ନିର୍ବାଚନ କମିଶନର ନିଯୁକ୍ତି ମାମଲା; ସୁପ୍ରିମକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୁଖ୍ୟ ନିର୍ବାଚନ କମିଶନର ଓ ୨ ଜଣ ନିର୍ବାଚନ କମିଶନର ନିଯୁକ୍ତିରେ ଅଧିକ ସ୍ବଚ୍ଛତା ଆଣିବାକୁ ହୋଇଥିବା ଦାବି ଉପରେ ଶୁଣାଣି କରି କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି । ଏହି ଆବେଦନରେ ଅନୁରୋଧ କରାଯାଇଥିଲା ଯେ, ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତି ପାଇଁ ଗଠିତ ହୋଇଥିବା କମିଟିରେ ମୁଖ୍ୟ ବିଚାରପତି, ପ୍ରଧାନମନ୍ତ୍ରୀ ଓ ବିରୋଧୀଦଳର ନେତାଙ୍କୁ ସାମିଲ କରାଯିବା ଆବଶ୍ୟକ ।ଏଭଳି ଦାୟିତ୍ବ ସମ୍ପନ୍ନ ବଡ ସାମ୍ବିଧାନିକ ପଦରେ ସିଧାସଳଖ ସରକାରଙ୍କ ତରଫରୁ ନିଯୁକ୍ତି ଦିଆଯିବା ଠିକ୍ ନୁହେଁ ବୋଲି ଆବେଦନକାରୀ ଯୁକ୍ତି ବାଢିଥିଲେ ।

ଜଷ୍ଟିସ କେ.ଏମ ଜୋସେଫଙ୍କ ଅଧ୍ୟକ୍ଷତାରେ ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୪ ଦିନ ଧରି ଏହି ମାମଲାର ଶୁଣାଣି କରିଛନ୍ତି । ଏହି ଖଣ୍ଡପୀଠର ଅନ୍ୟ ୪ ଜଣ ସଦସ୍ୟ ହେଉଛନ୍ତି ଜଷ୍ଟିସ ଅଜୟ ରେସ୍ତୋଗୀ, ଜଷ୍ଟିସ ହୃଷିକେଶ ରାୟ, ଜଷ୍ଟିସ ଅନିରୋଧ ବୋସ ଓ ଜଷ୍ଟିସ ସିଟି ରବିକୁମାର । ଶୁଣାଣି ଶେଷରେ ଖଣ୍ଡପୀଠ ଉଭୟ ପକ୍ଷଙ୍କୁ କହିଥିଲେ ଯେ, ୫ ଦିନ ମଧ୍ୟରେ ନିଜ ନିଜର ଦଲିଲ ସଂକ୍ଷେପରେ ଲେଖି କୋର୍ଟରେ ଜମା କରିବାକୁ ।

ଶୁଣାଣି ବେଳେ କୋର୍ଟ କହିଥିଲେ ଯେ, ମୁଖ୍ୟ ନିର୍ବାଚନ କମିଶନର ପଦରେ ବସିଥିବା ବ୍ୟକ୍ତି ଏଭଳି ହେବା ଆବଶ୍ୟକ, ଯେ କି କାହାଦ୍ୱାରା ପ୍ରଭାବିତ ହେବେ ନାହିଁ । ଯଦି ପ୍ରଧାନମନ୍ତ୍ରୀଙ୍କ ଉପରେ ବି କିଛି ଅଭିଯୋଗ ଆସେ ତେବେ ଯେପରି ସେ ମଜବୁତ ସହକାରେ ନିଜୟ ଦାୟିତ୍ୱ ତୁଲାଇପାରିବେ ଓ ତାଙ୍କ ଉପରେ ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିପାରିବେ । ନିର୍ବାଚନ କମିଶନର ଚୟନ ପ୍ରକ୍ରିୟାରେ ମୁଖ୍ୟ ବିଚାରପତି ସାମିଲ ହେଲେ ଏହା ସୁନିଶ୍ଚିନ୍ତ ହୋଇପାରିବ ଯେ, ଜଣେ ମଜବୁତ ବ୍ୟକ୍ତି ଏଭଳି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦରେ ଅବସ୍ଥାପିତ ହୋଇପାରିବ ।

ସେପଟେ ୫ ଜଣିଆ ବିଚାରପତିଙ୍କ ଏହି ଖଣ୍ଡପୀଠ ଶୁଣାଣି ବେଳେ ଦେଶର ଦଶମ ମୁଖ୍ୟ ନିର୍ବାଚନ କମିଶନର ଟିଏନ ଶେଷାନଙ୍କୁ ମନେ ପକାଇଥିଲେ । ଖଣ୍ଡପୀଠ କହିଥିଲେ ଯେ, ୧୯୯୦ ରୁ ୧୯୯୬ ପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ କମିଶନର ଥିବା ଟିଏନ ଶେଷାନ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ନିର୍ବାଚନ ପ୍ରକ୍ରିୟାରେ ଅନେକ ସୁଧାର ଆଣିପାରିଥିଲେ । ଏହାପରେ ଦେଶରେ ଅନେକ ନିର୍ବାଚନ କମିଶନର ନିଯୁକ୍ତ ହୋଇଛନ୍ତି । ହେଲେ କେହି ବି ଟିଏନ ଶେଷାନଙ୍କ ଭଳି ନିର୍ଭିକ ନିର୍ବାଚନ କମିଶନରଙ୍କ ଭଳି କାର୍ଯ୍ୟ କରିପାରି ନାହାଁନ୍ତି ।

ସେପଟେ ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟକାଳ କାହିଁକି ୬ ବର୍ଷ ହୋଇପାରିବ ନାହିଁ ବୋଲି ଖଣ୍ଡପୀଠ ପ୍ରଶ୍ନ ଉଠାଇଛନ୍ତି । ଖଣ୍ଡପୀଠ କହିଥିଲେ ନିର୍ବାଚନ କମିିଶନର ଆକ୍ଟ ୧୯୯୧ ରେ କାର୍ଯ୍ୟକାଳ ୬ ବର୍ଷ ରହିବାକୁ କୁହାଯାଇଛି ।

Related Posts