ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲ ମାମଲାରେ ପୁଣି ଇଡିରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ । ଆଜି ଭୁବନେଶ୍ୱରସ୍ଥିତ ଇଡି କାର୍ଯ୍ୟାଳୟରେ ଜେରା ପାଇଁ ହାଜର ହୋଇଛନ୍ତି ପ୍ରମୋଦ । ତେବେ ଗତ ୨୯ ତାରିଖରେ ମଧ୍ୟ ସେ ସମାନ ମାମଲାରେ ଇଡିରେ ହଜାର ହୋଇଥିଲେ। ତାଙ୍କୁ ସେ ସମୟରେ ୧୨ ଘଣ୍ଟା ମରାଥନ ଜେରା କରିଥିଲା ତଦନ୍ତକାରୀ ସଂସ୍ଥା।

ତେବେ ଇଡିରୁ ବାହାରିବା ପରେ ପ୍ରମୋଦ କହିଥିଲେ ଯେ, ଇଡି ଯେଉଁ ପ୍ରଶ୍ନ ପଚାରିଛି ତାର ଉତର ସେ ଦେଇଛନ୍ତି ।ଅର୍ଚ୍ଚନା ତାଙ୍କ ଘରେ ଭଡାକୁ ରହୁଥିଲେ । ସେ ସମୟରେ ଅର୍ଚ୍ଚନାଙ୍କ ଆର୍ଥିକ ଅବସ୍ଥା ଭଲ ନଥିଲା । ଭଡା ଟଙ୍କା ମାଗିବାକୁ ଏହାକୁ ଦେବାକୁ ସେ ମନା କରିଥିଲେ । ଘର ଛାଡିବାକୁ ୫ଲକ୍ଷ ଟଙ୍କା ଦେବାକୁ ବ୍ଲାକମେଲ କରିଥିଲେ ଅର୍ଚ୍ଚନା । ପ୍ରମୋଦ ସ୍ୱାଇଁ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ଘରେ ୨୦୧୬ ମସିହାରେ ଅର୍ଚ୍ଚନା ନାଗ ଭଡ଼ାରେ ରହୁଥିଲେ । ଏହ ପରେ ସମାନ ଘରେ ୨୦୧୮ରେ ଶ୍ରଦ୍ଧାଞ୍ଜଳି ବେହେରା ଭଡ଼ାରେ ରହୁଥିଲେ ।

ସୂଚନାଯୋଗ୍ୟ ଯେ, ପ୍ରମୋଦ ସ୍ୱାଇଁ ପେସାରେ ଜଣେ ଫିଲ୍ମ ପ୍ରଯୋଜକ ଓ ଜଣେ ବିଲଡର । ତାଙ୍କ ଆକାଉଣ୍ଟରୁ ଅର୍ଥନୈତିକ କାରବାର ହୋଇଥିବା ସୁରାକ ପାଇବା ପରେ ତାଙ୍କୁ ସମନ କରିଥିଲା ଇଡି । କ’ଣ ପାଇଁ ଆର୍ଥିକ କାରବାର ହୋଇଥିଲା ତାର ଖିଅ ଖୋଜୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ସବୁଠୁ ବଡ଼ କଥା ହେଲା ଅର୍ଚ୍ଚନାଙ୍କ ପରେ ପ୍ରମୋଦଙ୍କ ସମାନ ଘରେ ରହୁଥିଲେ ଶ୍ରଦ୍ଧାଞ୍ଜଳି । ଏହା ସଂଯୋଗ ଥିଲା ନା ଉଦ୍ଦେଶ୍ୟ ମୂଳକ ଥିଲା ତାହାର ତଦନ୍ତ କରୁଛି ଇଡି । ଏସବୁ ଭିତରେ ସାମନାକୁ ଆସିଛି ୨୦୧୭ ମସିହାର ପ୍ରମୋଦଙ୍କ ବିରୋଧରେ ମହିଳା ଥାନାରେ ଅର୍ଚ୍ଚନା ଦେଇଥିବା ଏଫଆଇଆର କପି । ଏତଲାରେ ଅର୍ଚ୍ଚନା ଅଭିଯୋଗ କରିଥିଲେ ଯେ, ପ୍ରମୋଦ ତାଙ୍କୁ ଫିଲ୍ମରେ ଅଭିନୟ କରିବାର ସୁଯୋଗ ଦେବାକୁ କହି ଲୋଭ ଦେଖାଇଥିଲେ । ମାସିକ ଦରମା ସହ ଘର ଦେବାକୁ କହିଥିଲେ । ତାପରେ ସୁଯୋଗ ଦେଖି ତାଙ୍କ ବାସଭବନରେ ଚାରେ କିଛି ନିଶାଦ୍ରବ୍ୟ ମିଶାଇ ତାଙ୍କର ନ୍ୟୁଡ ଫଟୋ ଓ ଭିଡିଓ କରିଥିଲେ । ଯାହାକୁ ଦେଖାଇ ବାରମ୍ବାର ତାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ଏପରିକି ସେ ଗର୍ଭବତୀ ଥିବା ସମୟରେ ମଧ୍ୟ ତାଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ତେବେ ଅର୍ଚ୍ଚନା ଥାନାରେ ଅଭିଯୋଗ କରିବା ପୂର୍ବରୁ, ଭଡା ଦେଉନଥିବା ଅଭିଯୋଗ ଆଣି ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ପ୍ରମୋଦ ।