ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧୀରେ ଧୀରେ ଖୋଲୁଛି ବ୍ଲାକମେଲର ଅର୍ଚ୍ଚନା ନାଗର ଗୁମର । କିଭଳି ସେ ଯୁବତୀଙ୍କୁ ତା ଜାଲରେ ଫସାଇ ଅନୈତିକ କାରବାରରେ ଲିପ୍ତ କରୁଥିଲା ତାହା ଜଣାପଡ଼ିଛି । ନିଜ ଜାଲରେ ନିଜେ ପଡ଼ି ଅର୍ଚ୍ଚନା ଏବେ ଜେଲ୍ ଯାଇଥିବା ବେଳେ ଖଣ୍ଡଗିରି ଥାନାରେ ଜଣେ ପୀଡ଼ିତା କରିଥିବା ଏତଲାରୁ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ପାନୀୟରେ ନିଶା ଦେଇ ଅର୍ଚ୍ଚନା ନଗ୍ନ ଭିଡିଓ କରୁଥିବା ଏତଲାରେ ଉଲ୍ଲେଖ କରିଛନ୍ତି ପୀଡ଼ିତା ।

ପୀଡ଼ିତାଙ୍କ ଏତଲା ଅନୁସାରେ, ୨୦୧୮ ମସିହାରେ ଯୁବତୀ ଜଣଙ୍କ ଚାକିରି ସନ୍ଧାନରେ ଆସିଥିବା ବେଳେ ଅର୍ଚ୍ଚନାଙ୍କ ସହ ଚିହ୍ନା ହୋଇଥିଲେ । ଗୋଟିଏ ବିଲ୍ଡିଂରେ ଘର ଭଡ଼ା ନେଇ ରହୁଥିବାରୁ ଅର୍ଚ୍ଚନାଙ୍କ ସହ ପରିଚୟ ବଢ଼ିଥିଲା । ପରେ ଚାକିରି ଆଳରେ ଅର୍ଚ୍ଚନା, ପୀଡ଼ିତାଙ୍କୁ ଜାଲରେ ଫସାଇଥିଲେ । ପୀଡ଼ିତାଙ୍କୁ ପାନୀୟରେ ନିଶା ଦେଇ ତାଙ୍କ ଅନ୍ତରଙ୍ଗ ସମୟର ଭିଡିଓ କରିଥିଲେ। ଚେତା ଫେରିଲା ବେଳକୁ ପୀଡ଼ିତା ନିର୍ବସ୍ତ୍ର ଥିବା ଏତଲାରେ ଉଲ୍ଲେଖ କରିଛନ୍ତି । ଆଉ ସେହି ନଗ୍ନ ଭିଡିଓ ଦେଖାଇ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ, ପୀଡ଼ିତାଙ୍କୁ ବ୍ଲାକମେଲିଂ କରୁଥିଲେ ।

ଗତ ଏପ୍ରିଲ ମାସରେ ଅକ୍ଷୟ ପରିଜାଙ୍କ ନମ୍ବର ଦେଇ ପୀଡ଼ିତାଙ୍କୁ ଚାଟିଂ ପାଇଁ କହିଥିଲେ । ପରେ ଅକ୍ଷୟଙ୍କୁ ଡକାଇ ତାଙ୍କ ସହ ମିଶିବାକୁ ଯୁବତୀଙ୍କୁ ବାଧ୍ୟ କରିଥିଲା ଅର୍ଚ୍ଚନା । ଉଭୟଙ୍କ ମିଳାମିଶାକୁ ଅର୍ଚ୍ଚନା ସୁଟିଂ କରି ପରେ ବ୍ଲାକମେଲ୍ କରିଥିବା ପୀଡ଼ିତା ଏତଲାରେ ଉଲ୍ଲେଖ କରିଛନ୍ତି ।

ତେବେ ପୀଡ଼ିତାଙ୍କ ଏହି ଏତଲା ଆଧାରରେ ପୋଲିସ ଅର୍ଚ୍ଚନାଙ୍କ ବିରୋଧରେ ୧୬ଟି ସଙ୍ଗୀନ ଦଫା ଲଗାଇଥିବା ଜଣା ପଡ଼ିଛି। ଏଗୁଡିକ ମଧ୍ୟରେ ବେଆଇନ୍ ଭାବେ ଅଟକ ରଖିବା, ଖାଦ୍ୟରେ ନିଶା ଦେବା, ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋ ଭିଡ଼ିଓ କରିବା, ଡରାଇ ଧମକାଇ ଟଙ୍କା ମାଗିବା, ମାନବ ଚାଲାଣ କରିବା ଭଳି ସାଙ୍ଘାତିକ ଦଫା ରହିଥିବା ସୂଚନା ମିଳିଛି।

ଅନ୍ୟପଟେ ଆଜି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନର ଶୁଣାଣି ସୁରକ୍ଷା ଦୃଷ୍ଟିରୁ ଭିଡ଼ିଓ କନଫରେସିଙ୍ଗ ରେ ଚାଲିଛି । ଅର୍ଚ୍ଚନା ନାଗ ଝାରପଡ଼ା ଜେଲରେ ଭିସିରେ ଥିବାବେଳେ ବେଲ ଆବେଦନର ଶୁଣାଣି ହେଉଛି । ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଜାମିନ୍ ଆବେଦନ କରିଛନ୍ତି ଅର୍ଚ୍ଚନା ନାଗ ।