଗିରଫ କରୁଛି ।  ପ୍ରତିଦିନ ସକାଳୁ 500-550 କର୍ମୀଙ୍କୁ ପୋଲିସ ଷ୍ଟେସନକୁ ଡକାଯାଇ ସେଠାରେ ରାତି ପର୍ଯ୍ୟନ୍ତ ବସିବାକୁ କୁହାଯାଉଛି।  ସେମାନଙ୍କର ଦୋଷ କ’ଣ?  କାରଣ କଣ ସେମାନେ ମୋଦୀଜୀଙ୍କୁ ପ୍ରଶ୍ନ କରିଥିଲେ? ମୁଁ ଦିଲ୍ଲୀ ପୋଲିସ ଏବଂ ବିଜେପିକୁ କହିବାକୁ ଚାହେଁ – ଏହି ପ୍ରଶ୍ନ ପଚାରି ଆପଣ ଆମକୁ ଗିରଫ କରିପାରିବେ ନାହିଁ । ” ଆମେ ଗଣତନ୍ତ୍ରରେ ବାସ କରୁଛୁ ବୋଲି ପାଠକ୍ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ଅନେକ ବିଧାୟକ ତଥା ଦଳର ବରିଷ୍ଠ ନେତା ମଧ୍ୟ ରବିବାର ଏହି ପ୍ରସଙ୍ଗରେ ଟ୍ୱିଟ୍ କରିଛନ୍ତି।  ସେ କହିଛନ୍ତି, “ଯେଉଁ ସରକାର ବିଦେଶରେ ଲଗାଯାଇଥିବା ପୋଷ୍ଟରକୁ ଗର୍ବ କରୁଥିଲେ, ଏବେ ନିଜ ଦେଶରେ ଲଗାଯାଇଥିବା ପୋଷ୍ଟରକୁ ଭୟ କରୁଛନ୍ତି। “ସୂଚନାଯୋଗ୍ୟ ଯେ, ଗତ ମାସରେ କାନାଡାକୁ ଭାରତ ପକ୍ଷରୁ ଟିକା ପଠାଯାଇଥିବା ହେତୁ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଉଥିବା ପୋଷ୍ଟର ଲଗାଯାଇଥିଲା । ଏହା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତା ମାନେ ମଧ୍ୟ ଏହି ଘଟଣାକୁ କଡା ସମାଲୋଚନା କରିଥିଲେ। 

Related Posts