ପଦ୍ମପୁର ଉପନିର୍ବାଚନ: ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ

ବରଗଡ଼ : ପଦ୍ମପୁର ଉପନିର୍ବାଚନ ଲାଗି ଆରମ୍ଭ ହୋଇଯାଇଛି ପ୍ରଚାର । ତେବେ ଏନେଇ ଆଜି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଝାରବନ୍ଧ, ପାଇକମାଳ ଓ ପଦ୍ମପୁରରେ ଆୟୋଜିତ ୩ଟି ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ । ବିଜେଡି ପ୍ରାର୍ଥୀ ବର୍ଷାସିଂ ବରିହାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ୩ ସଭାସ୍ଥଳ ପାଇଁ ସ୍ୱତନ୍ତ୍ର ଭାବେ ତ୍ରିସ୍ତରୀୟ ସୁରକ୍ଷା ବଳୟ କରାଯାଇଛି । ସେହିକ୍ରମରେ ଝାରବନ୍ଧ ଶକ୍ତି ଖେଳପଡ଼ିଆ, ପାଇକମାଳ ପଡ଼ିଆ ଓ ପଦ୍ମପୁର ଷ୍ଟାଡ଼ିୟମରେ ବିଜେଡି ସଭା ଆୟୋଜନ କରାଯାଇଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ଷ୍ଟେଜ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨ ତାରିଖ ଦିନ ୧୦ଟାରୁ ନବୀନ ନିବାସରୁ ବାହାରି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସ୍ୱତନ୍ତ୍ର ଏଆରକ୍ରାଫ୍ଟ ସାହାଯ୍ୟରେ ଆସି ପଦ୍ମପୁର ନିକଟ ସତୀଭଟା ଏୟାରଷ୍ଟ୍ରିପରେ ପୂର୍ବାହ୍ନ ୧୧ଟାରେ ଓହ୍ଲାଇବେ । ସେଠାରୁ ହେଲିକପ୍ଟରରେ ପ୍ରଥମେ ଝାରବନ୍ଧ ବ୍ଲକର ଶକ୍ତିଛକରେ ନିର୍ମିତ ହେଲିପ୍ୟାଡ୍‌ରେ ଓହ୍ଲାଇ ୧୧ଟା ୨୫ରେ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେବେ । ମଧ୍ୟାହ୍ନ ୧୨ଟା ୧୦ରେ ସେଠାରୁ ବାହାରି ସାଢ଼େ ୧୨ଟାରେ ପାଇକମାଳରେ ଓହ୍ଲାଇ ପାଇକମାଳ ଏମ୍‌ଇ ସ୍କୁଲ୍‌ ପଡ଼ିଆରେ ଆୟୋଜିତ ଦଳୀୟ ସମାବେଶକୁ ଉଦ୍‌ବୋଧନ ଦେବେ ।

ଅପରାହ୍ନ ୧ଟା ୧୫ରେ ପାଇକମାଳରୁ ବାହାରି ସାଢ଼େ ଗୋଟାଏରେ ପଦ୍ମପୁର-ଗାଇସିଲାଟ ରାସ୍ତାରେ ଥିବା ଟାଉନ ହାଇସ୍କୁଲ୍‌ ପଡ଼ିଆରେ ଓହ୍ଲାଇ ନିକଟସ୍ଥ ଆର୍‌ଏଲ୍‌ କଲ୍ୟାଣ ମଣ୍ଡପରେ ମଧ୍ୟାହ୍ନ ଭୋଜନ କରିବେ । ପରେ ଅପରାହ୍ନ ସାଢ଼େ ୩ଟାରେ ପଦ୍ମପୁର ହାଇସ୍କୁଲ ପଡ଼ିଆରେ ଆୟୋଜିତ ଦଳୀୟ ସମାବେଶକୁ ସମ୍ବୋଧିତ କରି ଦଳୀୟ ପ୍ରାର୍ଥୀ ବର୍ଷାଙ୍କ ପାଇଁ ଜନସମର୍ଥନ ଲୋଡ଼ିବେ । ଅପରାହ୍ନ ସାଢ଼େ ୪ଟାରେ ସତୀଭଟା ଏୟାରଷ୍ଟ୍ରିପ୍‌ରୁ ବାହାରି ୫ଟା ୨୦ ମିନିଟ୍‌ରେ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ସୂଚନା ମିଳିଛି ।

Related Posts