ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାକୁ ନେଇ ଏବେ ସାରା ରାଜ୍ୟ ଉଠୁଛି ପଡ଼ୁଛି। ବହୁ ରାଜନେତା, ପ୍ରଯୋଜକ, ବ୍ୟବସାୟୀଙ୍କ ସଂପୃକ୍ତି ମଧ୍ୟ ସାମ୍ନାକୁ ଆସୁଛି। ତେବେ ଏସବୁ ଭିତରେ ସାମ୍ନାକୁ ଆସିଛି ଅର୍ଚ୍ଚନାଙ୍କ ଅନୁଗୁଳ ଲିଙ୍କ୍। ଏକ ଦାମୀ ଗାଡ଼ି ନେଇ ଏବେ ଅନୁଗୁଳରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ଭୁବନେଶ୍ବରରେ ରହୁଥିଲେ ମଧ୍ୟ ଅର୍ଚ୍ଚନା ଅନୁଗୁଳରୁ ଗାଡ଼ି କିଣିଲେ କ’ଣ ପାଇଁ ? ଗାଡ଼ି ନିଜ ଟଙ୍କାରେ କିଣିଲେ, ନା ଉପହାର ଆକାରରେ କିଏ ଦେଇଥିଲେ? ଆଉ କିଏ କ’ଣ ପାଇଁ ଏତେ ଦାମୀ ଗାଡ଼ିକୁ ଅର୍ଚ୍ଚନାଙ୍କ ଉପହାର ଦେଇଥିଲେ ? ଏମିତି ହଜାରେ ପ୍ରଶ୍ନ ଏବେ ଅନୁଗୁଳ ଜିଲ୍ଲାର ରାଜନୀତିକୁ ସରଗରମ କଲାଣି।
ମିଳିଥିବା ସୂଚନା ଅନୁସାରେ, ଏହି ଗାଡ଼ିଟି ଆରମ୍ଭରୁ ଅର୍ଚ୍ଚନା କିଣି ନ ଥିଲେ। ଏକ ବିଲ୍ଡର୍ସ କମ୍ପାନିର ଜଣେ ନିର୍ଦ୍ଦେଶକ ଏହି ଗାଡ଼ିକୁ ୨୦୧୭ ମସିହା ଏପ୍ରିଲ ୧୮ ତାରିଖରେ କିଣିଥିଲେ। କିନ୍ତୁ ପରେ ଏହି ଗାଡ଼ିକୁ ୨୦୧୯ ଜୁଲାଇରେ ବିକ୍ରି କରାଯାଇଥିବା ଜଣାପଡ଼ିଛି। ଆଉ ଏହାକୁ କିଣିଥିଲେ ଅର୍ଚ୍ଚନା ନାଗ। ଗାଡ଼ିକୁ ସେ ପାଖାପାଖି ୨ ବର୍ଷ ବ୍ୟବହାର କରିବା ପରେ ୨୦୨୧ ଏପ୍ରିଲ୍ରେ ବିକ୍ରି କରି ଦେଇଛନ୍ତି। ପୁରୀର ଜଣେ ବ୍ୟବସାୟୀଙ୍କ ପାଖରେ ଏବେ ଏହି ଗାଡ଼ି ରହିଛି। ଅର୍ଚ୍ଚନା ଏହି ଗାଡ଼ି କିଣିବା ସମୟରେ ତାଙ୍କ ଠିକଣା କଳାହାଣ୍ଡି ବୋଲି ଲେଖିଛନ୍ତି। ଶତ୍ରୁଘ୍ନ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ମାର୍ଫତରେ ଏହି ଗାଡ଼ି କିଣା ହୋଇଛି। ତେବେ ସେ ଗାଡ଼ିଟି କିଣିଛନ୍ତି ନା ତାଙ୍କ ପାଇଁ ଆଉ କେହି କିଣି ଦେଇଛନ୍ତି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଅର୍ଚ୍ଚନାଙ୍କ ଘର କଳାହାଣ୍ଡିରେ ହୋଇଥିଲାବେଳେ ସେ ବିବାହ କରିଛନ୍ତି ବାଲେଶ୍ବର ଜିଲ୍ଲାରେ। ରହୁଥିଲେ ଭୁବନେଶ୍ବରରେ। ତଥାପି ଅନୁଗୁଳକୁ ଆସି କାହିଁକି ଗାଡ଼ି କିଣିଲେ? ଭୁବନେଶ୍ବରରେ କଣ ଏହି ଗାଡ଼ି ମିଳୁ ନଥିଲା ? ତାକୁ ନେଇ ମଧ୍ୟ ନାନା ଚର୍ଚ୍ଚା ଚାଲିଛି। କୁହାଯାଉଛି ଯେ, ଅର୍ଚ୍ଚନା ଲିଙ୍କ୍ରେ ଥିବା ଜଣେ ବ୍ୟକ୍ତି ଏହି ଗାଡ଼ିକୁ ତାଙ୍କୁ ଉପହାର ସ୍ବରୂପ ଦେଇଛନ୍ତି। ତେବେ ସେ ନେତା ନା ବ୍ୟବସାୟୀ ? ଗାଡ଼ିର ପ୍ରଥମ ମାଲିକ ଏକ ବିଲଡର୍ସ କଂପାନିର ନିର୍ଦ୍ଦେଶକ ହୋଇଥିଲାବେଳେ ଏହି କଂପାନିରେ ଅନୁଗୁଳର କିଛି ପ୍ରଭାବଶାଳୀ ବ୍ୟକ୍ତି ରହିଛନ୍ତି। ତେଣୁ ଅର୍ଚ୍ଚନାଙ୍କୁ ଏହି ଗାଡ଼ି ଉପହାର ସୂତ୍ରରେ ମିଳିଥିବା ନେଇ ଆଲୋଚନା ହେଉଛି।